ନୂଆଦିଲ୍ଲୀ: ସରକାରଙ୍କ ଉପରେ ସବୁଠୁ ବେଶି ବିଶ୍ବାସ କରୁଥିବା ଦେଶ ହେଉଛି ଭାରତ। ମାର୍କେଟ ଉପରେ ରିସର୍ଚ୍ଚ କରୁଥିବା ସଂସ୍ଥା ଇପ୍‌ସେଜେ୍ ଗ୍ଲୋବାଲ ଟ୍ରଷ୍ଟ ମନିଟର ଦ୍ବାରା ନିକଟରେ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ଗବେଷକମାନେ କାନାଡ଼ା, ଦକ୍ଷିଣ ଆଫ୍ରିକା, ତୁର୍କୀ ଓ ଆମେରିକା ସମେତ ୨୧ଟି ଦେଶର ଲୋକଙ୍କୁ ପଚାରି ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ଅଧିକାଂଶ ଦେଶର ୧୬ରୁ ୭୪ ବର୍ଷ ବୟସ୍କ ଏବଂ କାନାଡ଼ା, ଦକ୍ଷିଣ ଆଫ୍ରିକା, ତୁର୍କୀ ଓ ଆମେରିକାର ୧୮ରୁ ୭୪ ବର୍ଷ ବୟସ୍କ ଲୋକମାନେ ଏହି ସର୍ଭେରେ ଅଂଶଗ୍ରହଣ କରିଥିଲେ।

Advertisment

ଗତ ଅଗଷ୍ଟ-ସେପ୍ଟେମ୍ବରରେ ୧୫ ଦିନ ଧରି କରାଯାଇଥିବା ସର୍ଭେରେ ସହରୀ ଭାରତୀୟମାନେ ସମସ୍ତ ୧୧ଟି ସଂସ୍ଥା ଓ ଅନୁଷ୍ଠାନ ଉପରେ ଅନାସ୍ଥା ଅପେକ୍ଷା ଅଧିକ ଆସ୍ଥା ପ୍ରକଟ କରିଥିଲେ। ସର୍ବାଧିକ ୫୨ ପ୍ରତିଶତ ଲୋକ ସରକାରଙ୍କ ଉପରେ ଅଧିକ ଆସ୍ଥା ପ୍ରକଟ କରିଥିଲେ। ଲୋକମାନେ ସବୁଠୁ ଅଧିକ ଆସ୍ଥା ରଖୁଥିବା ସଂସ୍ଥାଗୁଡ଼ିକ ଭିତରେ ଅଛନ୍ତି ପ୍ରଯୁକ୍ତି କମ୍ପାନି (୫୭%), ଶକ୍ତିକ୍ଷେତ୍ର (୫୭%) ଓ ବ୍ୟାଙ୍କିଂ କ୍ଷେତ୍ର (୫୭%)। ତେବେ ସାରା ବିଶ୍ବରେ ସବୁଠୁ କମ୍ ବିଶ୍ବାସ କରାଯାଉଥିବା ସଂସ୍ଥାଗୁଡ଼ିକ ହେଉଛନ୍ତି ସୋସିଆଲ ମିଡ଼ିଆ କମ୍ପାନି ଏବଂ ତୈଳ ଓ ଗ୍ୟାସ୍ କମ୍ପାନି।

ଇପ୍ସୋସ ଇଣ୍ଡିଆର ସିଇଓ ଅମିତ ଆଦରକରଙ୍କ କହିବା ଅନୁସାରେ, ନେଟିଜେନ (ଇଣ୍ଟରନେଟ୍ ବ୍ୟବହାରକାରୀ)ମାନେ ପ୍ରଯୁକ୍ତି କମ୍ପାନିଗୁଡ଼ିକୁ ସବୁଠୁ ବେଶି ବିଶ୍ବାସ କରନ୍ତି। ତା’ ତଳକୁ ଶକ୍ତି, ବ୍ୟାଙ୍କିଂ, ରିଟେଲ, ଆର୍ଥିକ ସେବା, ଔଷଧ ନିର୍ମାତା, ତୈଳ ଓ ଗ୍ୟାସ୍ ଆଦି ସଂସ୍ଥା ରହିଛନ୍ତି। ଅଧିକାଂଶ ସଂସ୍ଥା ନିୟନ୍ତ୍ରିତ ବଜାର ଫ୍ରେମ୍‌ୱାର୍କରେ କାମ କରନ୍ତି ଏବଂ ସରକାରଙ୍କ ଆଇନ ଓ ମାର୍ଗଦର୍ଶିକା ଅନୁଯାୟୀ ପରିଚାଳିତ ହୁଅନ୍ତି।