ନୂଆଦିଲ୍ଲୀ: ଭାରତର ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ କତରରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ଗତକାଲି କତରର କୋର୍ଟ ଅଫ୍ ଫାଷ୍ଟ୍ ଇନଷ୍ଟାନ୍ସ ଦଣ୍ଡାଦେଶ ଦେବା ପରେ ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ ବିବୃତି ଜାରି କରାଯାଇଛି। ୨୦୨୨ ଅଗଷ୍ଟ ୮ରୁ ଭାରତୀୟ ଅଧିକାରୀମାନେ ଏକ ବୁଡ଼ାଜାହାଜ କାର୍ଯ୍ୟକ୍ରମ ମାମଲାରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗର ଶିକାର ହୋଇଛନ୍ତି। ମୃତ୍ୟୁ ଦଣ୍ଡାଦେଶ ପାଇଥିବା ପୂର୍ବତନ ଭାରତୀୟ ନୌସେନା ଅଧିକାରୀମାନେ ହେଲେ କ୍ୟାପଟେନ ନବତେଜ୍ ସିଂହ ଗିଲ୍, କ୍ୟାପଟେନ ବିରେନ୍ଦ୍ର କୁମାର ବର୍ମା, କ୍ୟାପଟେନ ସୌରଭ ବଶିଷ୍ଠ, କମାଣ୍ଡର ଅମିତ୍ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁନାକର ପାକଲ, କମାଣ୍ଡର ସଂଜୀବ ଗୁପ୍ତା ଏବଂ ନାବିକ ରାଗେଶ। ଗତବର୍ଷ ଅଗଷ୍ଟରେ ସେମାନଙ୍କୁ ଦୋହାରୁ କତର ଗୁଇନ୍ଦା ଏଜେନ୍ସି ଗିରଫ କରିଥିଲା। କତର ଅଦାଲତର ରାୟ ଆସିବା ପରେ ଭାରତରେ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ତେବେ ଭାରତ ପକ୍ଷରୁ ଏମାନଙ୍କୁ କି ଉପାୟରେ ସୁରକ୍ଷା ଦିଆଯାଇ ପାରିବ ସେ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ଆନନ୍ଦ ଗ୍ରୋଭର ଏ ନେଇ ରହିଥିବା ବିକଳ୍ପ ଉପରେ ଆଲୋକପାତ କରିଛନ୍ତି। ସେହି ବିକଳ୍ପ ଗୁଡ଼ିକ ହେଲା
୧. କତରର ନ୍ୟାୟିକ ବ୍ୟବସ୍ଥା ଅନୁଯାୟୀ ସେଠାରେ ଏମାନଙ୍କ ମୁକ୍ତି ପାଇଁ ଆବେଦନ କରିବା।
୨. ଯଦି ଯଥାଯଥ ପଦ୍ଧତି ଅନୁସରଣ ହୋଇ ନଥାଏ କିମ୍ବା ଆବେଦନ ପକ୍ରିୟାକୁ ହାତଛଡ଼ା କରାଯାଇଥାଏ ତା’ହେଲେ ଭାରତ ଅନ୍ତର୍ଜାତୀୟ ଅଦାଲତ ବା ଆଇସିଜେରେ ଆବେଦନ କରିପାରିବ।
୩. ମୃତ୍ୟୁ ଦଣ୍ଡାଦେଶକୁ ରୋକିବା ପାଇଁ ଭାରତ କୂଟନୈତିକ ଚାପ ପ୍ରୟୋଗ କରିପାରିବ।
୪. ନାଗରିକ ସମାଜ ଏବଂ ବେସରକାରୀ ସଂଗଠନ (ଏନଜିଓ)ଗୁଡ଼ିକ ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ସ୍ତରରେ ଉଠାଇ ପାରିବେ। ଜାତିସଂଘ ଜରିଆରେ ଚାପ ମଧ୍ୟ ସୃଷ୍ଟି କରାଯାଇପାରେ। ଏହା ବ୍ୟତୀତ ଆଇନଜୀବୀ ଗ୍ରୋଭର କହିଛନ୍ତି, ଏହି ଭାରତୀୟମାନଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଭାବେ କେଉଁସବୁ ଅଭିଯୋଗ ମାନ ଲଗାଯାଇଛି ଏବଂ ରାୟ କ’ଣ ରହିଛି ବିସ୍ତୃତ ଭାବେ ତାହା ଉପଲବ୍ଧ ହୋଇନାହିଁ। ତେଣୁ ଆମେ ଏହା ଉପରେ ମତ ରଖିପାରିବା ନାହିଁ। ସରକାର, ଏନ୍ଜିଓ ଏବଂ ଗଣମାଧ୍ୟମ ଏହି ପ୍ରସଙ୍ଗରେ ସତର୍କତାର ସହିତ ମତ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଅନ୍ତର୍ଜାତୀୟ ଆଇନ ଏବଂ ଆଇସିସିପିଆର୍ (ଇଣ୍ଟରନ୍ୟାସନାଲ କୋଭେନାଣ୍ଟ ଅନ୍ ସିଭିଲ୍ ଆଣ୍ଡ୍ ପଲିଟିକାଲ ରାଇଟ୍ସ)ର ବ୍ୟବସ୍ଥା ଅନୁଯାୟୀ ମୃତ୍ୟୁଦଣ୍ଡ ସାଧାରଣ କ୍ଷେତ୍ରରେ ଦିଆଯିବା ଉଚିତ ନୁହେଁ। କେବଳ କେତେକ ନିର୍ଦ୍ଦିଷ୍ଟ ବିରଳ ମାମଲାରେ ଏହା ଦିଆଯିବା ଆବଶ୍ୟକ।