ଭାରତ ହିନ୍ଦୁ ରାଷ୍ଟ୍ର: ଆର୍‌ଏସ୍‌ଏସ୍‌ ମୁଖ୍ୟ ଭାଗବତ

ଗୌହାଟି: ରବିବାର ଦିନ ଖାନାପଡ଼ା ଭେଟେରିନାରି କଲେଜ ପଡ଼ିଆରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଏକ ବିଶାଳ ଜନସମାବେଶର ଆୟୋଜନ କରିଥିଲା। ମୋହନ ଭାଗବତଙ୍କ ଅଭିଭାଷଣ ଶୁଣିବାକୁ ଏଥିରେ ପ୍ରାୟ ୫୦ ହଜାର ଲୋକ ଯୋଗ ଦେଇଥିଲେ।
ଭାଗବତ କହିଛନ୍ତି: ଭାରତ ଆଉ ପାକିସ୍ତାନକୁ ଶତ୍ରୁ ମନେ କରୁ ନାହିଁ, କିନ୍ତୁ ପାକିସ୍ତାନ ଭାରତ ପ୍ରତି ସେ ଭଳି ମନୋଭାବ ପୋଷଣ କରୁନାହିଁ। ଏବେ ମହେଞ୍ଜୋଦାରୋ ଓ ହଡ଼ପ୍ପା ସଭ୍ୟତା ପାକିସ୍ତାନରେ। ତାହା ଭାରତର ଅଂଶବିଶେଷ। କିନ୍ତୁ, ପାକିସ୍ତାନ ତାହାକୁ ସ୍ୱୀକୃତି ଦେବାକୁ ଚାହୁଁ ନାହିଁ। ହିନ୍ଦୁତ୍ୱ ଗ୍ରହଣ କରିବାକୁ ଇଚ୍ଛା କରୁ ନ ଥିବାରୁ ପାକିସ୍ତାନ ଏକ ଭିନ୍ନ ରାଷ୍ଟ୍ର ହୋଇଛି।

ବାଂଲାଦେଶ ପ୍ରତି ମଧ୍ୟ ସେହି ଏକା ଯୁକ୍ତି ଦର୍ଶାଇ ସେ ଆହୁରି କହିଛନ୍ତି: ଲୋକେ ବଙ୍ଗଳା କହୁଥିବା ସତ୍ତ୍ୱେ ବାଂଲାଦେଶ ଏକ ଭିନ୍ନ ଦେଶ ହୋଇଛି କାହିଁକି? କାରଣ ସେ ଦେଶ ହିନ୍ଦୁତ୍ୱ ସହ ସମ୍ବନ୍ଧ ରଖିବାକୁ ଚାହୁଁ ନାହିଁ। ଭାଗବତଙ୍କ କହିବାନୁସାରେ, ଭାଷା, ଧର୍ମ, ଜୀବନଶୈଳୀ ଓ ପ୍ରଥା ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ହିନ୍ଦୁତ୍ୱ ହିଁ ଭାରତୀୟ ଐକ୍ୟ ବଜାୟ ରଖିଛି। ହନ୍ଦୁତ୍ୱ ବିବିଧତା ଗ୍ରହଣ କରେ, ବିଭାଜନ ନୁହେଁ। ସେଇଥି ପାଇଁ ହିଁ ଭାରତ ହିନ୍ଦୁ ରାଷ୍ଟ୍ର।

ଆସାମର ବ୍ରହ୍ମପୁତ୍ର ଉପତ୍ୟକା, ନାଗାଲାଣ୍ଡ ଏବଂ ମେଘାଳୟର ସମଷ୍ଟିରେ ଗଠିତ ଉତ୍ତର ଆସାମ ଜୋନ୍‌ ଏହି ସଭା ଆୟୋଜନ କରିଥିଲା। ଆସାମ ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ, ରାଜ୍ୟର ମନ୍ତ୍ରୀ ଓ ଜନଜାତି ରାଜାମାନେ ଏହି ସଭାରେ ଯୋଗ ଦେଇଥିଲେ। ଶକ୍ତି ପ୍ରଦର୍ଶନ ପାଇଁ ନୁହେଁ ଲୋକମାନଙ୍କୁ ଭାରତର ନିର୍ଯାସ ହିନ୍ଦୁତ୍ୱ ବୋଲି ଦେଖାଇବାକୁ ଏହି ସମ୍ମେଳନ ଆୟୋଜନ କରାଯାଇଥିବା କଥା କହିଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ। ସେ ଆହୁରି କହିଥିଲେ, ଭାରତ ଶକ୍ତିଶାଳୀ ହେବା ଆବଶ୍ୟକ, ନୂତନ ଦେଶ ଅକ୍ତିଆର କରିବାକୁ ନୁହେଁ, ଲୋକଙ୍କ ହୃଦୟ ଜିଣିବାକୁ।

ସମ୍ବନ୍ଧିତ ଖବର