ଭାରତର କରୋନା ସଂପର୍କରେ ‘ହୁ’ର ଆକଳନ, ଜୁଲାଇରେ ଶୀର୍ଷରେ ପହ‌ଞ୍ଚି ପରେ କମିବ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହାର କମ୍‌ ଥିଲେ ସୁଦ୍ଧା ଲକ୍‌ଡାଉନ୍‌ ସ୍ଥିତି ହଟିଯିବା ପରେ ସଂକ୍ରମଣ ସଂଖ୍ୟା ଆଶାତୀତ ଭାବେ ବଢ଼ିଯାଇ ଜୁଲାଇ ଶେଷ ଆଡ଼କୁ ମହାମାରୀର ବ୍ୟାପକତା ଶୀର୍ଷରେ ପହ‌ଞ୍ଚିବ। ଏହାପରେ ସଂକ୍ରମଣ ଧୀରେ ଧୀରେ କମିବ ବୋଲି ଭବିଷ୍ୟବାଣୀ କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସ୍ବତନ୍ତ୍ର ପ୍ରତିନିଧି ଡେଭିଡ୍ ନାବାରୋ। ମହାମାରୀ କୋଭିଡ଼୍‌–୧୯ର ମୁକାବିଲା ପାଇଁ ସାମାଜିକ ଦୂରତ୍ବ ବଜାୟ ରଖିବାର ପ୍ରକୃଷ୍ଟ ବିକଳ୍ପ ଭାବେ ଭାରତରେ ଜାରି ରହିଥିବା ଲକ୍‌ଡାଉନ୍‌ ସ୍ଥିତିକୁ ଲକ୍ଷ୍ୟ କରି ନାବାରୋ କହିଛନ୍ତି ଯେ ଏପରି ଯୁଦ୍ଧକାଳୀନ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଭାରତରେ ସଂକ୍ରମଣକୁ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରଖାଯାଇପାରିଛି।

ଉଦାହରଣ ସ୍ବରୂପ ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ଦିଲ୍ଲୀ ଓ ତାମିଲନାଡ଼ୁ ପରି ରାଜ୍ୟର ସହରା‌ଞ୍ଚଳରେ ହିଁ ସଂକ୍ରମଣର କ୍ଷିପ୍ରତାକୁ ସୀମିତ ରଖାଯାଇଛି। ଅପରପକ୍ଷେ, ଲକ୍‌ଡାଉନ୍ ଉଠିଗଲା ପରେ ଦେଶରେ ଆହୁରି ଅଧିକ ସଂଖ୍ୟକ ସଂକ୍ରମିତ ନଜରକୁ ଆସିବାଟା ସ୍ବାଭାବିକ। ତେବେ ସେଥିରେ ଏତେ ବେଶୀ ଭୟଭୀତ ହେବାର କାରଣ ନାହିଁ। କାରଣ ଜୁଲାଇ ଶେଷ ଆଡ଼କୁ ସଂକ୍ରମଣ ଶୀର୍ଷରେ ପହ‌ଞ୍ଚିବ ଏବଂ ଧୀରେ ଧୀରେ ତାହା ନିୟନ୍ତ୍ରଣାଧୀନ ହେବ ବୋଲି ନାବାରୋ ଆଶା କରୁଛନ୍ତି। ସେହିପରି ସଂକ୍ରମଣ ହାରକୁ ଲକ୍ଷ୍ୟ କଲେ ଭାରତରେ ୧୧ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦ୍ବିଗୁଣିତ ହେଉଛି ଏବଂ ଲୋକସଂଖ୍ୟା ତୁଳନାରେ ଭାରତରେ କରୋନା ପୀଡ଼ିତଙ୍କ ସଂଖ୍ୟା ଚିନ୍ତାଜନକ ନୁହେଁ ବୋଲି ସେ ଟିପ୍ପଣୀ କରିଛନ୍ତି। ଅପରପକ୍ଷେ, କୋଭିଡ୍–୧୯ ରୋଗୀଙ୍କ ମଧ୍ୟରେ ବୟସ୍କମାନଙ୍କ କ୍ଷେତ୍ରରେ ମୃତ୍ୟୁହାର ଅଧିକ ରହୁଥିବା ବେଳେ ବୟସ ଅନୁସାରେ ଭାରତୀୟ ନାଗରିକଙ୍କ ଶ୍ରେଣୀ ବିଭାଜନ ଭିନ୍ନ ପ୍ରକାରର ହୋଇଥିବାରୁ ଏଠାରେ ମୃତ୍ୟୁସଂଖ୍ୟା ମଧ୍ୟ କମ୍ ରହିଛି ବୋଲି ନାବାରୋ କହିଛନ୍ତି।

