ପାକ୍ ଯିବାକୁ ଆଉ ଲୋଡ଼ା ନାହିଁ ଭାରତ ସରକାରଙ୍କ ଅନୁମତି, କେବଳ ଭିସା ଦେଖାଇ ଯାଇପାରିବେ

ନୂଆଦିଲ୍ଲୀ: ସୁଧୁରୁଛି କି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ। ଭାରତ ନେଇଥିବା ନିଷ୍ପତ୍ତି ପରେ ଏବେ ଏ ଚର୍ଚ୍ଚା ସାରା ଭାରତରେ ଲାଗି ରହିଛି। ଏବେ ଯେଉଁମାନେ ଅଟାରି-ୱାଘା ସୀମା ଦେଇ ପାକିସ୍ତାନ ଯିବାକୁ ଚାହୁଁଛନ୍ତି, ସେମାନେ କେବଳ ଭିସା ଦେଖାଇ ପାକିସ୍ତାନ ଯାଇପାରିବେ। ବର୍ତ୍ତମାନ ଅଟାରି-ୱାଘା ସୀମା ଦେଇ ପାକିସ୍ତାନ ଯିବା ପାଇଁ ଭାରତ ସରକାରଙ୍କଠାରୁ ବିଶେଷ ଅନୁମତି ନେବାକୁ ପଡ଼ିବ ନାହିଁ।

ଏହାପୂର୍ବରୁ ଭିସା ଥିଲେ ବି ଅଟାରି-ୱାଘା ସୀମା ଦେଇ ପାକିସ୍ତାନ ଯିବା ପାଇଁ ଭାରତ ସରକାରଙ୍କ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ୁଥିଲା। ଏହି ନିଷ୍ପତ୍ତି ନେବା ସହିତ ଭାରତ ସରକାର ପାକିସ୍ତାନ ଯାଉଥିବା ଯାତ୍ରୀମାନଙ୍କୁ ବିଶେଷ ସୁବିଧା ପ୍ରଦାନ କରିଛନ୍ତି।

ତେବେ କିଛି ଦିନ ପୂର୍ବରୁ ଭାରତ-ପାକିସ୍ତାନ ମଧ୍ୟରେ ଥିବା ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଭାରତର ଏକ ମିସାଇଲ ସୀମା ଅତିକ୍ରମ କରି ପାକିସ୍ତାନ ଭିତରେ ପଡ଼ିଥିଲା। ଏହାକୁ ନେଇ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଇସ୍ଲାମାବାଦରେ ଅବସ୍ଥାପିତ ଭାରତୀୟ ମିଶନ ମୁଖ୍ୟଙ୍କୁ ଡକାଇ ପ୍ରତିବାଦ ଜଣାଇଥିଲା । ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ଏହି ଘଟଣାକୁ ସ୍ବୀକାର କରି ବୈଷୟିକ ତ୍ରୁଟି ଯୋଗୁଁ ଏହି ଘଟଣା ଘଟିଥିଲା ବୋଲି ମନ୍ତ୍ରାଳୟ କହିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରିଥିଲା।

ସମ୍ବନ୍ଧିତ ଖବର