ପାଠପଢା ଛାଡି ଋଷ ସହ ଲଢ଼ିବାକୁ ୟୁକ୍ରେନ ସେନାରେ ଯୋଗ ଦେଲେ ଭାରତୀୟ ଯୁବକ

ନୂଆଦିଲ୍ଲୀ: ତିନି ମାସ ପରେ ସରିଥାନ୍ତା ପାଠ୍ୟକ୍ରମ | କିନ୍ତୁ ଏହା ପୂର୍ବରୁ ୟୁକ୍ରେନ ସେନାରେ ଯୋଗ ଦେଇ ଏବେ ଋଷ ବିରୋଧରେ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି ଭାରତୀୟ ଯୁବକ | ତାମିଲନାଡୁର କୋଏମ୍ବାଟୁରର ୨୧ ବର୍ଷୀୟ ସାଇନିକେଶ ରବିଚନ୍ଦ୍ରନ ୟୁକ୍ରେନ ସେନାରେ ଯୋଗ ଦେଇଛନ୍ତି | ସାଇନିକେଶଙ୍କ ପିତାମାତା ଏ ବିଷୟରେ ଅବଗତ ନଥିବାବେଳେ ଏବେ ଜାଣିବା ପରେ ସେମାନଙ୍କ ହୋସ ଉଡିଯାଇଛି | ମିଳିଥିବା ସୂଚନା ମୁତାବକ ସାଇନିକେଶ ରବିଚନ୍ଦ୍ରନ ୨୦୧୮ ରେ ୟୁକ୍ରେନ ଯାଇଥିଲେ | ସେ ଖାର୍କିଭରେ ଥିବା ଜାତୀୟ ଏରୋସ୍ପେସ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ | ଜୁଲାଇ ୨୦୨୨ରେ ତାଙ୍କର ପାଠପଢା ସରିବାର ଥିଲା, କିନ୍ତୁ ଏହାପୂର୍ବରୁ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ​​ଏବଂ ସବୁକିଛି ବିଗିଡି ଯାଇଥିଲା |

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଉପରେ ଋଷ ର ଆକ୍ରମଣ ପରେ ସାଇନିକେଶଙ୍କର ଘର ସହିତ ଆଉ ଯୋଗାଯୋଗ ନଥିଲା | ଆଉ, ୟୁକ୍ରେନରୁ ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତ ସରକାର ଯେତେବେଳେ ଅପରେସନ୍ ଗଙ୍ଗା ଆରମ୍ଭ କରିଥିଲେ, ସାଇନେଶଙ୍କ ବିଷୟରେ କୌଣସି ସୂଚନା ମିଳିନଥିଲା |

ଯେତେବେଳେ ତାଙ୍କ ଅଭିଭାବକ ପୁଅ ବିଷୟରେ କିଛି ଜାଣିପାରିନଥିଲେ ସେମାନେ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିଥିଲେ। ଦୂତାବାସର ଅଧିକାରୀମାନେ ଏହା ବାବଦରେ ଅନୁସନ୍ଧାନ କରିବା ପରେ ଜଣାପଡିଛି ଯେ ସାଇନିକେଶ ବର୍ତ୍ତମାନ ୟୁକ୍ରେନ ସେନାରେ ଯୋଗ ଦେଇଛନ୍ତି। ସାଇନିକେଶଙ୍କ ପିତା କହିଛନ୍ତି ଯେ ସେ ସେନାରେ ଯୋଗଦେବାକୁ ଚାହୁଁଥିଲେ। ସେ ଭାରତୀୟ ସେନାରେ ଯୋଗଦେବା ପାଇଁ ମଧ୍ୟ ଆବେଦନ କରିଥିଲେ, କିନ୍ତୁ ଚୟନ ହୋଇନଥିଲେ |

ସମ୍ବନ୍ଧିତ ଖବର