ନୂଆଦିଲ୍ଲୀ: ଭାରତ ପାଇଁ ଆଜି ଗର୍ବ ଓ ଗୌରବର ଦିନ । ଆଉ କିଛି ସମୟ ପରେ ମହାକାଶ ଅଭିଯାନ କ୍ଷେତ୍ରରେ ଭାରତର ନାଁକୁ ସ୍ବର୍ଣ୍ଣାକ୍ଷରେ ଲେଖିବେ ଭାରତର ସୁନାପୁଅ ଶୁଭାଂଶୁ । କାରଣ ଆଜି ମହାକାଶ ଯିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଏକାଧିକଥର ବାତିଲ ପରେ ଆଜି ମଧ୍ୟାହ୍ନରେ ଉଡ଼ାଣ ଭରିବ ସ୍ପେଶ୍ ଏକ୍ସର ମିଶନ୍ ଆକ୍ସିଅମ୍ (ଏଏକ୍ସ-୪) । ଭାରତୀୟ ସମୟ ମଧ୍ୟାହ୍ନ ୧୨.୧ରେ ଆରମ୍ଭ ହେବ ଅଭିଯାନ । ଏନେଇ ନାସା ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇଛି।

Advertisment

୧୨ଟା ୦୧ରେ ମିଶନ୍ ଆକ୍ସିଅମ୍ ଫୋର୍ ଉଡ଼ାଣ ଭରିବାକୁ ଥିବା ବେଳେ ୩ ମହାକାଶଚାରୀଙ୍କ ସହ ଉଡ଼ାଣ ଭରିବେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । ‘ନାସାର କେନେଡ଼ି ସ୍ପେଶ ସେଣ୍ଟରରୁ ସ୍ପେସ ଏକ୍ସ ଡ୍ରାଗନ୍ ଜରିଆରେ ମହାକାଶକୁ ଯିବେ ଶୁଭାଂଶୁ ।

ତେବେ ପୁଅର ଏହି ମହାକାଶ ଅଭିଯାନ ଏବଂ ସଫଳତାରେ ଖୁସି ହୋଇଛନ୍ତି ଭାରତର ଉତ୍ତରପ୍ରଦେଶରେ ରହୁଥିବା ଶୁଭାଂଶୁଙ୍କ ବାପାମାଆ । ଶୁଭାଂଶୁଙ୍କ ମାଆ ଆଶା ଶୁକ୍ଳା କହିଛନ୍ତି- ଏହା ଆମ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ଗର୍ବର ମୁହୂର୍ତ୍ତ। ପୁଅକୁ ଶୁଭେଚ୍ଛା ଜଣାଇ ସବୁଠି ପୋଷ୍ଟର ଲଗାହୋଇଛି। ସମସ୍ତେ ଖୁସି ଯେ ଦେଶର ତ୍ରିବେଣୀ ନଗରର ଜଣେ ପିଲା ଆଜି ମହାକାଶକୁ ଉଡାଣ ଭରିବାରୁ ଯାଉଛି । ଆମର ଶୁଭେଚ୍ଛା ଏବଂ ଆଶୀର୍ବାଦ ପୁଅ ପାଇଁ ରହିଛି । ବୋହୂ ବିନା ପୁଅର ଏ ଯାତ୍ରା ସମ୍ଭବ ହୋଇପାରିନଥାନ୍ତା ।

ସେପଟେ ବାପା କହିଛନ୍ତି- ପୁଅର ମିଶନ୍ ପ୍ରାୟ ଦିନ ୧୨ଟାରେ ଆରମ୍ଭ ହେବ । ଆମେ ତା ମିଶନର ଶୁଭାରମ୍ଭ ଦେଖିବାକୁ ବହୁତ ଉତ୍ସାହିତ। ଆମେ ବହୁତ ଖୁସି ବି ଅଛୁ । ଆମର ଆଶୀର୍ବାଦ ତା ସହିତ ଅଛି, ତା ମିଶନ୍ ଭଲରେ ସରୁ ଏଥିପାଇଁ ଠାକୁରଙ୍କୁ ପ୍ରାର୍ଥନା କରୁଛୁ ।