ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦୃଢ଼ ପ୍ରୟାସର ପରିଣାମ ସ୍ୱରୂପ ପାକିସ୍ତାନରୁ ଉପୁଜୁଥିବା ଆତଙ୍କବାଦୀ ଗତିବିଧି ଉପରେ ଆନ୍ତର୍ଜାତୀୟ ସମୁଦାୟର ଚିନ୍ତା ବଢିଛି। ଯେଉଁଥିରେ ଆନ୍ତର୍ଜାତୀୟସ୍ତରର କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଓ ବ୍ୟକ୍ତି-ଜମାତ୍-ଇଦ୍-ଦାୱା, ଲକ୍ସର-ଏ-ତୋଏବା, ଜୈସେ-ଏ-ମହମଦ, ହିଜ୍ବୁଲ ମୁଜାହିଦ୍ଦିନ ସାମିଲ ରହିଛି। ପାକିସ୍ତାନକୁ ତାହାର ଭୂଖଣ୍ଡରେ କୌଣସି ପ୍ରକାର ଆଦଙ୍କବାଦୀ ଗତିବିଧି ପାଇଁ ଉପଯୋଗ କରିବାର ଅନୁମତି ନ ଦେବାକୁ ବଡ ଭାଗୀଦାର ଦେଶଗୁଡ଼ିକ ପାକିସ୍ତାନ ଉପରେ ଚାପ ସୃଷ୍ଟି କରିଛନ୍ତି। ପାକିସ୍ତାନ ପ୍ରତି ଭାରତର ବିଦେଶ ନୀତିକୁ ନେଇ ବିଜେଡିର ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ରଙ୍କର ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବି. ମୁରଲୀ ଧରନ୍ ଏହି ସୂଚନା ଦେଇଛନ୍ତି।
ଅନେକ ଆତଙ୍କବାଦୀ ସଙ୍ଗଠନ ଓ ବ୍ୟକ୍ତି ଯେଉଁମାନଙ୍କୁ ପାକିସ୍ତାନର ଛତ୍ରଛାୟା ପ୍ରାପ୍ତ ଅଛି ଏବଂ ଯେଉଁମାନେ ଭାରତ ବିରୋଧରେ ଆତଙ୍କବାଦୀ ଗତିବିଧିରେ ଲିପ୍ତ ରହିଛନ୍ତି ସେମାନଙ୍କୁ ସଂଯୁକ୍ତ ରାଷ୍ଟ୍ର, ୟୁରୋପିଏନ୍ ୟୁନିୟନ ତଥା ଅନ୍ୟ ଦେଶମାନଙ୍କ ଦ୍ୱାରା ଅବୈଧ ଘୋଷଣା କରାଯାଉଛି। ଜୈସ-ଏ-ମହମଦର ତଥାକଥିତ ମୁଖିଆ ମୌଲାନା ମାସୁଦ୍ ଆଝାରକୁ ମେ’ ୨୦୧୯ରେ ଜାତିସଂଘର ୧୨୬୭ର ପ୍ରତିବନ୍ଧକ କମିଟି ଦ୍ୱାରା ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରାଯାଇଥିଲା। ଏତିକି ନୁହେଁ, ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ (ଏଫ୍ଏଟିଏଫ୍) ଦ୍ୱାରା ଚଳିତ ବର୍ଷ ଫେବୃଆରୀ ୨୦ରେ ଏହାର ପୂର୍ଣ୍ଣ ବୈଠକରେ ପାକିସ୍ତାନକୁ ଆତଙ୍କ ପୋଷଣ ପାଇଁ ନିରନ୍ତର ଆର୍ଥିକ ସହାୟତା ସମ୍ବନ୍ଧିତ ଚିନ୍ତାକୁ ଦୃଷ୍ଟିରେ ରଖି ‘ଗ୍ରେ ତାଲିକା’ରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଯେଉଁଥିରେ ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବା, ଜମାଦ୍-ଉଦ୍-ଦାୱା, ଫାଲା-ଇ-ଇନ୍ସାନିୟତ ଫାଉଣ୍ଡେସନ୍ ସାମିଲ ଅଛନ୍ତି। ପାକିସ୍ତାନ ଭୂଖଣ୍ଡରୁ ଆନ୍ତର୍ଜାତୀୟ ଆତଙ୍କବାଦୀ ସଙ୍ଗଠନର ସୀମାପାର ଆତଙ୍କବାଦୀ ଗତିବିଧିରେ ପାକିସ୍ତାନ ଲିପ୍ତ ରହିବାର ଭାରତର ନିରନ୍ତର ଦୃଢ଼ତା ପ୍ରମାଣିତ ହୋଇଥିବାର କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଲିଖିତ ଉତ୍ତରରେ ଉଲ୍ଲେଖ କରିଛନ୍ତି।