ମାନ୍ଦାବସ୍ଥା ମାଡ଼ : ୫ ପ୍ରତିଶତକୁ ଖସିଲା ଅଭିବୃଦ୍ଧି, ସାତ ବର୍ଷରେ ସବୁଠୁ କମ୍

ନୂଆଦିଲ୍ଲୀ : ମାନ୍ଦାବସ୍ଥା ମାଡ଼ରେ ଦୋହଲି ଯାଇଥିବା ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ଆହୁରି ତଳକୁ ଖସିଯାଇଛି। ଗତ ଆର୍ଥିକ ବର୍ଷର ଶେଷ ତ୍ରୟମାସ (ଜାନୁଆରି-ମାର୍ଚ୍ଚ)ରେ ଦେଶର ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି ହାର ୫.୮ ପ୍ରତିଶତ ରହିଥିଲା। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଆଜି ପ୍ରକାଶିତ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ଅର୍ଥାତ୍‌ ଏପ୍ରିଲ-ଜୁନ୍‌ ପାଇଁ ଜିଡିପି ଅଭିବୃଦ୍ଧି ହାର ୫ ପ୍ରତିଶତକୁ ଖସିଆସିଛି। ଏହା ଦେଶର ଅର୍ଥନୀତି ନିମ୍ନାଭିମୁଖୀ ହେଉଥିବା ଦର୍ଶାଉଥିବାରୁ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଏହା ପୂର୍ବରୁ ୨୦୧୨-୧୩ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ରେ ଦେଶର ଜିଡିପି ଅଭିବୃଦ୍ଧି ହାର ୪.୯ ପ୍ରତିଶତ ରହିଥିଲା। ଫଳରେ ଗତ ପ୍ରାୟ ୭ ବର୍ଷ ମଧ୍ୟରେ ଜିଡିପି ଅଭିବୃଦ୍ଧି ହାର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ହାର ୮ ପ୍ରତିଶତ ରହିଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସର ଜିଡିପି ଅଭିବୃଦ୍ଧି ହାର ୫.୭ ପ୍ରତିଶତରେ ରହିବ ବୋଲି ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରିଥିଲେ ମଧ୍ୟ କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ ପକ୍ଷରୁ ଆଜି ପ୍ରକାଶିତ ତଥ୍ୟ ସେମାନଙ୍କୁ ନିରାଶ କରିଛି। ଜିଡିପି ଅଭିବୃଦ୍ଧି ଏତେ ତଳକୁ ଖସିଯିବା ଫଳରେ କେନ୍ଦ୍ର ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି।

ଦେଶରେ ଲୋକଙ୍କ ଚାହିଦା ଏବଂ ଘରୋଇ ନିବେଶ ହ୍ରାସ ସମେତ ଚୀନ୍ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଦେଶର ଅଭିବୃଦ୍ଧିକୁ ପ୍ରଭାବିତ କରିଛି। ଅର୍ଥନୀତିର ଗତି ଆହୁରି ଧିମା ହେବା ପରେ ସରକାର ତୁରନ୍ତ ଆର୍ଥିକ ପ୍ୟାକେଜ ଘୋଷଣା କରିବା ଦାବି ବିଭିନ୍ନ ମହଲରୁ ବଢ଼ିବାରେ ଲାଗିଛି। ସେହିଭଳି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଗାମୀ ଦିନରେ ସୁଧ ହାର ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି।

କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ ପକ୍ଷରୁ ଆଜି ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ଯେ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ ତ୍ରୟମାସରେ ମାନୁଫାକ୍‌ଚରିଂ କ୍ଷେତ୍ରର ଅଭିବୃଦ୍ଧି ୦.୬ ପ୍ରତିଶତକୁ କମିଯାଇଛି। ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଏହା ୧୨.୧ ପ୍ରତିଶତ ରହିଥିଲା। ସେହିଭଳି ଶିଳ୍ପକ୍ଷେତ୍ରର ଅଭିବୃଦ୍ଧି ନୈରାଶ୍ୟଜନକ ରହିଛି। ସେବା କ୍ଷେତ୍ରରେ କେବଳ ହୋଟେଲ, ଟ୍ରେଡ ଏବଂ ଯୋଗାଯୋଗ କ୍ଷେତ୍ରର ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଅପେକ୍ଷାକୃତ ଭଲ ଅର୍ଥାତ୍ ୭.୧ % ରହିଛି। ଗତ ଆର୍ଥିକ ବର୍ଷର ଶେଷ ତ୍ରୟମାସରେ ଏ କ୍ଷେତ୍ରର ଅଭିବୃଦ୍ଧି ହାର ୬ ପ୍ରତିଶତ ରହିଥିଲା।

