ଭାରତ ଓ ପାକିସ୍ତାନ ଆଉ ଏକ ଯୁଦ୍ଧକୁ ସମ୍ଭାଳି ପାରିବେ ନାହିଁ : ଶାହବାଜ ସରିଫ୍

ଇସ୍ଲାମାବାଦ : ଭାରତ ଓ ପାକିସ୍ତାନ ଆଉ ଏକ ଯୁଦ୍ଧକୁ ସମ୍ଭା​ଳି ପାରିବେ ନାହିଁ । ଏଣୁ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ଏକ ମାତ୍ର ପନ୍ଥା ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଦେଶର ପରମାଣୁ ଅସ୍ତ୍ର ଓ ସେନା କେବଳ ପ୍ରତିରକ୍ଷା ପାଇଁ ଉଦ୍ଦିଷ୍ଟ, ଆକ୍ରମଣ କରିବାକୁ ନୁହେଁ । ତାଙ୍କ ସେନା ଉପରେ ଅର୍ଥ ଖର୍ଚ୍ଚ କରୁଛି କେବଳ ନିଜ ସୀମାର ରକ୍ଷା କରିବା ନିମନ୍ତେ ।

ଗତ ଦୁଇ ଦିନ ମଧ୍ୟରେ ୨ୟ ଥର ପାଇଁ ସେ ଭାରତ ସହିତ ଶାନ୍ତି ପାଇଁ ଆହ୍ବାନ ଜଣାଇଛନ୍ତି । ସେ କହିଛନ୍ତି ଯେ ସମଗ୍ର ଦକ୍ଷିଣ ଏସିଆରେ ଶାନ୍ତି ପାଇଁ କଶ୍ମୀର ସମସ୍ୟାର ସମାଧାନ ଆବଶ୍ୟକ । ପୁଣି ଜାତିସଂଘ ନିୟମ ଓ କଶ୍ମରବାସୀଙ୍କ ସହମତିରେ କଶ୍ମୀର ପ୍ରସଙ୍ଗର ସମାଧାନ ହେବା ଆବଶ୍ୟକ, ସେପରି ନହେଲେ ଆଉ କୌଣସି ଉପାୟ ଦ୍ବାରା ସମାଧାନ ହେବ ନାହିଁ ।

ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ଯେ ତାଙ୍କ ଦେଶ ଭାରତ ସହ ସ୍ଥାୟୀ ଶାନ୍ତି ଚାହୁଁଛି । କାରଣ ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଏକ ବିକଳ୍ପ ନୁହେଁ । ଉଭୟ ଦେଶ ଅର୍ଥନୀତି, ବାଣିଜ୍ୟ ଓ ଲୋକଙ୍କ ଅବସ୍ଥାରେ ସୁଧାର ଆଣିବାକୁ ପ୍ରତିଦ୍ବନ୍ଦିତା କରିବା ଆବଶ୍ୟକ ।

ଗତକାଲି ସେ କହିଥିଲେ, ଭାରତ ସହ ପାକିସ୍ତାନ ଶାନ୍ତିପୂର୍ଣ୍ଣ ସଂପର୍କ ରଖିବାକୁ ଚାହୁଁଛି, ଯାହାକି ସମାନତା, ନ୍ୟାୟ, ପାରସ୍ପରିକ ସମ୍ମାନ ଉପରେ ପର୍ଯ୍ୟବେଶିତ ହୋଇଥିବ ।

 

ସମ୍ବନ୍ଧିତ ଖବର