ଭାରତର ପ୍ରତିରକ୍ଷା ବଜେଟ ୬% ବୃଦ୍ଧି, ଅସ୍ତ୍ରଶସ୍ତ୍ର କିଣା ଅପେକ୍ଷା ଦରମା,ପେନସନରେ ଯାଉଛି ଅଧିକ ପାଣ୍ଠି

ନୂଆଦିଲ୍ଲୀ : ନୂଆ ବଜେଟରେ ଦେଶର ପ୍ରତିରକ୍ଷା ବ୍ୟବରାଦ ୬ ପ୍ରତିଶତ ବୃଦ୍ଧି ପାଇଛି । ଗତ ସାଧାରଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ମୋଟ ୩ ଲକ୍ଷ ୧୯ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ଏଥର ତାହା ୩ ଲକ୍ଷ ୩୭ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଦେଶର ପ୍ରତିରକ୍ଷା ପେନସନ ବଜେଟ୍‌ ୧ ଲକ୍ଷ ୧୭ ହଜାର କୋଟିରୁ ୧ ଲକ୍ଷ ୩୩ ହଜାର କୋଟିକୁ ବୃଦ୍ଧି ପାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତିରକ୍ଷା ଉପକରଣ ଖରିଦ କରିବା ପାଇଁ ଯେତିକି ବ୍ୟୟବରାଦ କରାଯାଇଛି ପ୍ରତିରକ୍ଷା କର୍ମଚାରୀଙ୍କ ପେନସନ ବଜେଟ ତାହାକୁ ବଳିଯାଇଛି । ଏଥର ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ, ନୂଆ ଅସ୍ତ୍ରଶସ୍ତ୍ର ଖରିଦ କରିବା ପାଇଁ ୧ ଲକ୍ଷ ୧୦ ହଜାର ୭୩୪ କୋଟି ଟଙ୍କା ରଖାଯାଇଛି ।

ଭାରତର ପ୍ରତିରକ୍ଷା ବଜେଟ ବିଶ୍ୱର ୪ର୍ଥ ବୃହତ୍ତମ । ଭାରତ ଉପରେ କେବଳ ଆମେରିକା, ଚୀନ ଓ ସାଉଦି ଆରବର ପ୍ରତିରକ୍ଷା ବ୍ୟୟ ଅଧିକ । ତେବେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମାନେ ନିଜର ସୈନ୍ୟ ସଂଖ୍ୟା କମାଇବା ସହ ଅସ୍ତ୍ରଶସ୍ତ୍ର ଓ ଟେକନଲୋଜୀ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଅନ୍ୟପକ୍ଷରେ ଭାରତ ନିଜ ମିଲିଟାରୀର ଆଧୁନିକୀକରଣ ତୁଳନାରେ ଅଧିକ ବ୍ୟୟ ଦରମା ଦେବାରେ କରୁଛି । ଏହା ଆଗାମୀ ଦିନରେ ଚିନ୍ତାର କାରଣ ହୋଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ସମ୍ବନ୍ଧିତ ଖବର