ଆଫ୍‌ଗାନିସ୍ତାନ ନେଇ ଭାରତର ଚିନ୍ତା, କନ୍ଧାର ତାଲିବାନ ନିୟନ୍ତ୍ରଣରେ

ଭାରତୀୟ ଦୂତାବାସ ଅସ୍ଥାୟୀ ଭାବେ ବନ୍ଦ, କର୍ମଚାରୀଙ୍କୁ ଫେରାଇ ଆଣିଲା ଭାରତ

କାବୁଲ: ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ପ୍ରମୁଖ ଅଂଚଳକୁ ନିଜ ନିୟନ୍ତ୍ରଣକୁ ନେଉଥିବା ତାଲିବାନ ଖୁବ୍‌ଶୀଘ୍ର ସଂପୂର୍ଣ୍ଣ କନ୍ଧାର ସହରକୁ ନିଜ ନିୟନ୍ତ୍ରଣକୁ ନେବାକୁ ଯାଉଛି। କାବୁଲ ଦଖଲ ପାଇଁ ମଧ୍ୟ ତାଲିବାନ ବିଶାଳ ରଣନୀତିରେ ଆଗକୁ ବଢ଼ୁଛି। କନ୍ଧାରର ଅର୍ଦ୍ଧାଧିକ ଅଂଚଳ ତାଲିବାନ କବ୍‌ଜାକୁ ଚାଲିଯିବା ପରେ କନ୍ଧାର ଏବଂ ମଜାର-ଏ-ସରିଫ ସହରରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସର କୂଟନୀତିଜ୍ଞ ଏବଂ କର୍ମଚାରୀମାନଙ୍କୁ ତୁରନ୍ତ ସ୍ବଦେଶ ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଇଛି। ଭାରତୀୟ ବାୟୁସେନା ବିମାନରେ ପ୍ରାୟ ୫୦ କୂଟନୀତିଜ୍ଞ ଏବଂ କର୍ମଚାରୀ ଭାରତ ଫେରିଛନ୍ତି। କର୍ମଚାରୀମାନେ ଫେରି ଆସିଥିବାରୁ ଦୂତାବାସ ଅସ୍ଥାୟୀ ଭାବେ ବନ୍ଦ ରହିବ ବୋଲି ଜଣାପଡ଼ିଛି। ତେବେ ସୁରକ୍ଷା ଦୃଷ୍ଟିରୁ କର୍ମଚାରୀଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଦୂତାବାସ ସ୍ଥାୟୀ ଭାବେ ବନ୍ଦ କରିବା ଯୋଜନା ନାହିଁ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପାକିସ୍ତାନର ବାୟୁସୀମା ବ୍ୟବହାରକୁ ଏଡ଼ାଇବା ପାଇଁ ଭାରତୀୟ ବାୟୁସେନା ବିମାନ ଦ୍ବାରା କୂଟନୀତିଜ୍ଞ ଏବଂ ଦୂତାବାସ କର୍ମଚାରୀଙ୍କୁ ଅଣାଯାଇଛି।

 କନ୍ଧାର ତାଲିବାନ ନିୟନ୍ତ୍ରଣରେ
ଭାରତୀୟ ଦୂତାବାସ ଅସ୍ଥାୟୀ ଭାବେ ବନ୍ଦ
କର୍ମଚାରୀଙ୍କୁ ଫେରାଇ ଆଣିଲା ଭାରତ
କାବୁଲ ଦଖଲ ପାଇଁ ତାଲିବାନର ପ୍ରସ୍ତୁତି
 ତାଲିବାନ ସହ ପାକ୍ ଆତଙ୍କବାଦୀ ଗୋଷ୍ଠୀର ଯୋଗଦାନ

ଭାରତୀୟ ଅଧିକାରୀ ଏବଂ ନାଗରିକମାନଙ୍କୁ ଆଫଗାନିସ୍ତାନରେ ଯେଭଳି କ୍ଷତି ନ ପହଞ୍ଚିବ ସେ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଦକ୍ଷିଣ ଆଫଗାନିସ୍ତାନରେ ତାଲିବାନ ସହିତ ୭ ହଜାରରୁ ଅଧିକ ଲସ୍କର ଆତଙ୍କବାଦୀ ହାତ ମିଳାଇ ଥିବା ଜଣାପଡ଼ିଛି। ତାଲିବାନ ଏବଂ ଲସ୍କର ଆତଙ୍କବାଦୀ ମିଳିତ ଭାବେ ଆଫଗାନ ସେନା ଉପରେ ଆକ୍ରମଣ ଜାର ରଖିଛନ୍ତି। କନ୍ଧାରର ଏକ ପ୍ରମୁଖ ଅଂଚଳକୁ ଗତକାଲି ତାଲିବାନ ନିଜ ନିୟନ୍ତ୍ରଣକୁ ନେବା ବେଳେ ସୁରକ୍ଷା ବାହିନୀ ସହିତ ଭୟଙ୍କର ଗୁଳି ବିନିମୟ ହୋଇଥିଲା। ଏଥିରେ ୭୦ ତାଲିବାନ ଯୋଦ୍ଧା ନିହତ ହୋଇଥିବା ଜଣାପଡ଼ିଛି। ପାକିସ୍ତାନର ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ଜୈସ-ଏ-ମହମ୍ମଦ (ଜେଇଏମ୍‌) ଏବଂ ଅନ୍ୟାନ୍ୟ ଗୋଷ୍ଠୀରୁ ମଧ୍ୟ ହଜାର ହାଜର ଆତଙ୍କବାଦୀ ସମ୍ପ୍ରତି ଆଫଗାନିସ୍ତାନରେ ତାଲିବାନ ସପକ୍ଷରେ ଲଢ଼ୁଛନ୍ତି, ଯାହା ୨୦୨୦ରେ ତାଲିବାନ ଓ ଆମେରିକା ମଧ୍ୟରେ ହୋଇଥିବା ଶାନ୍ତିଚୁକ୍ତିର ସ୍ପଷ୍ଟ ଉଲ୍ଲଂଘନ। ଆଫଗାନିସ୍ତାନ ଓ ଭାରତୀୟ ସୁରକ୍ଷା ସଂସ୍ଥାଗୁଡ଼ିକର ସଂଗୃହୀତ ତଥ୍ୟ ଅନୁସାରେ ପୂର୍ବ ଆଫଗାନିସ୍ତାନର କର୍ଣ୍ଣାର ଏବଂ ନାନଗାର ପ୍ରଦେଶ ଏବଂ ହେଲମାନ୍ଦ ଓ କନ୍ଧାର ପ୍ରଦେଶଗୁଡ଼ିକରେ ବେଶି ଭାଗ ଏଲ୍‌ଇଟି ଓ ଜେଇଏମ୍ ଯୋଦ୍ଧାମାନେ ସକ୍ରିୟ ଅଛନ୍ତି। ଆଫଗାନିସ୍ତାନର ଚାରିଟି ପ୍ରଦେଶ ପୂର୍ବ ପାକିସ୍ତାନ ସହିତ କୁନାର ଓ ନାନଗାରହାର ଏବଂ ଅନ୍ୟାନ୍ୟ ଦୁଇଟି ବେଲୁଚିସ୍ତାନ ସହ ସୀମାନ୍ତ ଭାଗ କରିନେଇଛନ୍ତି।

