ଆମେରିକାରେ ଗ୍ରିନ୍‌ କାର୍ଡ ନ ପାଇ ଭାରତୀୟମାନେ କାନାଡ଼ାମୁହାଁ

ହାଇଦ୍ରାବାଦ : ଆମେରିକାରେ ଚାକିରି କରି ସ୍ଥାୟୀ ଅଧିବାସୀ ହେବାକୁ ଦଶନ୍ଧି ଦଶନ୍ଧି ଧରି ଚାହି ବସିଥିବା ଲକ୍ଷ ଲକ୍ଷ ଭାରତୀୟଙ୍କ ସ୍ବପ୍ନ ଧୂଳିସାତ୍‌ ହୋଇଯାଇଛି। ସେଥିପାଇଁ ଆବଶ୍ୟକ ଗ୍ରିନ୍‌ କାର୍ଡ ଭିସାରୁ ବଞ୍ଚିତ ସଂଖ୍ୟାଧିକ ଭାରତୀୟ ପରିବାର ଏବେ କାନାଡ଼ାମୁହାଁ ହୋଇଥିବା ଜାଣିବାକୁ ମିଳିଛି। କାନାଡ଼ାରେ ସହଜ ପ୍ରବେଶ ଅନୁମତି, ପର୍ଯ୍ୟାପ୍ତ ଭବିଷ୍ୟତ ଗଢ଼ିବାର ସୁଯୋଗ ଏବଂ ସୁବିଧାରେ ବସବାସ କରିବାର କାରଣ ହିଁ ସେମାନଙ୍କୁ ଏପରି ଆମେରିକା ମୋହ ଛାଡ଼ି କାନାଡ଼ାକୁ ପରବର୍ତ୍ତୀ ଲକ୍ଷ୍ୟସ୍ଥଳ ଭାବେ ଆଦରିନେବାକୁ ପ୍ରୋତ୍ସାହିତ କରିଛି। ଏଥି ପାଇଁ ପ୍ରତିବର୍ଷ ପ୍ରାୟ ୨୦ ହଜାର ଭାରତୀୟ ଆମେରିକା ଛାଡ଼ି କାନାଡ଼ା ଅଭିମୁଖେ ଯାତ୍ରା କରିଥିବା ଜଣାଯାଇଛି। ଏପରି ଅନେକ ଆଶାୟୀ ନିଜର ଅନୁଭୂତି ବଖାଣିଛନ୍ତି।

ଦୀର୍ଘ ୧୪ ବର୍ଷ କାଳ ଆମେରିକାରେ ରହିଥିବା ହାଇଦ୍ରାବାଦର ଦିନେଶ ଦଶାରି ପ୍ରାୟ ଛଅ ଥର ନିଜର ଏଚ୍‌-୧ବି ଭିସାର ନବୀକରଣ କରିଥିବା କହିଛନ୍ତି। ତେବେ ଗ୍ରିନ୍‌ କାର୍ଡ ଭିସାରୁ ବଞ୍ଚିତ ହୋଇ ନିଜର ସ୍ବପ୍ନ ପୂରଣ ନହେବାରୁ ଅତ୍ୟନ୍ତ ମାନସିକ ଚାପରେ ରହିଥିବା ଶ୍ରୀ ଦଶାରି ଶେଷରେ ଗତ ଜୁଲାଇରେ ଆମେରିକାର ମେରିଲିଲ୍ୟାଣ୍ଡ ସହର ଛାଡ଼ି କାନାଡ଼ାର ରାଜଧାନୀ ସହର ଟରଣ୍ଟୋ ଚାଲି ଆସିଥିବା କହିଛନ୍ତି। କାରଣ ଆମେରିକାର ଗ୍ରିନ୍‌ କାର୍ଡ ଭିସା ପାଇଁ ତାଙ୍କ ଆବେଦନ ନିଯୁକ୍ତିଦାତାଙ୍କ ପାଖରେ ବର୍ଷବର୍ଷ ଧରି ପଡ଼ି ରହିଥିଲା। ସୁତରାଂ ଆଉ କୌଣସି ଭଲ ସୁଯୋଗ ପାଇଲେ ଚାକିରି ବଦଳାଇବାର ଉପାୟ ହିଁ ନଥିଲା। ଅପରପକ୍ଷେ, କୌଣସି କମ୍ପାନିର ଉଚ୍ଚତର ପଦବି ହାସଲ କରିବାକୁ ମଧ୍ୟ ସୁଯୋଗ ମିଳୁନଥିଲା। କାରଣ ଆମେରିକାରେ କୌଣସି ପେସାଧାରୀଙ୍କ ସ୍ଥାୟୀ ରହଣି ବିଷୟରେ କମ୍ପାନି ନିଶ୍ଚିତ ହେଉନଥିବାରୁ ତାଙ୍କୁ ସେ ସୁବିଧା ଦିଆଯାଉନଥିଲା ବୋଲି ଉଦୀୟମାନ ବୈଷୟିକ ବିଶେଷଜ୍ଞ ଶ୍ରୀ ଦଶାରି କହିଛନ୍ତି। ସେହିପରି ଗ୍ରିନ୍‌କାର୍ଡ ଭିସା ପାଇଁ ତାଙ୍କ ଆବେଦନ ବାରମ୍ବାର ରଦ୍ଦ ହୋଇଯିବାରୁ ସେ ଭୀଷଣ ଭାଙ୍ଗିପଡ଼ିଥିଲେ ବୋଲି ଅନୁରୂପ ଭାବେ ଗତ ଜୁଲାଇରେ ଟରଣ୍ଟୋ ପଳାଇ ଆସିଥିବା ମୁମ୍ବାଇର ସୂଚନା ପ୍ରଯୁକ୍ତି ବିଶେଷଜ୍ଞ ଗିରୀଶ ଚୌହାନ କହିଛନ୍ତି। ଅପରପକ୍ଷେ, କାନାଡ଼ାରେ ରହିବା ପାଇଁ ଭିସା ଆବେଦନର ସରଳୀକୃତ ବ୍ୟବସ୍ଥା ସହ ସହଜ ଉପଲବ୍‌ଧି ହିଁ ସେ କାନାଡ଼ା ପଳାଇ ଆସିବାକୁ ପସନ୍ଦ କରିଥିଲେ ବୋଲି ଆମେରିକାର ପିଟ୍‌ସବର୍ଗରେ ଦୀର୍ଘ ୧୮ ବର୍ଷ କାଟିଥିବା ଶ୍ରୀ ଚୌହାନ କହିଛନ୍ତି।

ସମ୍ବନ୍ଧିତ ଖବର