ଭାରତୀୟମାନେ ନିଜ ଅପେକ୍ଷା ପରିବାର ସଂକ୍ରମିତ ହେବା ଭୟରେ ବେଶି ଚିନ୍ତିତ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ ଯେତେ ଯନ୍ତ୍ରଣାଦାୟକ ହେଉ ପଛକେ ଏହା ସମସ୍ତଙ୍କ ପାଇଁ ଏକ ବିରଳ ଅନୁଭୂତି ଆଣିଦେଇଛି। ସମାଜରେ ଅଧିକାଂଶ ଲୋକ ନିଜକୁ ଏମିତି ପ୍ରସ୍ତୁତ କରିସାରିଛନ୍ତି ଯେଉଁମାନେ ବିନା ମାସ୍କରେ ଆଉ ବାହାରକୁ ବାହାରିବେ ନାହିଁ। ସେହିପରି ଅନେକ ମଧ୍ୟ ଅଛନ୍ତି ଯେଉଁମାନେ ପୂର୍ବଭଳି ବାହାରେ ବୁଲି ପରିହାସ କରୁଛନ୍ତି, ସତେ ଯେପରି ମହାମାରୀ ଆସିନି। ତେବେ ଏହି ରୋଗ ଦ୍ବାରା ଆମ ଶ୍ବାସପ୍ରଣାଳୀ କ୍ଷତିଗ୍ରସ୍ତ ହେବା ଅପେକ୍ଷା ଆମର ମାନସିକ ସ୍ଥିତି ବେଶି ପ୍ରଭାବିତ ହୋଇଥିବା ଜଣାଯାଇଛି।

ଏ ପରିପ୍ରେକ୍ଷୀରେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଆଖି ବୁଜିବାର ଭୟ ଅପେକ୍ଷା ଆପଣା ଲୋକଙ୍କୁ ହରାଇବାର ଭୟ ଆମକୁ ବେଶି ଘାରିଛି ବୋଲି ଏକ ସଦ୍ୟ ଅନୁଧ୍ୟାନରୁ ଜଣାଯାଇଛି। ମାନସିକ ସ୍ବାସ୍ଥ୍ୟ ଗବେଷଣା ସଂସ୍ଥା ‘ସଂଗଠ’ ଦ୍ବାରା କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ ଓ ଦିଲ୍ଲୀର ସହରାଞ୍ଚଳରେ ଅନୁଷ୍ଠିତ ସର୍ବେକ୍ଷଣରେ ସାମିଲ ହୋଇଥିବା ୬୭୩ ଜଣଙ୍କ ମତାମତରୁ ଏଭଳି ନିର୍ଯାସ ମିଳିପାରିଛି। ଗତ ଜୁନ୍‌ ୧୧ରୁ ଜୁଲାଇ ୧୦ ଭିତରେ ହୋଇଥିବା ଏହି ସର୍ବେକ୍ଷଣରେ ୩୮ ପ୍ରତିଶତ ଲୋକ ନିଜେ ସଂକ୍ରମିତ ହେବା ଅପେକ୍ଷା ନିଜ ପରିବାରର ସଂକ୍ରମଣ ନେଇ ଅଧିକ ଚିନ୍ତିତ ଥିବା କହିଛନ୍ତି। ସେହିପରି ନିଜ ଅଜ୍ଞାତସାରରେ ସଂକ୍ରମିତ ହେବା ଭୟ ହିଁ ୨୨.୯ ପ୍ରତିଶତଙ୍କୁ ଘାରିଥିବା ଜଣାଯାଇଛି।

ଅପରପକ୍ଷେ, ଏହି ଘାତକ ରୋଗରେ ଆକ୍ରାନ୍ତ ହୋଇ ମରିଯିବାର ଭୟ ମାତ୍ର ୮.୮ ପ୍ରତିଶତଙ୍କୁ ଘାରିଥିବା ବେଳେ ୧୧ ପ୍ରତିଶତ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହେବାକୁ ଭୟ କରନ୍ତି ବୋଲି କହିଛନ୍ତି। ସେହିପରି କରୋନା ପାଇଁ ଆବଶ୍ୟକ ପରୀକ୍ଷା ନିରୀକ୍ଷା ହୋଇପାରିବ କି ନାହିଁ, ଉଚିତ ଚିକିତ୍ସା ସୁବିଧା ମିଳିପାରିବ କି ନାହିଁ ତାହାକୁ କେନ୍ଦ୍ର କରି ସର୍ବାଧିକ ୫୫ ପ୍ରତିଶତ ଲୋକଙ୍କର ବ୍ୟଗ୍ରତା ଓ ଉତ୍କଣ୍ଠା ଜାତ ହୋଇଥିବା ବେଳେ ୨୮ ପ୍ରତିଶତଙ୍କର ମାନସିକ ଅବସାଦ ଦେଖାଦେଇଥିବା ଜଣାଯାଇଛି। ତେବେ ଜଣଙ୍କର ଏହି ବ୍ୟସ୍ତବିବ୍ରତ ସ୍ଥିତି ହିଁ ଅଧିକ ନକାରାତ୍ମକ ପରିଣତି ଆଣିଥାଏ ବୋଲି ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତ। ଏହାଦ୍ବାରା ନିଜେ ଅଧିକ ସଂକ୍ରମଣଶୀଳ ହେବାର ଆଶଙ୍କା ରହିବା ସହ ନିଜ ପରିବାର ମଧ୍ୟ ଆବଶ୍ୟକ ଯତ୍ନରୁ ବଞ୍ଚିତ ହେବ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି। ସୁତରାଂ ସକାରାତ୍ମକ ଚିନ୍ତାଧାରା ସହ ଏହି ମହାମାରୀ ସହ ଲଢ଼େଇ କରିବା ହିଁ ଶ୍ରେୟସ୍କର ବୋଲି ସେମାନେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର