ନୂଆଦିଲ୍ଲୀ : ଭାରତର ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଅର୍ଥନୈତିକ ଅଭିବୃଦ୍ଧିର ମୁଖ୍ୟ ପରିମାପକ ଜିଡିପି (ମୋଟ ଘରୋଇ ଉତ୍ପାଦ) ଅଭିବୃଦ୍ଧି ହାର ତ୍ରୟମାସ ପରେ ତ୍ରୟମାସ ନିମ୍ନମୁଖୀ ହେବାରେ ଲାଗିଛି। ଆଜି କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ଜିଡିପି ଅଭିବୃଦ୍ଧି ୫ ପ୍ରତିଶତ ତଳକୁ ଖସି ୪.୫ ପ୍ରତିଶତ ରହିଛି। ଗତ ସାଢ଼େ ୬ ବର୍ଷ ବା ୨୬ଟି ତ୍ରୟାମାସ ମଧ୍ୟରେ ଏହା ସର୍ବନିମ୍ନ ସ୍ତରକୁ ଖସିଯାଇଛି।
ଜିଡିପି ଅଭିବୃଦ୍ଧି ପ୍ରଥମ ତ୍ରୟମାସ ତୁଳନାରେ କମ୍ ରହିବ ବୋଲି ଅର୍ଥନୀତିଜ୍ଞ ଏବଂ ବିଭିନ୍ନ ସଂସ୍ଥା ଆକଳନ କରିଥିଲେ। ଏପରିକି ଏହା ୪.୨ ପ୍ରତିଶତରୁ ୪.୭ ପ୍ରତିଶତରେ ରହିବ ବୋଲି ସେମାନେ ଦର୍ଶାଇଥିଲେ। ଅର୍ଥନୀତିଜ୍ଞମାନଙ୍କ ଆକଳନ ସତରେ ପରିଣତ ହୋଇଛି। ପ୍ରଥମ ତ୍ରୟମାସ ତୁଳନାରେ ଜିଡିପି ଅଭିବୃଦ୍ଧି ୦.୫ ପ୍ରତିଶତ କମ୍ ରହିଛି। ଏହା ପୂର୍ବରୁ ୨୦୧୨-୧୩ ଆର୍ଥିକ ବର୍ଷର ଜାନୁଆରି-ମାର୍ଚ୍ଚ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୪.୩ ପ୍ରତିଶତ ରହିଥିଲା। କିନ୍ତୁ ଗତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଦେଶର ଜିଡିପି ୭ ପ୍ରତିଶତ ହାରରେ ଆଗକୁ ବଢ଼ିଥିଲା। ତେଣୁ ଗତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ତୁଳନାରେ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସର ଜିଡିପି ଅଭିବୃଦ୍ଧି ୨.୫ ପ୍ରତିଶତ କମିଯାଇଛି। ବିଶେଷକରି ମାନୁଫାକଚରିଂ, କୃଷି ଏବଂ ନିର୍ମାଣ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁ ଅର୍ଥନୀତିରେ ଏଭଳି ମନ୍ଥର ସ୍ଥିତି ଦେଖାଦେଇଛି।
ଏନ୍ଏସ୍ଓ ରିପୋର୍ଟରୁ ଜଣାଯାଇଛି, ମାନୁଫାକଚରିଂ କ୍ଷେତ୍ରର ଜିଭିଏ (ମୋଟ ମୂଲ୍ୟ ଯୋଗ) ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୟମାସରେ ୧ ପ୍ରତିଶତ ସଙ୍କୁଚିତ ହୋଇଛି। ବର୍ଷକ ପୂର୍ବେ ଏହା ୬.୯ ପ୍ରତିଶତ ରହିଥିଲା। ସେହିଭଳି କୃଷି କ୍ଷେତ୍ରର ଜିଭିଏ ଗତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ୪.୯ ପ୍ରତିଶତ ରହିଥିବାବେଳେ ଚଳିତବର୍ଷ ଦ୍ବିତୀୟ ତ୍ରୟମାସରେ ଏହା ୨.୧ ପ୍ରତିଶତକୁ ହ୍ରାସ ପାଇଛି। ସେହିଭଳି ନିର୍ମାଣ କ୍ଷେତ୍ରର ଜିଭିଏ ଉପରୋକ୍ତ ସମୟ ମଧ୍ୟରେ ୮.୫ ପ୍ରତିଶତ ପରିବର୍ତ୍ତେ ୩.୩ ପ୍ରତିଶତକୁ କମିଛି। ତେବେ ଖଣି କ୍ଷେତ୍ର ଗତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ସଙ୍କୁଚିତ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଏହା ୦.୧ ପ୍ରତିଶତ ହାରରେ ବଢ଼ିଛି।
ଦେଶର ଜିଡିପି ଅଭିବୃଦ୍ଧି ୪.୫ ପ୍ରତିଶତକୁ କମିବା ରିପୋର୍ଟ ଆସିବା ପରେ ସରକାରଙ୍କୁ ବିରୋଧୀ ଦଳମାନେ କଡ଼ା ସମାଲୋଚନା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହାକୁ ଗଭୀର ଚିନ୍ତାର ବିଷୟ ବୋଲି କହିଛନ୍ତି। ସେହିଭଳି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଏହାକୁ ଅର୍ଥନୀତିର ବସ୍ତୁତଃ ମୁକ୍ତ ପତନ ବୋଲି କହିଛନ୍ତି। ସେହିଭଳି ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରେନ୍ ମଧ୍ୟ ସରକାର ଓ ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ୨୬ଟି ତ୍ରୟମାସରେ ଜିଡିପି ଅଭିବୃଦ୍ଧି ସର୍ବନିମ୍ନ ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତଥାପି ଅର୍ଥମନ୍ତ୍ରୀଙ୍କଠାରୁ କୌଣସି ଉତ୍ତର ନାହିଁ ବୋଲି ସେ କହିଛନ୍ତି।
ସରକାର ଅତୀତରେ ଅର୍ଥନୀତିରେ ସୁଧାର ଆଣିବା ପାଇଁ ଏକାଧିକ ପଦକ୍ଷେପ ଘୋଷଣା କରି ସାରିଛନ୍ତି। କର୍ପୋରେଟ୍ ଟିକସକୁ କମାଇବାଠାରୁ ଆରମ୍ଭ କରି ବିଦେଶୀ ନିବେଶକଙ୍କ ଟିକସ ହାରକୁ ହ୍ରାସ କରିବା, ରିଅଲ ଇଷ୍ଟେଟ ପାଇଁ ପାଣ୍ଠି ଘୋଷଣା ସହିତ ବ୍ୟାଙ୍କଗୁଡ଼ିକୁ ପାଣ୍ଠି ଯୋଗାଣ ଏବଂ ଏକାଧିକ ରାଷ୍ଟ୍ରାୟତ୍ତ କମ୍ପାନିର ଘରୋଇକରଣ ଘୋଷଣା କରିସାରିଛନ୍ତି। େତବେ ଏସବୁ ଔଷଧ ଅର୍ଥନୀତିର ମାନ୍ଦାବସ୍ଥାକୁ କାଟୁ କରୁନାହିଁ। ଆଜି ଅକ୍ଟୋବର ମାସ ପାଇଁ ପ୍ରକାଶ ପାଇଥିବା ୮ଟି ପ୍ରମୁଖ ଭିତ୍ତିଭୂମି ଶିଳ୍ପର ଅଭିବୃଦ୍ଧି ୫.୮ ପ୍ରତିଶତ ସଙ୍କୁଚିତ ହୋଇଥିବା ଜଣାଯାଇଛି। ମାନ୍ଦାବସ୍ଥାରୁ ଅର୍ଥନୀତିକୁ ମୁକୁଳାଇବା ପାଇଁ ଚଳିତବର୍ଷ ରିଜର୍ଭ ବ୍ୟାଙ୍କ ଏକାଧିକ ଥର ସୁଧ ହାର ହ୍ରାସ କରିଛି। ଏହା ସତ୍ତ୍ବେ ଅର୍ଥନୀତି ଆହୁରି ତଳକୁ ଖସିଥିବାରୁ ଡିସେମ୍ବରରେ ରିଜର୍ଭ ବ୍ୟାଙ୍କ ସୁଧ ହାର ଆହୁରି କମାଇବ ବୋଲି ଅନୁମାନ କରାଯାଉଛି।