ନୂଆଦିଲ୍ଲୀ: ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏବେ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି। ‘ସୁଦର୍ଶନ ଏସ-୪୦୦ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା’ ନିକଟରେ ହୋଇଥିବା ଏକ ସମରାଭ୍ୟାସରେ ଚମକପ୍ରଦ ସଫଳତା ହାସଲ କରିଛି। ‘ଶତ୍ରୁ’ ଲଢୁଆ ବିମାନ ପ୍ୟାକେଜ୍‌ର ୮୦ ପ୍ରତିଶତ ଅସ୍ତ୍ରକୁ ଏହା ଆକାଶରେ ଧ୍ବଂସ କରିଦେଇଥିବା ବେଳେ ଅନ୍ୟଗୁଡ଼ିକ ପଛକୁ ହଟିଯିବାକୁ ବାଧ୍ୟ କରିଛି। ଏକ ଥିଏଟର ପ୍ରକ୍ରିୟାରେ ଏହି ସମରାଭ୍ୟାସ ସଂପୂର୍ଣ୍ଣ ହେବାପରେ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବ୍ୟାପକ ଭାବେ ସଂଗଠିତ ଓ ସମନ୍ବିତ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ପ୍ରମାଣିତ ହୋଇଛି।

Advertisment

ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ବାୟୁସେନା ପକ୍ଷରୁ ଏକ ଏସ୍‌-୪୦୦ର କ୍ଷମତା ପ୍ରଦର୍ଶନ କରିବାକୁ ସମରାଭ୍ୟାସ କରାଯାଇଥିଲା, ଯେଉଁଠାରେ ବାୟୁସେନା ଏହି ପ୍ରତିରକ୍ଷା ବ୍ୟବସ୍ଥାର ଏକ ସ୍କ୍ୱାଡ୍ରନକୁ ଦୀର୍ଘ ଦୂରତା ବିଶିଷ୍ଟ ବାୟୁ ଅସ୍ତ୍ର ଧ୍ବସ୍ତ କରିବାରେ ନିୟୋଜିତ କରିଥିଲା। ଏହି ପ୍ରକ୍ରିୟାରେ ବିଭିନ୍ନ ଯୁଦ୍ଧ ବିମାନ ଏବଂ ଏଥିରୁ ପ୍ରୟୋଗ କରାଯାଇଥିବା ସମସ୍ତ ଯୁଦ୍ଧାସ୍ତ୍ରକୁ ତତ୍‌କ୍ଷଣାତ ଠାବ କରି ଏସ୍‌-୪୦୦ ଆକ୍ରମଣ କରିଥିଲା ଏବଂ ଏଥିରେ ଶତ ପ୍ରତିଶତ ସଫଳତା ମିଳିଛି। ଭାରତୀୟ ବାୟୁସେନା ଏବେ ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ସମନ୍ୱିତ କରିଥିବାରୁ ଏକକାଳୀନ ଚୀନ୍‌ ଓ ପାକିସ୍ତାନର ମୁକାବିଲା ପାଇଁ ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ଏବେ ଭାରତୀୟ ସେନାରେ ୩ଟି ଏସ୍‌-୪୦୦ ସ୍କ୍ୱାଡ୍ରନ୍ ସାମିଲ ହୋଇସାରିଛି ଏବଂ ୨୦୨୬ରେ ଆଉ ଦୁଇଟି ସ୍କ୍ୱାଡ୍ରନ୍ ସାମିଲ ହେବ ବୋଲି ଆଶା କରାଯାଉଛି। ଏହି ସିଷ୍ଟମଗୁଡ଼ିକର ଯୋଗାଣ ତ୍ୱରାନ୍ୱିତ କରିବାକୁ ଭାରତ ରୁଷ୍‌କୁ ଅନୁରୋଧ କରିଛି।

ଏସ-୪୦୦ର ପାଞ୍ଚଟି ସ୍କ୍ୱାଡ୍ରନ ପାଇଁ ଭାରତ ଓ ରୁଷିଆ ମଧ୍ୟରେ ୩୫ ହଜାର କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ ହୋଇଛି। ନିକଟରେ ସ୍ୱଦେଶୀ ଏମ୍‌ଆର-ସାମ୍, ଆକାଶ କ୍ଷେପଣାସ୍ତ୍ର ବ୍ୟବସ୍ଥା ଏବଂ ଇସ୍ରାଏଲର ‘ସ୍ପାଇଡର୍ କ୍ଷେପଣାସ୍ତ୍ର ବ୍ୟବସ୍ଥା’ ପାଇଥିବା ଭାରତୀୟ ବାୟୁସେନା ବିଶ୍ୱାସ କରୁଛି ଯେ ଆଗକୁ ବାୟୁ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏକ ଅଭେଦ୍ୟ ସୁରକ୍ଷା କବଚ ସୃଷ୍ଟି କରିବାକୁ ଯାଉଛି। ଭାରତୀୟ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ନିକଟରେ ପ୍ରୋଜେକ୍ଟ ‘କୁଶା’ ଅଧୀନରେ ଭାରତୀୟ ଦୀର୍ଘ ଦୂରତା ‘ଭୂପୃଷ୍ଠ ବାୟୁ କ୍ଷେପଣାସ୍ତ୍ର ବ୍ୟବସ୍ଥା’ କିଣିବାକୁ ମଞ୍ଜୁରୀ ଦେଇଛି। ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏହି ପ୍ରକଳ୍ପକୁ ଅନୁମୋଦନ ଦେବା ପରେ ଏ ବାବଦ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ବାସ୍ତବ ନିୟନ୍ତ୍ରଣ ରେଖା ଅଂଚଳରେ ଚୀନ୍ ଅନେକ ‘ବାୟୁ ପ୍ରତିରକ୍ଷା ବ୍ୟବସ୍ଥା’ ମୁତୟନ କରିଥିବା ବେଳେ ଭାରତ ମଧ୍ୟ ଏହାର ମୁକାବିଲା ପାଇଁ ସୁଦୃଢ଼ ପଦକ୍ଷେପ ନେଇଛି।