ସିଙ୍ଗାପୁର: ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିବା ‘ରୟାଲ୍ କ୍ୟାରିବିୟାନ୍ କ୍ରୁଜ୍’ରୁ ନିଖୋଜ ହୋଇଯାଇଥିବା ଜଣେ ୬୪ ବର୍ଷୀୟ ଭାରତୀୟ ମହିଳାଙ୍କର ମୃତ୍ୟୁ ଘଟିଥିବା କଥା ମଙ୍ଗଳବାର ଦିନ ସୁନିଶ୍ଚିତ କରାଯାଇଥିବା କଥା ‘ଏନ୍ଡିଟିଭି’ ରିପୋର୍ଟ କରିଛି।
ରିପୋର୍ଟ ଅନୁସାରେ, ମାଲେସିୟା ଉପଦ୍ବୀପର ଉତ୍ତରାଞ୍ଚଳ ଦ୍ବୀପ-ରାଜ୍ୟ ପେନାଙ୍ଗରୁ ସିଙ୍ଗାପୁର ପ୍ରଣାଳୀ ଦେଇ ଏହି ‘କ୍ରୁ୍ଜ୍’ (ବିଳାସମୟ ଜାହାଜ) ଯାଉଥିବା ବେଳେ ମହିଳାଜଣକ ସମୁଦ୍ରକୁ ଡେଇଁପଡ଼ି ମୃତ୍ୟୁବରଣ କରିଛନ୍ତି। ମୃତା ମହିଳାଙ୍କ ନାଁ ହେଉଛି ରୀତା ସାହାଣୀ। ରୀତା ଓ ତାଙ୍କ ସ୍ବାମୀ ଜାକେଶ ସାହାଣୀ ପେନାଙ୍ଗ୍ରୁ ସିଙ୍ଗାପୁର ଫେରୁଥିଲେ। ସୋମବାର ଦିନ ସେମାନେ ‘କ୍ରୁଜ୍’ ଜାହାଜ ଚଢ଼ିଥିଲେ।
‘ଦି ଷ୍ଟେଟସ୍ ଟାଇମ୍ସ୍’ ସମ୍ବାଦପତ୍ର ରିପୋର୍ଟ କରିଛି ଯେ, ସୋମବାର ଦିନ ନିଦରୁ ଉଠି ଜାକେଶ ଦେଖିଲେ ସ୍ତ୍ରୀ ରୀତା କୋଠରିରେ ନାହିଁ। ସେ ‘କ୍ରୁଜ୍’ ଜାହାଜର ସବୁଆଡ଼େ ରୀତାଙ୍କୁ ଖୋଜିଲେ। କିନ୍ତୁ, ପାଇଲେ ନାହିଁ।
ରୀତାଙ୍କୁ ଖୋଜିବା ପାଇଁ ପୁଅ ଅପୂର୍ବ ସାହାଣୀ ସୋମବାର ଦିନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସହାୟତା ଲୋଡ଼ିଥିଲେ। ଟୁଇଟ୍ କରି ସେ ଲେଖିଥିଲେ, ମୋ ମାଆ ‘ରୟାଲ୍ କ୍ୟାରିବିୟାନ୍ କ୍ରୁଜ୍’ରେ ବା ‘ସ୍ପେକ୍ଟ୍ରମ୍ ଅଫ୍ ଦି ସିଜ୍) ସିଙ୍ଗାପୁରରୁ ଜଳଯାତ୍ରା କରୁଥିଲେ। ସକାଳୁ ସେ ଜାହାଜରୁ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ସେ ପାଣିକୁ ଡେଇଁ ପଡ଼ିଥିବା କଥା ‘କ୍ରୁଜ୍’ର କର୍ମଚାରୀମାନେ କହୁଛନ୍ତି, କିନ୍ତୁ ସେମାନେ ଆମକୁ କୌଣସି ଫୁଟେଜ୍ ଦେଖାଉ ନାହାନ୍ତି।
ଏହାପରେ ମଙ୍ଗଳବାର ଦିନ ଉକ୍ତ ‘କ୍ରୁଜ୍’ ସେ ମହିଳା (ରୀତା) ପାଣିକୁ ଲମ୍ଫ ଦେବା ଘଟଣାର ‘ସିସିଟିଭି’ ଫୁଟେଜ୍ ସେୟାର୍ କରିଥିଲା। ରୀତାଙ୍କ ଶବ ଉଦ୍ଧାର କରିବା ଲାଗି ‘ମେରିଟାଇମ୍ ଆଣ୍ଡ୍ ପୋର୍ଟ ଅଥରିଟି ଅଫ୍ ସିଙ୍ଗାପୁର’ ସମୁଦ୍ରରେ ତଲାସ ଚଳାଇଛି।
ଘଟଣା ସଂକ୍ରାନ୍ତରେ ଅବଗତ ହେବା ପରେ ସିଙ୍ଗାପୁରସ୍ଥିତ ଭାରତୀୟ ହାଇକମିସନ୍ ସାହାଣୀ ପରିବାର ସହିତ ଯୋଗଯୋଗ ଜାରି ରଖିଛି।