ଭୂପୃଷ୍ଠରୁ ୨୨୦୦ କିମି ଉଚ୍ଚତାକୁ ପଳାଇଗଲାଣି ଧ୍ୱଂସପାଇଥିବା ଭାରତୀୟ ସାଟେଲାଇଟର ଅଂଶବିଶେଷ, ଧ୍ୱଂସ ହେବାକୁ ବର୍ଷେ ଲାଗିବ : ଆମେରିକୀୟ ସଂସ୍ଥାର ଦାବି

ନୂଆଦିଲ୍ଲୀ : ଗତ ମାର୍ଚ୍ଚ ୨୭ରେ ଭାରତ ପରୀକ୍ଷା କରିଥିବା ଆଣ୍ଟି-ସାଟେଲାଇଟ ମିସାଇଲ ପରୀକ୍ଷାକୁ ନେଇ ବିବାଦ ଥମୁ ନାହିଁ । ଭୂପୃଷ୍ଠରୁ ୩୦୦ କିମି ଦୂରରେ ଏହି ପରୀକ୍ଷା କରାଯାଇଥିଲା ଏଣୁ ଏଥିରୁ ସୃଷ୍ଟ ଧ୍ୱଂସାବଶେଷ ମାତ୍ର ୬ ମାସରେ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଧ୍ୱଂସ ପାଇଯିବ ବୋଲି ଭାରତର ମହାକାଶ ସଂସ୍ଥା ଇସ୍ରୋ ଦାବି କରିଛି । କିନ୍ତୁ ଆମେରିକାର ଏକ ଗବେଷଣା ସଂସ୍ଥା ଆନାଲିଟିକାଲ ଗ୍ରାଫିକ୍ସ ଦାବି କରିଛି ଯେ କିଛି ଧ୍ୱଂସାବଶେଷ ପୃଥିବୀପୃଷ୍ଠରୁ ପ୍ରାୟ ୨୨୦୦ କିଲୋମିଟର ଉଚ୍ଚକୁ ପଳାଇଯାଇଛି । ଏହାର ଅର୍ଥ ହେଉଛି ଏଗୁଡ଼ିକ ଧ୍ୱଂସ ହେବାକୁ ପ୍ରାୟ ୧ ବର୍ଷରୁ ଅଧିକ ସମୟ ଲାଗିବ ।
ଏହା ପୂର୍ବରୁ ଏଥିରୁ ସୃଷ୍ଟି ହୋଇଥିବା ଧ୍ୱଂସାବଶେଷକୁ ନେଇ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଚିନ୍ତା ପ୍ରକଟ କରିବା ପରେ ତାହାର ଜବାବ ଦେଇଥିଲେ ଭାରତୀୟ ବୈଜ୍ଞାନିକ । ଡିଆରଡିଓର ପୂର୍ବତନ ମୁଖ୍ୟ ଭି.କେ. ସାରସ୍ୱତ କହିଥିଲେ ଯେ ନାସାର ଏପରି ଆଶଙ୍କା ଆମୂଳକ । କାରଣ କୌଣସି ଶକ୍ତି ନଥାଇ ଏସବୁ ଖଣ୍ଡବିଖଣ୍ଡିତ ସାମଗ୍ରୀଗୁଡ଼ିକ ମହାକାଶରେ ବେଶୀ ଦିନ ରହିପାରିବ ନାହିଁ । ଏଗୁଡ଼ିକ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଧ୍ୱଂସ ପାଇଯିବ । ଏଣୁ ଏହା ଦ୍ୱାରା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପ୍ରତି ବିପଦ ରହିବା କଥା ଅମୂଳକ ।

ସମ୍ବନ୍ଧିତ ଖବର