ନୂଆଦିଲ୍ଲୀ/ଭୁବନେଶ୍ବର: ବାୟୁ ମାନ ପୂର୍ବାନୁମାନ ପାଇଁ ଭାରତର ପ୍ରଥମ ସରକାରୀ ଫ୍ରେମ୍ୱର୍କ ‘ସଫର’କୁ ଅନ୍ତର୍ଜାତୀୟ ସ୍ବୀକୃତି ମିଳିଛି ବୋଲି ପ୍ରୋଜେକ୍ଟ ଡାଇରେକ୍ଟର ଡ. ଗୁଫ୍ରାନ ବେଗ୍ ବୁଧବାର କହିଛନ୍ତି। ଭୂବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ତଥା ଜାତୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନ୍ସିଏପି) ପାଇଁ ଜରୁରି ଏହି ଢାଞ୍ଚାକୁ ଦିଲ୍ଲୀ, ମୁମ୍ବାଇ, ପୁଣେ ଓ ଅହମଦାବାଦର ବାୟୁମାନ ପୂର୍ବାନୁମାନ ପାଇଁ ବ୍ୟବହାର କରାଯିବ।
ସୂଚନାଯୋଗ୍ୟ , ଏହି ବ୍ୟବସ୍ଥା ଦ୍ବାରା ଲବ୍ଧ ତଥ୍ୟ ଏକ ଗବେଷଣା ସନ୍ଦର୍ଭରେ ସ୍ଥାନ ପାଇଛି। ସନ୍ଦର୍ଭର ଶୀର୍ଷକ ହେଉଛି: ଇଣ୍ଡିଆଜ୍ ମେଡେନ୍ ଏୟାର କ୍ବାଲିଟି ଫୋର୍କାଷ୍ଟିଂ ଫ୍ରେମ୍ୱାର୍କ ଫର୍ ମେଗାସିଟିଜ୍ ଅଫ୍ ଡାଇଭର୍ଜେଣ୍ଟ ଏନ୍ଭାଇରନ୍ମେଣ୍ଟସ୍: ଦ ସଫର-ପ୍ରୋଜେକ୍ଟ। ଏହା ମଙ୍ଗଳବାର ଏଲ୍ସେଭିୟର ଜର୍ନାଲ ଏନ୍ଭାଇରନ୍ମେଣ୍ଟାଲ ମଡେଲିଂ ଆଣ୍ଡ୍ ସଫ୍ଟୱେର୍ରେ ପ୍ରକାଶ ପାଇବା ସହ ଏଥିରେ ତା’ର ସମୀକ୍ଷା କରାଯାଇଛି। ବିଷୁବମଣ୍ଡଳୀୟ ପାଣିପାଗ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଟିଏମ୍-ପୁନେ) ନେତୃତ୍ବରେ ଭାରତୀୟ ପାଣିପାଗ ବିଭାଗ ଓ ଉତ୍କଳ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର ପକ୍ଷରୁ ଏହି ଗବେଷଣା କରାଯାଇଥିଲା।
ଗବେଷଣାରୁ ଜଣାପଡ଼ିଥିଲା ଯେ, ପିଏମ୍୨.୫ (୨.୫ ମାଇକ୍ରନରୁ କମ୍ ବ୍ୟାସବିଶିଷ୍ଟ ପାର୍ଟିକୁଲେଟ୍ ମ୍ୟାଟର ବା ସୂକ୍ଷ୍ମ କଣିକା) ନିର୍ଗମନର ପ୍ରମୁଖ ଉତ୍ସ ହେଉଛି ପରିବହନ। ଦିଲ୍ଲୀରେ ଯେତେ ପିଏମ୍୨.୫ ପ୍ରଦୂଷଣ ହେଉଛି ସେଥିରେ ଗାଡ଼ିଘୋଡ଼ାର ଭୂମିକା ରହୁଛି ୪୧ ପ୍ରତିଶତ। ସେହିପରି ଏହାର ଭୂମିକା ପୁଣେରେ ୪୦, ଅହମଦାବାଦରେ ୩୫ ଓ ମୁମ୍ବାଇରେ ୩୧ ପ୍ରତିଶତ। ଏଥିରେ ଜୈବଇନ୍ଧନ ନିର୍ଗମନର ଅଂଶ ମୁମ୍ବାଇରେ ସର୍ବାଧିକ ୧୫.୫ ପ୍ରତିଶତ, ତା’ ତଳକୁ ପୁଣେରେ ୧୧.୪, ଅହମଦାବାଦରେ ୧୦.୨ ଓ ଦିଲ୍ଲୀରେ ୩ ପ୍ରତିଶତ।
ପ୍ରଥମେ ସଫର ଫ୍ରେମ୍ୱାର୍କରେ ୪ଟି ବିଭିନ୍ନ ପ୍ରକାର ମାଇକ୍ରୋ-କ୍ଲାଇମେଟ୍ ବିଶିଷ୍ଟ ଭାରତୀୟ ନଗରୀ – ଦିଲ୍ଲୀ, ମୁମ୍ବାଇ, ପୁଣେ ଓ ଅହମଦାବାଦକୁ ନିଆଯାଇଛି। ଏନ୍ସିଏପି ପ୍ରତିବଦ୍ଧତା ଅନୁଯାୟୀ ପରେ ଦେଶର ଅନ୍ୟ ସହରଗୁଡ଼ିକୁ ନିଆଯିବ। ଏନ୍ସିଏପିର ଉଦ୍ଦେଶ୍ୟ ହେଉଛି ୨୦୧୭କୁ ବେସ୍ ଇୟର (ମୂଳ ବର୍ଷ) ଧରି ୨୦୨୪ ସୁଦ୍ଧା ସୂକ୍ଷ୍ମ କଣିକା (ପିଏମ୍୨.୫) ଜନିତ ପ୍ରଦୂଷଣକୁ ୨୦ରୁ ୩୦ ପ୍ରତିଶତ ହ୍ରାସ କରିବା।