ଭାରତର କରୋନା ସଂକ୍ରମିତ ସଂଖ୍ୟା ୩୦ ହଜାର ନିଟକବର୍ତ୍ତୀ, ଆରୋଗ୍ୟ ସଂଖ୍ୟା ୭ ହଜାର ଟପିଲା

ନୂଆଦିଲ୍ଲୀ : ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ନିଟକବର୍ତ୍ତୀ ହୋଇଛି । ଏହା ସହିତ ମୃତ୍ୟୁସଂଖ୍ୟା ୯୩୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୫୯୪ଟି ନୂଆ ମାମଲା ଦେଖାଦେଇଛି ଓ ୫୧ ଜଣ ମୃତ୍ୟୁବରଣ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ମଙ୍ଗଳବାର ସଂଧ୍ୟା ସୁଦ୍ଧା ଭାରତର ମୋଟ ସଂକ୍ରମିତ ସଂଖ୍ୟା ୨୯୯୭୪ ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୨୦୧୦ ଥିବାବେଳେ ମୃତ୍ୟୁସଂଖ୍ୟା ୯୩୭ରେ ପହଞ୍ଚିଛି । ତେବେ ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୭୦୨୬ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହେଲେଣି । ଦେଶର ମୃତ୍ୟୁହାର ୩ ପ୍ରତିଶତରେ ସ୍ଥିର ଥିବାବେଳେ ଆରୋଗ୍ୟ ହାର ୨୩.୪୪ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର ୧୭ଟି ଜିଲ୍ଲାରେ ଗତ ୨୮ ଦିନ ହେଲା କୌଣସି ନୂଆ ସଂକ୍ରମଣ ମାମଲା ଦେଖାଯାଇନାହିଁ ।

ଅନ୍ୟପକ୍ଷରେ ସାରା ବିଶ୍ୱରେ କରୋନା ସଂକ୍ରମିତ ସଂଖ୍ୟା ୩୦ ଲକ୍ଷ ଟପିଯାଇଛି । ଏହା ସହିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୧୨ ହଜାର ଓ ଆରୋଗ୍ୟ ସଂଖ୍ୟା ୯ ଲକ୍ଷ ୩୨ ହଜାରରେ ପହଞ୍ଚିଛି । ଆମେରିକାରେ ମୋଟ ସଂକ୍ରମିତ ସଂଖ୍ୟା ୧୦ ଲକ୍ଷ ଟପିଯାଇଛି ଓ ମୃତ୍ୟୁସଂଖ୍ୟା ୫୬୮୦୩କୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର