ଭାରତରେ ଏପର୍ଯ୍ୟନ୍ତ ୨୧୨ କରୋନା ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି, ମୋଟ ସଂକ୍ରମିତ ସଂଖ୍ୟା ୩ ହଜାର ଟପିଲା

କରୋନା ସ୍ଥିତି ସଂପର୍କରେ ମୋଦୀ -ଟ୍ରମ୍ପ ଆଲୋଚନା

ନୂଆଦିଲ୍ଲୀ : ଭାରତର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୭୨କୁ ବୃଦ୍ଧି ପାଇଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୭୮୪ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୭୫କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି । ତେବେ ଆଶ୍ୱସ୍ତିର କଥା ହେଉଛି ଦେଶରେ ୨୧୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

କରୋନା ସ୍ଥିତି ସଂପର୍କରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନରେ ଆଲୋଚନା କରିଛନ୍ତି । କରୋନା ବିରୋଧୀ ଲଢେଇରେ ଦୁଇଦେଶ ନିଜର ସବୁଶକ୍ତି ଖଟାଇବେ ବୋଲି ଦୁଇନେତା ରାଜି ହୋଇଛନ୍ତି ।

ଦେଶର ମୋଟ ସଂକ୍ରମିତ ସଂଖ୍ୟାର ପ୍ରାୟ ୩୦ ପ୍ରତିଶତ ତବଲିଗି ଜମାତ ଘଟଣା ସହ ସଂପର୍କିତ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସାରା ଦେଶରେ ମୋଟ ୨୨ ହଜାର ତାବଲିଗି ଜମାତ କର୍ମୀଙ୍କ ଚିହ୍ନଟ କରାଯାଇ ଏକାନ୍ତବାସରେ ରଖାଯାଇଛି ।
ସମଗ୍ର ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୫୨ ହଜାରରେ ପହଞ୍ଚିଛି । ଏହା ସହିତ ମୃତ୍ୟୁସଂଖ୍ୟା ୬୧,୬୨୫ରେ ପହଞ୍ଚିଛି । ସୁଖର କଥା ହେଉଛି ସମଗ୍ର ବିଶ୍ୱରେ ପ୍ରାୟ ୨ ଲକ୍ଷ ୪୦ ହଜାର ଲୋକ ଆରୋଗ୍ୟଲାଭ କରିଛନ୍ତି । ଚିନ୍ତାଜନକ ବିଷୟ ହେଉଛି ଆମେରିକାରେ ସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେଉଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୦ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୭୮୪୪ ରେ ପହଞ୍ଚିଛି । ଇଟାଲିରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୯ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୪୬୮୧ ରେ ପହଞ୍ଚିଛି । ସ୍ପେନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୧୭୪୪ ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର