‘ଲକ୍ଷନ୍‌ ଭୈୟା’, ବଟଲା ହାଉସ୍‌ରୁ ବିକାଶ ଦୁବେ… ଦେଶର ସାତ୍‌ ବିବାଦୀୟ ‘ଏନକାଉଣ୍ଟର’

ନୂଆଦିଲ୍ଲୀ: ଜଣେ ନୁହେଁ କି ଦି’ଜଣ ନୁହେଁ; କାନପୁରରେ ଆଠ ଜଣ ପୁଲିସଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ହତ୍ୟାକାରୀ ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଆଜି ସକାଳେ ଏନ୍‌କାଉଣ୍ଟରରେ ପୁଲିସ୍‌ ଗୁଳିରେ ପ୍ରାଣ ହରାଇବା ପରେ ପୁଣି ଥରେ ତମାମ୍‌ ଦେଶରେ ପୁଲିସ୍‌ ଏନ୍‌କାଉଣ୍ଟରକୁ କେନ୍ଦ୍ରକରି ଚର୍ଚ୍ଚା ଓ ଆଲୋଚନା। ତେବେ, ପୁଲିସ୍‌ ଏନ୍‌କାଉଣ୍ଟରକୁ କେନ୍ଦ୍ରକରି ଦେଶରେ ରାଜନୈତିକ ବିବାଦ, ବିତର୍କ କିଛି ନୂଆକଥା ନୁହେଁ। ତେବେ, ଆସନ୍ତୁ ଜାଣିବା; ୨୦୦୩ରୁ ୨୦୨୦ ଏଇ ୧୭ ବର୍ଷର ଅବଧି ମଧ୍ୟରେ ବୀରାପ୍ପାନ୍‌, ଇଶ୍ରାତ୍‌ ଜାହାନ୍‌, ବଟଲା ହାଉସ୍‌ରୁ ବିକାଶ ଦୁବେ ପର୍ଯ୍ୟନ୍ତ ୧୦ଟି ପୁଲିସ୍‌ ଏନ୍‌କାଉଣ୍ଟର ଯାହାକୁ କେନ୍ଦ୍ରକରି ଦେଶରେ ସୃଷ୍ଟି ହୋଇଛି ରହସ୍ୟ ଓ ବିବାଦ …

ଦୁର୍ଦ୍ଦାନ୍ତ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ

ଆଠଜଣ ପୁଲିସ୍‌ଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଗତକାଲି ପୁଲିସ୍‌ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଗିରଫ କରିବାପରେ ୟୁପି ପୁଲିସର ସ୍ୱତନ୍ତ୍ର ଟାସ୍କଫୋର୍ସ ତାକୁ ଆଜି ସୁରକ୍ଷା ବଳୟ ମଧ୍ୟରେ କାନପୁରକୁ ଆଣୁଥିବା ବେଳେ ସେ ବସିଥିବା ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଏହି ସୁଯୋଗରେ ଗ୍ୟାଙ୍ଗଷ୍ଟର ବିକାଶ ସେହି ଗାଡ଼ିରେ ତା’ସହ ଆସୁଥିବା ପୁଲିସ୍‌ କର୍ମୀଙ୍କ ଠାରୁ ବନ୍ଧୁକ ଛଡ଼ାଇ ନେଇ ସେମାନଙ୍କ ଉପରକୁ ଗୁଳି ଚଳାଇ ଆଉଥରେ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଅଟକାଇବା ପାଇଁ ପୁଲିସ୍‌ ତା’ ଉପରକୁ ଗୁଳି ଚଳାଇଥିଲା। ପୁଲିସ୍‌ର ତିନିଟି ଗୁଳି ତା’ ଛାତିରେ ଗଳି ଯିବାପରେ ସେଇଠା ହିଁ ଟଳି ପଡ଼ିଥିଲା ଗ୍ୟାଙ୍ଗଷ୍ଟର ବିକାଶ। ଏବଂ ପରବର୍ତ୍ତୀ ସମୟରେ ଏହି ଏନ୍‌କାଉଣ୍ଟରକୁ କେନ୍ଦ୍ରକରି ଆରମ୍ଭ ହୋଇଯାଇଛି ବିବାଦ, ବତର୍କ।

