ଭାରତର ପ୍ରତିରକ୍ଷା ବଜେଟ୍ ୫.୯୪ ଲକ୍ଷ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ବଜେଟ୍ ବୃଦ୍ଧି ପାଇଛି । ଆଜି ଲୋକସଭାରେ ଆଗତ ସାଧାରଣ ବଜେଟରେ ଭାରତର ପ୍ରତିରକ୍ଷା ବ୍ୟୟ ବରାଦ ୫ ଲକ୍ଷ ୯୪ ହଜାର କୋଟିକୁ ବୃଦ୍ଧି ପାଇଛି । ଏହା ମୋଟ ବଜେଟର ପ୍ରାୟ ୮ ପ୍ରତିଶତ । ଗତ ବର୍ଷର ବଜେଟ ( ଚଳିତ ଆର୍ଥିକ ବର୍ଷ ପାଇଁ ) ଏହା ୫ ଲକ୍ଷ ୨୫ ହଜାର କୋଟି ଟଙ୍କା ଥିଲା ।

ନୂଆ ଆର୍ଥିକ ବର୍ଷ ଅର୍ଥାତ ୨୦୨୩-୨୪ ପାଇଁ ବ୍ୟୟ ବରାଦ ହୋଇଥିବା ୫ ଲକ୍ଷ ୯୪ ହଜାର କୋଟି ମଧ୍ୟରୁ ୧ ଲକ୍ଷ ୬୨ ହଜାର କୋଟି ପୁଞ୍ଜି ବ୍ୟୟ ପାଇଁ ବିନିଯୋଗ ହେବ । ଅର୍ଥାତ ଏହି ଅର୍ଥରେ ବିଭିନ୍ନ ଅସ୍ତ୍ରଶସ୍ତ୍ର, ବିମାନ, ଜାହାଜ, ମିଲିଟାରି ଉପକରଣ କ୍ରୟ ହେବ । ଆତ୍ମ ନିର୍ଭର ଭାରତ ଯୋଜନା ଉପରେ ପ୍ରାଥମିକତା ଦେଇ ଏହି ରାଶିର ୬୮ ପ୍ରତିଶତ ସ୍ବଦେଶୀ ପ୍ରତିରକ୍ଷା ଶିଳ୍ପରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ କିଣିବାରେ ବ୍ୟବହୃତ ହେବ । ଗତ ବର୍ଷ ଏହା ୫୮ ପ୍ରତିଶତ ଥିଲା ।

ଅବଶିଷ୍ଟ ୪ ଲକ୍ଷ ୩୨ ହଜାର କୋଟି ଦରମା ଓ ପେନସନ ଓ ଅନ୍ୟାନ୍ୟ ନିୟମିତ କାର୍ଯ୍ୟ ବାବଦରେ ବ୍ୟୟ ହେବ । ଏଥିରୁ ଦରମା ଓ ପେନସନ ବାବଜରେ ୨ ଲକ୍ଷ ୭୦ ହଜାର କୋଟି ବ୍ୟୟ ହେବ । କେବଳ ପେନସନ ବଜେଟ୍ ୧ ଲକ୍ଷ ୩୮ ହଜାର କୋଟି ରହିଛି ।

ପ୍ରତିରକ୍ଷା ବଜେଟର ୨୫ ପ୍ରତିଶତ ଗବେଷଣା ଓ ବିକାଶ, ପ୍ରତିରକ୍ଷା ଷ୍ଟାର୍ଟଅପ ପ୍ରେତ୍ସାହନ ବାବଦରେ ବ୍ୟୟ ହେବ ।

ସମ୍ବନ୍ଧିତ ଖବର