ଚୀନ୍‌କୁ ଭାରତର ସ୍ପଷ୍ଟ ବାର୍ତ୍ତା: ସୀମା ସ୍ଥିତି ସୁଧୁରିଲେ ହିଁ ସଂପର୍କ ସ୍ବାଭାବିକ ହେବ

ଜୟଶଙ୍କର-ଡୋଭଲ୍‌ଙ୍କ ସହ ୱାଙ୍ଗ୍‌ଙ୍କ ଆଲୋଚନା, ସୀମା ବିବାଦ ପରେ ପ୍ରଥମ ବୈଠକ

ନୂଆଦିଲ୍ଲୀ : ଚୀନ୍‌ ବିଦେଶ ମନ୍ତ୍ରୀ ୱାଙ୍ଗ୍‌ ୱି ଗତକାଲିଠାରୁ ଭାରତ ଗସ୍ତରେ ଆସିଛନ୍ତି। ୱାଙ୍ଗ୍ ଶୁକ୍ରବାର ଦିନ ତାଙ୍କ ଭାରତ ପ୍ରତିପକ୍ଷ ଏସ୍‌ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭଲ୍‌ଙ୍କୁ ସାକ୍ଷାତ କରିଛନ୍ତି। ୱାଙ୍ଗ୍‌ ପ୍ରଥମେ ଏନ୍‌ଏସଏ ଡୋଭଲ୍‌ଙ୍କୁ ଭେଟିଥିଲେ। ସେମାନେ ସୀମା ବିବାଦ ଏବଂ ୟୁକ୍ରେନ୍‌ ଯୁଦ୍ଧର ଭୌଗୋଳିକ ଏବଂ ରାଜନୈତିକ ପ୍ରଭାବ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଉଭୟ ୱାଙ୍ଗ୍‌ ଏବଂ ଡୋଭାଲ୍‌ ଭାରତ-ଚୀନ୍‌ ସୀମାରେ ବିବାଦୀୟ ଅଞ୍ଚଳରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଉପରେ ଗୁରୁତ୍ବାରୋପ କରିଥିଲେ। ଡୋଭଲଙ୍କୁ ଭେଟିବାପରେ ୱାଙ୍ଗ୍‌ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କୁ ଭେଟିଛନ୍ତି।

ଗଲୱାନ ସଂଘର୍ଷ ପରେ ଉଭୟ ରାଷ୍ଟ୍ରର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ। ଜୟଶଙ୍କର କହିଛନ୍ତି, ୱାଙ୍ଗ୍‌ଙ୍କ ସହ ୩ ଘଣ୍ଟାର ସାକ୍ଷାତ ସମୟରେ ସୀମା ବିବାଦ ସମେତ ଅନ୍ୟ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଜୟଶଙ୍କର କହିଛନ୍ତି, ଆମେ ଆମ ଦ୍ବିପାକ୍ଷିକ ସମ୍ପର୍କ ସଂକ୍ରାନ୍ତରେ ଆଲୋଚନା କରିଛୁ। ଚୀନ୍‌ ସହ ଭାରତର ସମ୍ପର୍କ ଆଦୌ ସ୍ବାଭାବିକ ନାହିଁ ବୋଲି ଜୟଶଙ୍କର ସ୍ବୀକାର କରିଛନ୍ତି। ୧୯୯୩-୯୬ ଚୁକ୍ତିର ଉଲ୍ଲଂଘନ କରି ସୀମାରେ ଚୀନ୍‌ ବିପୁଳ ସଂଖ୍ୟାରେ ସୈନ୍ୟ ମୁତୟନ କରିଛି। ଯେପର୍ଯ୍ୟନ୍ତ ସୈନ୍ୟ ପ୍ରତ୍ୟାହାର ହୋଇନାହିଁ, ସେପର୍ଯ୍ୟନ୍ତ ସୀମା ସ୍ଥିତି ସ୍ବାଭାବିକ ହେବନାହିଁ ବୋଲି ଜୟଶଙ୍କର କହିଛନ୍ତି। ସୀମା ସ୍ଥିତି ସୁଧୁରିଲେ ହିଁ ଭାରତ-ଚୀନ୍‌ ସଂପର୍କ ସ୍ବାଭାବିକ ହେବ ବୋଲି ୱାଙ୍ଗ୍‌ଙ୍କୁ ଜଣାଇ ଦିଆଯାଇଛି।

ସମ୍ବନ୍ଧିତ ଖବର