ନୂଆଦିଲ୍ଲୀ: ଭାରତର ସମ୍ବିଧାନ ହେଉଛି ଭାରତ ପ୍ରଗତିର ସବୁଠୁ ବଡ଼ ସାମର୍ଥ୍ୟ ବୋଲି ଆଜି ସୁପ୍ରିମ୍‌ କୋର୍ଟରେ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଉପସ୍ଥିତିରେ ‘ସମ୍ବିଧାନ ଦିବସ’ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

Advertisment

ବିତର୍କ ଓ ଆଲୋଚନାରେ ଅଂଶ ଗ୍ରହଣ କରିବା ଲାଗି ଯୁବବର୍ଗଙ୍କୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସମ୍ବିଧାନ ହେଉଛି ଦେଶର ପ୍ରଗତିକୁ ଗତିଶୀଳ କରାଇବାରେ ସବୁଠୁ ବଡ଼ ସାମର୍ଥ୍ୟ। ଆମ ସମ୍ବିଧାନର ସାରତତ୍ତ୍ବ ହେଉଛି ଯୁବ-କେନ୍ଦ୍ରିକ। ଆମ ଯୁବାଙ୍କ ମଧ୍ୟରେ ଅଧିକ ସଚେତନତା ଭରି ଦେବା ନିମନ୍ତେ ମୁଁ ସରକାରୀ ପ୍ରତିଷ୍ଠାନ ଓ ଅଦାଲତଙ୍କୁ ଅନୁରୋଧ କରୁଛି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସପ୍ତାହକ ମଧ୍ୟରେ ଭାରତ ‘ଜି୨୦’ ଅଧ୍ୟକ୍ଷତା ପ୍ରାପ୍ତ କରିବ। ଏହା ଦେଶ ପାଇଁ ଗୋଟାଏ ବଡ଼ ସୁଯୋଗ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ଇ-କୋର୍ଟ ପ୍ରକଳ୍ପ’ ଜରିଆରେ ନୂତନ ଉପକ୍ରମ ସବୁର ଶୁଭାରମ୍ଭ କରିଛନ୍ତି। ଏଥିରେ ରହିଛି, ‘ଭର୍ଚୁଆଲ୍‌ ଜ‌ଷ୍ଟିସ୍‌ କ୍ଲକ୍‌’ ‘ଜଷ୍ଟିସ୍‌ ମୋବାଇଲ୍ ଆପ୍‌ ୨.୦’, ‘ଡିଜିଟାଲ୍‌ କୋଟ’ ଏବଂ ‘ଏସ୍‌୩ ଡବ୍ଲୁଏଏଏସ୍‌ ୱେବ୍‌ସାଇଟ୍‌’।

publive-image Image Courtesy of NDTV

ଏହି ଅବସରରେ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ କହିଲେ, ବିଚାର ବିଭାଗ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ଅତ୍ୟାବଶ୍ୟକ, ଜନସାଧାରଣ ବିଚାର ବିଭାଗ ନିକଟରେ ପହଞ୍ଚିବା କଥା ଆଶା କରନ୍ତୁ ନାହିଁ। ବିଚାର ବ୍ୟବସ୍ଥା ସମସ୍ତଙ୍କ ପ୍ରତି ଉନ୍ମୁକ୍ତ ରହିବା ଉଚିତ।

ବିବିଧତା ଭରା ଆମ ଦେଶରେ ବିଚାର ବ୍ୟବସ୍ଥା ସମ୍ମୁଖୀନ ହେଉଥିବା ମୁଖ୍ୟ ଚାଲେଞ୍ଜ୍‌ ହେଉଛି ସମସ୍ତଙ୍କ ପ୍ରତି ବିଚାରର ଉନ୍ମୁକ୍ତତା। ଏଥିପାଇଁ ଭାରତୀୟ ବିଚାର ବ୍ୟବସ୍ଥା ଅନେକ କିଛି ପ୍ରଚଳନ କରି ଆସୁଛି। ସୁପ୍ରିମ୍‌ କୋର୍ଟ ତିଳକ ମାର୍ଗରେ ଅବସ୍ଥିତ ଥିଲେ ବି ଏହା ସମଗ୍ର ଦେଶର ସର୍ବୋଚ୍ଚ ଅଦାଲତ। ଏବେ ନିଜ ନିଜ ଘରେ ରହି ଭର୍ଚୁଆଲ୍‌ ଜରିଆରେ ଓକିଲମାନେ ସେମାନଙ୍କ ମାମଲା ଲଢ଼ି ପାରୁଛନ୍ତି। ମାମଲା ଜଣେ ପ୍ରଧାନ ବିଚାରପତି ଭାବେ ମୁଁ ବି ମାମଲା ତାଲିକାଭୁକ୍ତ କରିବା ଲାଗି ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାକୁ ଚାହୁଁଛି।

ସୂଚନାଯୋଗ୍ୟ, ୧୯୪୯ ମସିହାର ଆଜିର ଦିନରେ ‘କନ୍‌ଷ୍ଟିଚ୍ୟୁଏଣ୍ଟ୍‌ ଆ‌ସେମ୍ବ୍ଲି’ଦ୍ବାରା ସମ୍ବିଧାନ ଗୃହୀତ ହୋଇଥିବାରୁ ୨୦୧୫ ମସିହାରୁ ନଭେମ୍ବର ୨୬କୁ ସାମ୍ବିଧାନିକ ଦିବସ ଭାବେ ପାଳନ କରାଯାଉଛି।