ଭାରତର ମୋଟ ସଂକ୍ରମିତ ସଂଖ୍ୟା ୫.୬୬ ଲକ୍ଷ ଟପିଲା, ମୃତ୍ୟୁସଂଖ୍ୟା ୧୭ ହଜାର ନିକଟବର୍ତ୍ତୀ

ନୂଆଦିଲ୍ଲୀ : କ୍ରମାଗତ ଲକଡାଉନ ସତ୍ତ୍ୱେ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିତାଲିଛି । ମଙ୍ଗଳବାର ସୁଦ୍ଧା ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୫ ଲକ୍ଷ ୬୬ ହଜାର ଟପିଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୬୬୮୪୦ରେ ପହଞ୍ଚିଛି । ଏହା ମଧ୍ୟରୁ ୨୧୫୧୨୫ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୬୮୯୩ ଅନ୍ତର୍ଭୁକ୍ତ । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୩୩୪୮୨୨ରେ ପହଞ୍ଚିଛି ।

ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଗତ ୨୪ ଘଣ୍ଟାରେ ଭାରତରେ ୧୮,୫୦୦ରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି । ଦେଶର ମୃତ୍ୟୁହାର ୩ ପ୍ରତିଶତ ରହିଥିବାବେଳେ ଆରୋଗ୍ୟ ହାର ୫୮ ପ୍ରତିଶତ ଟପିଯାଇଛି । ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ଜଣାପଡ଼ିଥିବାବେଳେ ତା’ତଳକୁ ରହିଛି ତାମିଲନାଡ଼ୁ ଓ ଦିଲ୍ଲୀ । ମହାରାଷ୍ଟ୍ରରେ ମୋଟ ସଂକ୍ରମିତ ସଂଖ୍ୟା ୧୬୯୮୮୩ ଥିବାବେଳେ ତାମିଲନାଡୁରେ ୮୬୨୨୪ ଓ ଦିଲ୍ଲୀର ମୋଟ ସଂକ୍ରମିତ ସଂଖ୍ୟା ୮୫୧୬୧ ରହିଛି ।

ଅନ୍ୟପକ୍ଷରେ ସାରା ବିଶ୍ୱରେ ମଙ୍ଗଳବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦.୩ ନିୟୁତ ଓ ମୃତ୍ୟୁସଂଖ୍ୟା ୫୦୪୨୬୯ ରେ ପହଞ୍ଚିଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫ ଲକ୍ଷ ଟପିଯାଇଛି । ଆମେରିକା ତଳକୁ ବ୍ରାଜିଲ, ଋଷିଆ ଓ ଭାରତ ରହିଛନ୍ତି ।

ସମ୍ବନ୍ଧିତ ଖବର