ଭାରତର ପ୍ରଥମ କୋଭିଡ୍‌ ଟିକାର ମନୁଷ୍ୟ ଠାରେ ପରୀକ୍ଷଣ ଖୁବ୍‌ ଶୀଘ୍ର

ନୂଆଦିଲ୍ଲୀ: ଭାରତର ନିଜସ୍ବ ଜ୍ଞାନକୌଳରେ ବିକଶିତ ଦେଶର ପ୍ରଥମ କୋଭିଡ୍ ଟିକା କୋଭାକ୍ସିନ୍‌ର ମନୁଷ୍ୟ ଶରୀରରେ ନୈଦାନିକ ପରୀକ୍ଷଣ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ଜଣାଯାଇଛି। ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍‌) ଏବଂ ଭାରତ ବାୟୋଟେକ୍ ଇଣ୍ଟରନାସନାଲ୍‌ ଲି.(ବିବିଆଇଏଲ୍‌)ର ମିଳିତ ଉଦ୍ୟମରେ ପ୍ରସ୍ତୁତ ଏହି ଟିକାର ମାନବ ଶରୀର ପରୀକ୍ଷଣ ପାଇଁ ୧୨ଟି ସଂସ୍ଥାକୁ ଆଇସିଏମ୍‌ଆର୍‌ ଚିଠି ଲେଖିଛି। ନିର୍ଦ୍ଧାରିତ ନୀତି ନିୟମ ଅନୁଯାୟୀ ଏହାର ପରୀକ୍ଷା ନିରୀକ୍ଷା ନିମନ୍ତେ ଜୁଲାଇ ୭ ସୁଦ୍ଧା ଆବଶ୍ୟକ ସ୍ବେଚ୍ଛାସେବୀ ନିଯୁକ୍ତି ସହ ବିଭିନ୍ନ ଭେଷଜ କମିଟିର ଅନୁମୋଦନ ହାସଲ ପାଇଁ ଉକ୍ତ ସଂସ୍ଥାମାନଙ୍କୁ କୁହାଯାଇଛି। ତେବେ କୌଣସି ବି ପରିସ୍ଥିତିରେ ନୀତି ନିୟମ ଅନୁପାଳନର କୌଣସି ପ୍ରକାର ଅଣଦେଖାକୁ ବରଦାସ୍ତ କରାଯିବନି ବୋଲି ଆଇସିଏମ୍‌ଆର୍‌ ସତର୍କ କରାଇ ଦେଇଛି। ମନୁଷ୍ୟ ଶରୀରରେ ପ୍ରଥମ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସ୍ବରୂପ ଏଥିରେ ଅଳ୍ପ କିଛି ସ୍ବେଚ୍ଛାସେବୀଙ୍କ ଠାରେ ଟିକା ପ୍ରୟୋଗର ନିରାପତ୍ତା, ଏହାର ମାତ୍ରା ଏବଂ ପାର୍ଶ୍ବ ପ୍ରତିକ୍ରିୟା ଆଦି ଅନୁଧ୍ୟାନ କରାଯାଇଥାଏ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟାୟ ଫଳାଫଳଗୁଡ଼ିକୁ ଅଧିକ ସଂଖ୍ୟକ ସ୍ବେଚ୍ଛାସେବୀଙ୍କ ଠାରେ ନିର୍ଣ୍ଣୟ କରାଯାଇଥାଏ। ମନୁଷ୍ୟ ଶରୀରରେ ଏହାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଅନୁମତି ପାଇବାରେ ଭାରତ ବାୟୋଟେକ୍‌ ହେଉଛି ପ୍ରଥମ। ସେହିପରି ଅନ୍ୟତମ ଭାରତୀୟ ଔଷଧ ନିର୍ମାତା ଜାଇଡସ୍‌ କାଡ଼ିଲା କମ୍ପାନି ମଧ୍ୟ ନିଜ ଦ୍ବାରା ବିକଶିତ ଜାଇକୋଭ୍-ଡି ଟିକାର ଅନୁରୂପ ପରୀକ୍ଷଣ ପାଇଁ ଅନୁମତି ପାଇଛି।

ସମ୍ବନ୍ଧିତ ଖବର