ହାଇଦ୍ରାବାଦର ଡାକ୍ତରାଣୀ ଦୁଷ୍କର୍ମକାରୀ ଏନ୍‌କାଉଣ୍ଟର

ଡିସେମ୍ବର ୨୦୧୯ରେ ହାଇଦ୍ରାବାଦର ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି ହତ୍ୟା ଅଭିଯୋଗରେ ଚାରି ଜଣଙ୍କୁ ଏନ୍‌କାଉଣ୍ଟରରେ ତେଲେଙ୍ଗାନା ପୁଲିସ ଗୁଳି କରି ହତ୍ୟା କରିଥିଲା। ତଦନ୍ତ କାଳରେ ଘଟଣା ଘଟିଥିବା ସ୍ଥାନରେ ସରଜମିନ ତଦନ୍ତ ପାଇଁ ଅଭଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନିଆ ଯାଇଥିଲା। ହେଲେ, ଏହି ଚାରିଜଣ ଅଭିଯୁକ୍ତ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିବାରୁ ପୁଲିସ୍‌ ନିଜର ଆତ୍ମରକ୍ଷା ପାଇଁ ଏହି ଏନ୍‌କାଉଣ୍ଟର କରିଥିବା କହିଥିଲା।

ଭୋପାଳ ଜେଲ ଏନକାଉଣ୍ଟର

ଅକ୍ଟୋବର ୨୦୧୬ରେ, ଷ୍ଟୁଡେଣ୍ଟସ୍‌ ଇସଲାମିକ୍‌ ମୁଭମେଣ୍ଟ ଅଫ୍‌ ଇଣ୍ଡିଆ (ସିମି) ସହିତ ଜଡିତ ଆଠ ଜଣ ବ୍ୟକ୍ତି ଭୋପାଳ ସେଣ୍ଟ୍ରାଲ ଜେଲରୁ ପଳାଇ ଯାଇଥିଲେ ଏବଂ ପରେ ରାଜ୍ୟ ପୁଲିସ ତାଙ୍କୁ ଏନ୍‌କାଉଣ୍ଟର କରି ହତ୍ୟା କରିଥିଲା। ଜେଲ୍‌ରୁ ଖସି ପଳାଉବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହିଥିଲା। ହେଲେ, ସେମାନେ ପୁଲିସ ଓ ସାଧାରଣ ଜନତାଙ୍କ ଉପରକୁ ଗୁଳି ଚଳାଇବାରୁ ସେମାନଙ୍କର ଏନ୍‌କାଉଣ୍ଟର କରିଥିଲା ପୁଲିସ୍‌। ଏହି ଏନ୍‌କାଉଣ୍ଟରକୁ କେନ୍ଦ୍ରକରି ଦେଶରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମଧ୍ୟପ୍ରଦେଶ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏସ୍‌କେ ପାଣ୍ଡେ ଏହି ଏନ୍‌କାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ କରି ପୁଲିସ୍‌କୁ କ୍ଲିନ୍‌ଚିଟ୍‌ ଦେଇଥିଲେ।

ମଣିପୁରରେ ବିଚାରାଧୀନଙ୍କୁ ହତ୍ୟା

ମଣିପୁରରେ ପୁଲିସ ଏବଂ ସୁରକ୍ଷା ବାହିନୀ ଦ୍ୱାରା ବିଚାରାଧୀନଙ୍କୁ ହତ୍ୟା ମାମଲା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ୧ ସେପ୍ଟେମ୍ବର ୨୦୧୦ରେ ଏହି ଏନ୍‌କାଉଣ୍ଟର ସଂଘଟିତ ହୋଇଥିଲା। ଏହି ଘଟଣାର ତଦନ୍ତ ସିବିଆଇ ପକ୍ଷରୁ କରାଯାଇ ୨୦୧୯ରେ ଘଟଣାରେ ସଂପୃକ୍ତ ଜଣେ ଇନସପେକ୍ଟରଙ୍କ ସମେତ ୪ ଜଣ ପୁଲିସ୍‌ କର୍ମୀଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରି ସିବିଆଇ ଚାର୍ଜସିଟ ଦାଖଲ କରିବା ପରେ ଫେବ୍ରୁଆରି ୨୦୨୦ରେ ଅଭିଯୁକ୍ତ ଇନ୍‌ସପେକ୍ଟରଙ୍କ ସମେତ ଚାରି ମଣିପୁର ପୁଲିସ୍‌ ଇମ୍ଫାଲ୍‌ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

ବାଟଲା ହାଉସ୍‌

ରାଜଧାନୀ ଦିଲ୍ଲୀରେ ୨୦୦୮ରେ ହୋଇଥିବା ବଟଲା ହାଉସ ଏନକାଉଣ୍ଟର ଜାତୀୟ ଅତ୍ୟନ୍ତ ସମ୍ବେଦନଶୀଳ ଓ ବିବାଦୀୟ ହୋଇପଡ଼ିଥିଲା ବଲିଉଡ୍‌ରେ ଏହା ଉପରେ ଏକ ଫିଲ୍ମ ମଧ୍ୟ ନିର୍ମିତ ହୋଇଥିଲା। ୧୯ ସେପ୍ଟେମ୍ବର ୨୦୦୮ରେ, ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଜାମିଆ ନାଗରର ବାଟଲା ହାଉସରେ ଏହି ଏନକାଉଣ୍ଟର କରିଥିଲା ଯେଉଁଠାରେ ଇନ୍‌ସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କ ସମେତ ଦୁଇଜଣ ଭାରତୀୟ ମୁଜାହିଦ୍ଦିନ ଆତଙ୍କବାଦୀ ନିହତ ହୋଇଥିଲେ। ଏନକାଉଣ୍ଟର ବିଶେଷଜ୍ଞ ଭାବେ ବିବେଚିତ ଇନସ୍‌ପେକ୍ଟର ଶର୍ମାଙ୍କ ନେତୃତ୍ୱରେ ଏହି ଅପରେସନ୍‌ ହୋଇଥିଲା। ଅନେକେ ଏନକାଉଣ୍ଟରର ସତ୍ୟତା ଉପରେ ପ୍ରଶ୍ନ କରିଥିଲେ ଏବଂ ଏହା ମଞ୍ଚସ୍ଥ ହୋଇଥିବା ଦାବି କରିଥିଲେ। ହେଲେ, ପରବର୍ତ୍ତୀ ସମୟରେ ଜାତୀୟ ମାନବ ଅଧିକାର ଆୟୋଗ ଏହି ଏନ୍‌କାଉଣ୍ଟରର ତଦନ୍ତ କରି ଦିଲ୍ଲୀ ପୁଲିସକୁ କ୍ଲିନ୍‌ଚିଟ୍‌ ପ୍ରଦାନ କରିଥିଲେ।

ରାମ ନାରାୟଣ ଗୁପ୍ତା

ରାମ ନାରାୟଣ ଗୁପ୍ତା ଓରଫ ‘ଲକ୍ଷନ୍‌ ଭୈୟା’ ଥିଲା କୁଖ୍ୟାତ ଅଣ୍ଡରଓ୍ଵାର୍ଲଡ୍‌ ଡନ୍‌ ଛୋଟା ରାଜନର ଘନିଷ୍ଠ ସହଯୋଗୀ। ୨୦୦୬ରେ ମୁମ୍ବାଇ ପୁଲିସ ତାଙ୍କୁ ଭାସିରୁ ଉଠାଇ ଭର୍ସୋଭାରେ ଏକ ଏନକାଉଣ୍ଟରରେ ହତ୍ୟା କରିଥିଲା। ଏହି ଏନ୍‌କାଉଣ୍ଟର ମଧ୍ୟଥିଲା ଦେଶର ଏକ ଚର୍ଚ୍ଚିତ ଏନ୍‌କାଉଣ୍ଟର।।

ସୋହରାବୁଦ୍ଦିନ ଶେଖ୍‌

ନଭେମ୍ବର ୨୦୦୬ରେ, ସୋହରାବୁଦ୍ଦିନ ଶେଖ ଏବଂ ତାଙ୍କ ପତ୍ନୀ କୌସର ହାଇଦ୍ରାବାଦରୁ ମହାରାଷ୍ଟ୍ରର ସାଙ୍ଗଲି ଅଭିମୁଖେ ଯାତ୍ରା କରୁଥିବାବେଳେ ଗୁଜୁରାଟ ପୁଲିସ୍‌ ସେମାନଙ୍କୁ ମଝି ବାଟରୁ ଉଠାଇ ଆଣି ଅହମ୍ମଦାବାଦ ଉପକଣ୍ଠରେ ଥିବା ଏକ ଫାର୍ମହାଉସରେ ଅଟକ ରଖିଥିଲା। ଏହାର ତିନି ଦିନ ପରେ ତତ୍କାଳୀନ ଏଟିଏସ୍‌ ମୁଖ୍ୟ ଡିଜି ଭେଞ୍ଜାରା ଶେଖ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ଗଣମାଧ୍ୟମକୁ କହିଥିଲେ। ସୋହରାବୁଦ୍ଦିନ ଶେଖ୍‌ ଜଣେ ଆତଙ୍କବାଦୀ ଥିଲା ଓ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା କୁହାଯାଇଥିଲା।

ସମ୍ବନ୍ଧିତ ଖବର