ଭାରତରେ କୋଭିଡ୍‌ ମୃତ୍ୟୁ, ନ୍ୟୁୟର୍କ ଟାଇମ୍‌ସ ରିପୋର୍ଟ ତ୍ରୁଟିପୂର୍ଣ୍ଣ ଓ ବିକୃତ: ଭାରତ ସରକାର

ନୂଆଦିଲ୍ଲୀ: ଭାରତରେ ଗତ ୨୪ ତାରିଖ ସୁଦ୍ଧା ମହାମାରୀ କୋଭିଡ୍‌-୧୯ରେ ମୋଟ ୨.୬୯ କୋଟି ସଂକ୍ରମିତ ହେବା ସହ ୩.୦୭ ଲକ୍ଷଙ୍କର ଜୀବନ ଯାଇଥିବା ସରକାରୀ ଭାବେ ଗଣନା କରାଯାଇଛି। ତେବେ ଏହି ସଂଖ୍ୟା ବାସ୍ତବରେ ଯଥେଷ୍ଟ ଅଧିକ ବୋଲି ନ୍ୟୁୟର୍କ ଟାଇମ୍‌ସ ପକ୍ଷରୁ କରାଯାଇଥିବା ବିଶ୍ଳେଷଣରୁ ଦାବି ହୋଇଛି। ଯେମିତି ହିସାବ କଲେ ବି ଭାରତରେ ଅତି କମ୍‌ରେ ୭୦.୦୭ କୋଟି ନାଗରିକ କୋଭିଡ୍‌-୧୯ ଦ୍ବାରା ଆକ୍ରାନ୍ତ ହୋଇଥିବା ଏବଂ ୪୨ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିଥିବା ନ୍ୟୁୟର୍କ ଟାଇମ୍‌ସ ଆକଳନ କରିଛି। ସୁତରାଂ ସରକାରୀ ସୂଚନାର ପ୍ରାୟ ୧୪ ଗୁଣ ପାଖାପାଖି ଭାରତୀୟ ନାଗରିକ କୋଭିଡ୍‌ରେ ପ୍ରଭାବିତ ହୋଇଥିବା ଅନୁମାନ ଲଗାଯାଇଛି। ଅପରପକ୍ଷେ, ଏପରି ରିପୋର୍ଟକୁ ଭାରତ ସରକାର ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି।

ଏହା ସମ୍ପୂର୍ଣ୍ଣ ଭାବେ କପୋଳକଳ୍ପିତ ଓ ତ୍ରୁଟିପୂର୍ଣ୍ଣ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ନ୍ୟୁୟର୍କ ଟାଇମ୍‌ସର ଏଭଳି ଦାବି ପଛରେ କୌଣସି ବଳିଷ୍ଠ ପ୍ରମାଣ ନାହିଁ, ବରଂ ଏହା ଏକ ବିକୃତ ଆକଳନକୁ ଭିତ୍ତି କରି ପ୍ରସ୍ତୁତ କରାଯାଇଛି ଯାହା ଅଗ୍ରାହ୍ୟ ବୋଲି ସରକାର କହିଛନ୍ତି। ଉକ୍ତ ଆନ୍ତର୍ଜାତିକ ଇଂରାଜୀ ଖବରକାଗଜର ଗତ ୨୫ ତାରିଖ ସଂସ୍କରଣରେ ‘ଭାରତରେ ବାସ୍ତବରେ କେତେ ଅଧିକ କୋଭିଡ୍‌ ଦ୍ବାରା ପ୍ରଭାବିତ ହୋଇପାରିଥାନ୍ତି’ ଶୀର୍ଷକ ଆଲେଖ୍ୟରେ ଏପରି ତଥ୍ୟର ଅବତାରଣା କରାଯାଇଛି। ଦେଶରେ ସଂଘଟିତ ତିନି ତିନିଟି ସେରୋସର୍ବେକ୍ଷଣର ଫଳାଫଳ ସମେତ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାକୁ ବିଶ୍ଳେଷଣ କରିବା ସହିତ କିଛି ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଏପରି ନିର୍ଯାସରେ ପହଞ୍ଚିଥିବା ନ୍ୟୁୟର୍କ ଟାଇମ୍‌ସ ଦାବି କରିଛି । ଭାରତର ଗ୍ରାମାଞ୍ଚଳମାନଙ୍କରେ ଅନେକ କୋଭିଡ୍‌ ମୃତ୍ୟୁ ସରକାରୀ ତାଲିକାରୁ ବାଦ୍‌ ପଡ଼ିଥିବା କୁହାଯାଇଛି। ସେହିପରି ମୃତ୍ୟୁର କାରଣ ନିର୍ଦ୍ଧାରଣ କରୁଥିବା ପରୀକ୍ଷାଗାରଗୁଡ଼ିକ ମଧ୍ୟ ଗଡ଼ବଡ଼ କରିବା କିଛି ଅସମ୍ଭବ ନୁହେଁ ବୋଲି ଏହି ରିପୋର୍ଟରେ କୁହାଯାଇଛି। ତେବେ ଭାରତର କରୋନା ମୃତ୍ୟୁକୁ ମନକୁ ମନ ୧୨ ଗୁଣା ଅଧିକ ଦେଖାଇବା ଅତ୍ୟନ୍ତ ଅଯୌକ୍ତିକ ଏବଂ ଉଦ୍ଦେଶ୍ୟମୂଳକ ବୋଲି ବିଭିନ୍ନ ମହଲ କହିଛନ୍ତି।

ସମ୍ବନ୍ଧିତ ଖବର