ପ୍ରତି ୪ ଦିନରେ ଦୁଇଗୁଣ ହେଉଛି ଦେଶର କରୋନା ସଂକ୍ରମିତ ସଂଖ୍ୟା : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନିଜାମୁଦ୍ଦିନ ଘଟଣା ଘଟିନଥିଲେ ଏଥିପାଇଁ ସାଢେ ୭ ଦିନ ଲାଗିଥାନ୍ତା

ନୂଆଦିଲ୍ଲୀ : ଭାରତରେ ଏବେ ପ୍ରତି ୪.୧ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଉଛି । କିନ୍ତୁ ଯଦି ତାବଲିଗି ଜମାତ ସମ୍ମିଳନୀ ହୋଇନଥାନ୍ତା ତେବେ ସଂକ୍ରମିତ ସଂଖ୍ୟା ଦୁଇଗୁଣ ହେବା ପାଇଁ ୭.୪ ଦିନ ଲାଗିଥାନ୍ତା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।

ଭାରତରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୪ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭୨ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି । ଏହା ସହିତ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୭୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧ ଜଣ କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ତେବେ ସୁଖର କଥା ହେଉଛି ଦେଶରେ ଏପର୍ଯ୍ୟନ୍ତ ୨୬୭ ଜଣ ବ୍ୟକ୍ତି ଆରୋଗ୍ୟଲାଭ କରିସାରିଲେଣି ବୋଲି ସେ କହିଛନ୍ତି ।

ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ ସାରା ଦେଶରେ ଏବେ ୨୭,୬୬୧ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ଏଗୁଡ଼ିକ ମଧ୍ୟରୁ ୨୩,୯୨୪ଟି ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବାବେଳେ ୩୭୩୭ଟି ଏନଜିଓ ମାନଙ୍କ ଦ୍ୱାରା ନିର୍ମାଣ କରାଯାଇଛି ।

ସମ୍ବନ୍ଧିତ ଖବର