କରୋନା ସଂକ୍ରାନ୍ତ ଉଡ଼ାକଥାକୁ ‘ହୁ’ ର ନାପସନ୍ଦ, ଭୂତାଣୁକୁ ଉଷୁମ ବା ଥଣ୍ତା ଶରୀର ପ୍ରଭାବିତ କରେନି
ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବବ୍ୟାପୀ ଛାଇଯାଇଥିବା ମହାମାରୀ କୋଭିଡ୍‌ର ଉପଚାର ପାଇଁ ଆଶା ଛାଡି଼ଦେଇଥିବା ଲୋକଙ୍କ ଭିତରେ ଶୁଣାଯାଉଥିବା ବିଭିନ୍ନ ଉଡ଼ାକଥା ବା କାଳ୍ପନିକ ମତକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ ମୁଖ୍ୟ ଡା. ମାଇକେଲ୍ ନାପସନ୍ଦ କରିଛନ୍ତି। ବିଶେଷ କରି ଜଣେ କରୋନା ପୀଡ଼ିତର ଶରୀରକୁ ଉଷୁମ ବା ଥଣ୍ତା କରାଇବା ଦ୍ବାରା କରୋନା ଭୂତାଣୁକୁ ପ୍ରତିରୋଧ କରିହେବ ବୋଲି ବିଭିନ୍ନ ସ୍ଥାନରେ ବିଚାର କରାଯାଉଥିବା ଗୁଜବକୁ ସେ ଦୃଢ଼ ଭାବେ ଖଣ୍ତନ କରିଛନ୍ତି। ଏପରି କରିବା ଦ୍ବାରା କରୋନା ଭୂତାଣୁ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ବିଶେଷ କରି ସହରାଞ୍ଚଳରେ କରୋନା ଭୂତାଣୁକୁ ପ୍ରତିରୋଧ କରିବା ପାଇଁ ଶୁଣାଯାଉଥିବା ବିଭିନ୍ନ କିମ୍ବଦନ୍ତୀକୁ ପାଥେୟ କରି ଘରେ ଅଲୌକିକ ଚିକିତ୍ସା ଦ୍ବାରା ଏହି ରୋଗରୁ ଆରୋଗ୍ୟ ହେଉଥିବା ଗୁଜବ ପରିପ୍ରେକ୍ଷୀରେ ମାଇକେଲ ଏପରି କହିଛନ୍ତି। ତାଙ୍କ କହିବାନୁସାରେ, ବିଭିନ୍ନ ରୋଗ ଭୂତାଣୁ ଏବଂ ସଂକ୍ରାମକ ରୋଗର ଲକ୍ଷଣ ହେଲା ରୋଗୀକୁ ଜ୍ବରରେ ପୀଡ଼ିତ କରାଇବା। ସୁତରାଂ, ରୋଗୀ ଦେହରେ ଏମିତି ତାପମାତ୍ରା ବଢ଼ିବାଟା କିଛି ଖରାପ କଥା ନୁହେଁ। ତେବେ ସେହି ତାପମାତ୍ରାର ବୃଦ୍ଧି ବା ହ୍ରାସକୁ ଯତ୍ନର ସହିତ ଅନୁଧ୍ୟାନ କରିବାକୁ ହେବ। ବିଶେଷ କରି ଶିଶୁଙ୍କ ଠାରେ ଏପରି ତାପମାତ୍ରା ପରିବର୍ତ୍ତନକୁ ଲକ୍ଷ୍ୟ କରିବା ଜରୁରୀ। ତା’ ମାନେ ନୁହେଁ ଯେ ତାପମାତ୍ରାର ପ୍ରଭାବ ଅନୁସାରେ ରୋଗର ଭୂତାଣୁ ରୋଗୀ ଶରୀରରେ ଅନୁରୂପ ଆଚରଣ କରିବ। ତେଣୁ ରୋଗୀର ଶରୀରକୁ ଆବଶ୍ୟକତା ଠାରୁ ଅଧିକ ଉଷୁମ କି ଶୀତଳ କରିଦେଲେ ଯେ କରୋନା ଭୂତାଣୁକୁ ପ୍ରତିରୋଧ କରିହେବ ତାହା ଧରିନେବା ଠିକ୍ ନୁହେଁ।

ସମ୍ବନ୍ଧିତ ଖବର