ଅଭିବୃଦ୍ଧି ହାର ହ୍ରାସ ପାଇବା ଫଳରେ ଭାରତ ଚୀନ୍‌ଠାରୁ ପଛରେ ପଡ଼ିଛି। ପୂର୍ବରୁ ବିଶ୍ବର ପ୍ରମୁଖ ଅର୍ଥନୀତିଗୁଡ଼ିକ ମଧ୍ୟରେ ସର୍ବାଧିକ ଅଭିବୃଦ୍ଧି ହାସଲ କରି ଆସୁଥିଲା। କିନ୍ତୁ ଚୀନ୍ ଗତ ଆର୍ଥିକ ବର୍ଷର ଶେଷ ‌ତ୍ରୟମାସରେ ଭାରତଠାରୁ ଏହି ମାନ୍ୟତା ଛଡ଼ାଇ ନେଇଥିଲା। ଚୀନର ଅଭିବୃଦ୍ଧି ୬.୪ ପ୍ରତିଶତ ଥିବାବେଳେ ଭାରତର ଅଭିବୃଦ୍ଧି ୫.୮ ପ୍ରତିଶତ ରହିଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ପରିସ୍ଥିତି ଆହୁରି ଖରାପ ହୋଇଛି। ଚୀନର ଅଭିବୃଦ୍ଧି ୬.୨ ପ୍ରତିଶତ ରହିଥିବାବେଳେ ଭାରତର ଅଭିବୃଦ୍ଧି ୫ ପ୍ରତିଶତକୁ ଖସିଯାଇଛି।

ଦେଶର ମାନ୍ଦାବସ୍ଥାକୁ ପ୍ରତିହତ କରିବା ପାଇଁ ଗତ କିଛିଦିନ ହେଲା ସରକାର ବିଭିନ୍ନ ପଦକ୍ଷେପମାନ ଘୋଷଣା କରିଆସୁଛନ୍ତି। ଗତ ବୁଧବାର କେନ୍ଦ୍ର କ୍ୟାବିନେଟରେ କୋଇଲା ଖଣି କ୍ଷେତ୍ରରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ଅନୁମତି ଦିଆଯାଇଛି। ଏଥିସହିତ କଣ୍ଟ୍ରାକ୍ଟ ମାନୁଫାକ୍‌ଚରିଂ ଏବଂ ସିଙ୍ଗଲ୍ ବ୍ରାଣ୍ଡ୍‌ ରିଟେଲ୍‌ରେ ବିଦେଶୀ ନିବେଶ ନିୟମକୁ କୋହଳ କରାଯାଇଛି।

ତାହା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଘୋଷଣା କରିଥିବା ଅନେକ କଠୋର ପଦକ୍ଷେପକୁ ମଧ୍ୟ ପ୍ରତ୍ୟାହାର କରି ସାରିଛନ୍ତି। ଏହା ସତ୍ତ୍ବେ ଦେଶରେ ଅଟୋମୋବାଇଲ କ୍ଷେତ୍ରର ବିକ୍ରି ଗତ ଦୁଇ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତରକୁ ଚାଲିଯାଇଛି। ସେହିଭଳି ରିଅଲ ଇଷ୍ଟେଟ କ୍ଷେତ୍ର ମଧ୍ୟ ଗୁରୁତର ସଙ୍କଟ ଦେଇ ଗତି କରୁଛି। ତେଣୁ ଆଗାମୀ ଦିନରେ ଅର୍ଥମନ୍ତ୍ରୀ ଏହି ଦୁଇ କ୍ଷେତ୍ର ସମେତ ଅର୍ଥନୀତିରେ ସୁଧାର ପାଇଁ ଆହୁରି ଅନେକ ବଳିଷ୍ଠ ପଦକ୍ଷେପ ଘୋଷଣା କରିବେ ବୋଲି ଆଶା ରହିଛି।

ସମ୍ବନ୍ଧିତ ଖବର