ତେହେରିକ୍-ଏ-ତାଲିବାନ୍‌ ପାକିସ୍ତାନ, ଳସ୍କର-ଏ-ଜାଙ୍ଗଭି, ଜାମାୟାତେ-ଉଲ୍-ଆରହାର, ଲସ୍କର-ଏ-ଇସଲାମ ଏବଂ ଅଲ୍-ବଦର ପରି ପାକିସ୍ତାନ-ଭିତ୍ତିକ ଅନ୍ୟାନ୍ୟ ସଂଗଠନର ଯୋଦ୍ଧାମାନେ ମଧ୍ୟ ବହୁସଂଖ୍ୟାରେ ଆଫଗାନିସ୍ତାନରେ ତାଲିବାନ ସହ ସାମିଲ ହୋଇ ଯୁଦ୍ଧ କରୁଥିବା ଖବର ମିଳିଛି। ପାକିସ୍ତାନୀ ଆତଙ୍କବାଦୀମାନେ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଆଫଗାନିସ୍ତାନର ଗଜନି, ଖୋଜ, ଲୋଗାର, ପାକ୍ଟିକା ଆଦି ଅଂଚଳରେ ମଧ୍ୟ ଦେଖିବାକୁ ମିଳିଛନ୍ତି। ଅନେକ ଅଞ୍ଚଳରେ ଏଲ୍‌ଇଟିର ସଦସ୍ୟମାନଙ୍କୁ ଉପଦେଷ୍ଟା, କମାଣ୍ଡର ଓ ପ୍ରଶାସକ ଭାବେ ତାଲିବାନ ଦ୍ବାରା ନିଯୁକ୍ତି ଦିଆଯାଇଛି। ପାକିସ୍ତାନରେ ମଧ୍ୟ ଏଲ୍‌ଟି ଓ ଜେଇଏମ୍ ଭଳି ଆତଙ୍କବାଦୀ ସଂଗଠନଗୁଡ଼ିକ ଅଧିକ ସଂଖ୍ୟାରେ ପାକିସ୍ତାନୀମାନଙ୍କୁ ପୂର୍ବ ଆଫଗାନିସ୍ତାନରେ ଯୁଦ୍ଧ କରିବା ପାଇଁ ଯୋଦ୍ଧା ଭାବରେ ନିଯୁକ୍ତି ଦେଉଛନ୍ତି।

ମିଳିଥିବା ଖବର ଅନୁସାରେ ଆଫଗାନ ତାଲିବାନ ସାମରିକ ମୁଖ୍ୟ ମୁଲ୍ଲା ମହମ୍ମଦ ୟାକୁବ ତଥା ତାଲିବାନର ପୂର୍ବତନ ମୁଖ୍ୟ ମୁଲ୍ଲା ମହମ୍ମଦ ଓମାରଙ୍କ ପୁଅ ଏଲ୍‌ଇଟି ଓ ଜେଇଏମ୍ କାମାଣ୍ଡରମାନଙ୍କ ସହ ଘନିଷ୍ଠଭାବେ ମିଶି କାମ କରୁଛନ୍ତି। ସୁରକ୍ଷା ସଂସ୍ଥାଗୁଡ଼ିକର ଖବର ଅନୁସାରେ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ହାଇଦ୍ରାବାଦଠାରେ ଥିବା ଏଲ୍‌ଇଟି ଶିବିରଗୁଡ଼ିକରେ ହଜାର ହଜାର ତାଲିବାନ ଯୋଦ୍ଧାଙ୍କୁ ତାଲିମ ଦିଆଯାଉଛି। ପାକିସ୍ତାନୀ ସେନା ସହଯୋଗରେ ଏହି ତାଲିମ ଦିଆଯାଉଥିବା ଲୋକମାନେ ସୂଚନା ଦେଇଛନ୍ତି। ଏଲ୍‌ଇଟି ଓ ଜେଇଏମ୍‌ ଆତଙ୍କବାଦୀମାନଙ୍କୁ ପ୍ରାୟ ୨୦୦ ଦଳରେ ବିଭକ୍ତ କରି ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ଆଫ୍‌ଗାନିସ୍ତାନ ସ୍ଥିତି ଉପରେ ଭାରତ ଅହରହ ନଜର ରଖିବା ସହ ଶାନ୍ତି ପ୍ରକ୍ରିୟା ଜାରି ରଖିବାକୁ ଅନ୍ୟ ରାଷ୍ଟ୍ରମାନଙ୍କ ସହ ଯୋଗାଯୋଗରେ ରହିଛି।

ସମ୍ବନ୍ଧିତ ଖବର