ଭାରତୀୟମାନେ ଅତି ମାତ୍ରାରେ ‘ଆଣ୍ଟିବାୟୋଟିକ୍‌’ ଖାଉଛନ୍ତି; ସବୁଠୁ ଅଧିକ ବ୍ୟବହାର ହେଉଛି ‘ଆଜିଥ୍ରୋମାଇସିନ୍‌’: ଲାନ୍‌ସେଟ୍‌ ଅଧ୍ୟୟନ

ଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଆଗରୁ ଓ ପରେ ଭାରତୀୟମାନେ ‘ଆଜିଥ୍ରୋମାଇସିନ୍‌’ ଭଳି ଆଣ୍ଟିବାୟୋଟିକ୍‌ର ମାତ୍ରାଧିକ ବ୍ୟବହାର କରୁଥିବା କଥା ‘ଲାନ୍‌ସେଟ୍‌ ରିଜିଓନାଲ୍‌ ହେଲ୍‌ଥ୍‌-ସାଉଥ୍‌ଇଷ୍ଟ୍‌ ଏସିଆ’ରେ ପ୍ରକାଶିତ ଗବେଷଣା ଆଲେଖ୍ୟରୁ ଜଣାପଡ଼ିଛି।

ଉକ୍ତ ଆଲେଖ୍ୟରେ ‌ଉଲ୍ଲେଖ ଅଛି, ଏଥିରୁ ଅଧିକାଂଶ ଔଷଧକୁ ‘ସେଣ୍ଟ୍ରାଲ୍‌ ଡ୍ରଗ୍‌ ରେଗୁଲେଟର୍‌’ର ଅନୁମୋଦନ ମିଳିନାହିଁ। ତେଣୁ, ଏହି ଔଷଧଗୁଡ଼ିକ ନିମନ୍ତେ ଉଲ୍ଲେଖଯୋଗ୍ୟ ନୀତି ଏବଂ ନିୟନ୍ତ୍ରଣରେ ସଂସ୍କାର ଅଣାଯିବା ଉଚିତ।

ସେପ୍ଟେମ୍ବର ୧ ତାରିଖ ଦିନ ଉକ୍ତ ପ୍ରସିଦ୍ଧ ପତ୍ରିକାରେ ପ୍ରକାଶିତ ଏହି ଗବେଷଣାତ୍ମକ ଆଲେଖ୍ୟର କୁହାଯାଇଛି ଯେ, ଆଣ୍ଟିବାୟୋଟିକ୍‌ର ଏଭଳି ଅବାଞ୍ଛନୀୟ ଉପଯୋଗ ଭ‌ାରତରେ ଆଣ୍ଟିବାୟୋଟିକ୍‌ ‘ରେଜିଷ୍ଟାନ୍‌ସ୍‌’ର (ଦେହସୁହା ହୋଇ ଅନ୍ୟାନ୍ୟ ରୋଗରେ କାମ ନ କରିବା) କାରଣ ହେଉଥିବାରୁ ଉକ୍ତ ଅଧ୍ୟୟନ ଗୁରୁତ୍ବ ବହନ କରୁଛି।

Image Courtesy of The Times of India

ଏହି ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଯେ, ଜାତୀୟ ଏବଂ ରାଜ୍ୟସ୍ତରୀୟ ନିୟନ୍ତ୍ରଣକାରୀ ଏଜେନ୍‌ସିମାନଙ୍କର କ୍ଷମତା କିଛି ମାତ୍ରାରେ ପରସ୍ପର କ୍ଷେତ୍ରକୁ ଲଙ୍ଘନ କରୁଥିବାରୁ ଦେଶରେ ଆଣ୍ଟିବାୟୋଟିକ୍‌ ମିଳିବା, ବିକ୍ରି ହେବା ଏବଂ ଖାଇବା ଆଦିରେ ଜଟିଳତା ଦେଖା ଦେଉଛି।

ଅନ୍ୟାନ୍ୟ ଅନେକ ଦେଶ ତୁଳନାରେ ଭାରତରେ ମୁଣ୍ଡପିଛା ଆଣ୍ଟିବାୟୋଟିକ୍‌ ଖାଇବା ହାର ଅପେକ୍ଷାକୃତ କମ୍‌। କିନ୍ତୁ, ଏକାଧିକ ରୋଗ ପାଇଁ ପ୍ରଯୁଜ୍ୟ ଆଣ୍ଟିବାୟୋଟିକ୍‌ର ବ୍ୟବହାର ଭାରତରେ ବହୁଳ ମାତ୍ରାରେ ହେଉଛି। ତେଣୁ, ତାହାକୁ ନିୟନ୍ତ୍ରଣ କରିବା ସହ ତା’ର ବ୍ୟବହାର ହ୍ରାସ କରାଯିବା ଉଚିତ ବୋଲି ଉକ୍ତ ଅଧ୍ୟୟନରେ ଉଲ୍ଲେଖ ଅଛି।

ଭାରତରେ ‘ଆଜିଥ୍ରୋମାଇସିନ୍‌-୫୦୦’ ସବୁଠୁ ଅଧିକ ଏବଂ ତା’ପଛକୁ ‘ସେଫିକ୍ଜିମ୍‌-୨୦୦’ର ବହୁଳ ବ୍ୟବହାର ହେଉଥିବା କଥା ଉକ୍ତ ଅଧ୍ୟୟନରୁ ଜଣାପଡ଼ିଛି।

‘ନୂଆଦିଲ୍ଲୀସ୍ଥିତ ‘ପବ୍ଲିକ୍‌ ହେଲ୍‌ଥ୍‌ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ’ର ଆଶନ୍‌ ମେହେଟ୍ଟାଙ୍କ ଅବଦାନକୁ ମଧ୍ୟ ଉକ୍ତ ଅଧ୍ୟୟନରେ ସ୍ବୀକୃତି ମିଳିଛି।

ସମ୍ବନ୍ଧିତ ଖବର