ଚୀନ ସୀମାରେ ଭାରତ ଏୟାରଷ୍ଟ୍ରିପ, ସୁଡଙ୍ଗ, ସଡ଼କ ନିର୍ମାଣ କରୁଛି : ରାଜନାଥ

ନୂଆଦିଲ୍ଲୀ : ଚୀନର ପ୍ରଭାବର ମୁକାବିଲା କରିବା ପାଇଁ ଭାରତ ସୀମାରେ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରତିଷ୍ଠା କରୁଛି । ଏସବୁ ଭିତ୍ତିଭୂମି ମଧ୍ୟରେ ସଡ଼କ, ରେଳପଥ, ସୁଡଙ୍ଗ ଓ ଏୟାରଷ୍ଟ୍ରିପ ଆଦି ରହିଛି । ଏଗୁଡିକ କାର୍ଯ୍ୟକ୍ଷମ ହେବା ପରେ ସୀମାବର୍ତ୍ତୀ ଅଞ୍ଚଳକୁ ଭାରତୀୟ ସେନା ସହଜରେ ଯାଇପାରିବ ବୋଲି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ଲୋକସଭାରେ କଂଗ୍ରେସ ସଦସ୍ୟ ଅଧୀରରଞ୍ଜନ ଚୌଧୁରୀଙ୍କ ପ୍ରଶ୍ନର ଏକ ଉତ୍ତର ଦେଇ ସେ କହିଛନ୍ତି ଯେ ଚୀନସେନାର ଯେକୌଣସି ଦୁଃସାହାସ ପାଇଁ ଭାରତୀୟ ସେନା ସବୁବେଳେ ପ୍ରସ୍ତୁତ ରହିଛି । ଭାରତୀୟ ସେନାର ସାମର୍ଥ୍ୟ ଉପରେ କେହି ସଂଦେହ କରିବା ଉଚିତ ନୁହେଁ । ରାଜନାଥ କହିଛନ୍ତି ଯେ ଭାରତ ଓ ଚୀନ ମଧ୍ୟରେ କୌଣସି ଧାର୍ଯ୍ୟ ସୀମା ନାହିଁ । ଏଣୁ କେତେବେଳେ ତାଙ୍କ ସେନା ଆମପଟକୁ ଓ କେତେବେଳେ ଆମ ସେନା ତାଙ୍କ ପଟକୁ ପ୍ରବେଶ କରୁଛନ୍ତି ।
କଂଗ୍ରେସ ନେତା ଚୌଧୁରୀ ଏକ ପ୍ରଶ୍ନ ରଖି କହିଥିଲେ ଯେ ପାକିସ୍ତାନ କଥା ଉଠିଲେ ଭାରତ ବଡ଼ ବଡ଼ କଥା କହୁଛି । କିନ୍ତୁ ଚୀନ ସେନା ବାରମ୍ବାର ଆମ ସୀମା ମଧ୍ୟରେ ଅନୁପ୍ରବେଶ କରୁଥିଲେ ମଧ୍ୟ ଭାରତ ନରମ ମନୋଭାବ ଦେଖାଉଛି । ଏପରିକି ଆଣ୍ଡାମାନ ପର୍ଯ୍ୟନ୍ତ ଚୀନର ଜାହାଜ ପଶିଆସୁଛି । ଏଦିଗରେ ସରକାର କଣ ପଦକ୍ଷେପ ନେଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ ।

ସମ୍ବନ୍ଧିତ ଖବର