ନୂଆଦିଲ୍ଲୀ : ଲକଡାଉନ ପୂର୍ବରୁ ଦେଶରେ କରୋନା ସଂକ୍ରମଣର ଦ୍ୱିଗୁଣିତ ହାର (ଡବଲିଂ ରେଟ) ମାତ୍ର ୩ ଦିନ ଥିଲା, କିନ୍ତୁ ଏବେ ତାହା ୬.୨ ଦିନକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ସମେତ ୧୯ଟି ରାଜ୍ୟର ଦ୍ୱିଗୁଣିତ ହାର ଜାତୀୟ ହାରଠାରୁ କମ ରହିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ଆରୋଗ୍ୟ ଓ ମୃତ୍ୟୁ ଅନୁପାତ ୮୦:୨୦ ରହିଛି । ଅର୍ଥାତ ପ୍ରତି ୧୦୦ ଜଣରେ ୮୦ ଜଣ ଆରୋଗ୍ୟ ହେଉଛନ୍ତି ଓ ୨୦ ଜଣ ମୃତ୍ୟୁବରଣ କରୁଛନ୍ତି । ଏହା ବିଶ୍ୱର ଅଧିକାଂଶ ଦେଶମାନଙ୍କ ତୁଳନାରେ ଅଧିକ ।
ସେ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୧୦୦୭ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଥିବାବେଳେ ଓ ୨୩ଜଣ ମୃତ୍ୟୁବରଣ କରିଛନ୍ତି । ଏହା ସହିତ ଦେଶର ମୋଟ ସଂକ୍ରମଣ ସଂଖ୍ୟା ୧୩ ହଜାର ଟପିଯାଇଛି ଓ ୧୭୪୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଦେଶରେ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀର ଯୋଗାଣ ସ୍ୱାଭାବିକ ରହିଛି । ଏ କ୍ଷେତ୍ରରେ ଭାରତୀୟ ଡାକର ମଧ୍ୟ ଏକ ବଡ଼ ଭୂମିକା ରହିଛି । ଡାକ ବିଭାଗ ମାଧ୍ୟମରେ ଲୋକମାନଙ୍କ ଘରକୁ ପେନସନ ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ସ୍କିମର ସୁଫଳ ପହଞ୍ଚିପାରୁଛି । ଦେଶର ବିଭିନ୍ନ ଭାଗରେ ମୋବାଇଲ ପୋଷ୍ଟ ଅଫିସ କାର୍ଯ୍ୟ କରୁଛି । ବିଭାଗ ପକ୍ଷରୁ ୧୦୦ ଟନରୁ ଅଧିକ ପରିମାଣର ମେଡିକାଲ ସାମଗ୍ରୀର ପରିବବହନ କରାଯାଇଛି ବୋଲି ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ।
ସେ କହିଛନ୍ତି ଯେ ଲକଡାଉନ ନିୟମରୁ କୃଷି, ଉଦ୍ୟାନ କୃଷି ଓ ଗ୍ରାମାଞ୍ଚଳ ନିର୍ମାଣକୁ ମୁକ୍ତ ରଖାଯାଇଛି । କମ ଲୋକରେ ସାମାଜିକ ଦୂରତ୍ୱ ବଜାୟ ରଖି ଏସବୁ କାମ କରିହେବ ।