ଦେଶବାସୀଙ୍କ ପାଇଁ ଭଲ ଖବର: କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୫୧.୦୮%କୁ ବୃଦ୍ଧି 

ଦେଶର ୯୦୧ଟି ଲ୍ୟାବରେ ହେଉଛି କୋଭିଡ୍‌-୧୯ ପରୀକ୍ଷା

ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ଏକ ଭଲ ଖବର ଆସିଛି। ଦେଶରେ କରୋନା ବା କୋଭିଡ୍‌-୧୯ ସଂକ୍ରମିତଙ୍କ ଆରୋଗ୍ୟ ହାରରେ କ୍ରମାଗତ ଭାବେ ବୃଦ୍ଧି ଘଟୁଥିବା ପରିଲକ୍ଷିତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଦେଶରେ କରୋନାରୁ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟା ୫୧.୦୮%ରେ ପହଞ୍ଚିଛି। ଗତ ଜୁନ୍‌ ୧୩ରେ ଏହା ୪୯.୯୫ ପ୍ରତିଶତ ଥିବାବେଳେ ଜୁନ୍‌ ୧୨ରେ ଏହି ହାର ୪୯.୪୭ ପ୍ରତିଶତ ଥିଲା। ସେହିପରି ଜୁନ୍‌ ୧୧ରେ ଏହା ୪୯.୨୧ ପ୍ରତିଶତ ଥିବାବେଳେ ଜୁନ୍‌ ୧୦ରେ ଆରୋଗ୍ୟ ରୋଗୀଙ୍କ ହାର ୪୮.୮୮ ପ୍ରତିଶତ ଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ୭,୪୧୯ ଜଣ କୋଭିଡ୍‌-୧୯ ରୋଗୀ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏପର୍ଯ୍ୟନ୍ତ ସମୁଦାୟ ୧,୬୯,୭୯୭ ରୋଗୀ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିବା ସହ ହସ୍ପିଟାଲରୁ ମୁକ୍ତି ପାଇଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

Newsnation

ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କୋଭିଡ୍‌-୧୯ରୁ ଆରୋଗ୍ୟ ହାରରେ ବୃଦ୍ଧି ସୂଚାଇ ଦେଉଛି ଯେ ଅଧାରୁ ଅଧିକ ସଂକ୍ରମିତ ଏହି ମହାମାରୀରୁ ଆରୋଗ୍ୟ ଲାଭ କରି ସାରିଛନ୍ତି। ସମଗ୍ର ଦେଶରେ ଏବେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୪୨୪କୁ ବୃଦ୍ଧି ପାଇଛି। ତେବେ, କୋଭିଡ୍‌-୧୯ ନମୁନା ପରୀକ୍ଷା ପାଇଁ ସରକାରୀ ଲ୍ୟାବ ସଂଖ୍ୟା ୬୫୩କୁ ଏବଂ ବେସରକାରୀ ଲ୍ୟାବକୁ ୨୪୮କୁ ବୃଦ୍ଧି କରାଯାଇଛି। ଏହା ଫଳରେ ଦେଶରେ କୋଭିଡ୍‌-୧୯ ନମୁନା ପରୀକ୍ଷା ଲ୍ୟାବ ସଂଖ୍ୟାକୁ ୯୦୧କୁ ବୃଦ୍ଧି କରାଯାଇ ପାରିଥିବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର