କରୋନା ଭାଇରସରେ ସଂକ୍ରମିତ ଭାରତର ପ୍ରଥମ ବ୍ୟକ୍ତି ଏବେ ରୋଗମୁକ୍ତ

ନୂଆଦିଲ୍ଲୀ : କରୋନା ଭାଇରସରେ ସଂକ୍ରମିତ ଭାରତର ପ୍ରଥମ ବ୍ୟକ୍ତି ଏବେ ରୋଗମୁକ୍ତ ହୋଇଯାଇଛନ୍ତି । ସେ ଚୀନର ଉହାନ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ । ଗତ ଜାନୁଆରି ୩୦ରେ ତାଙ୍କ ରକ୍ତରେ କରୋନା ଭାଇରସ ଥିବା ଜଣାପଡ଼ିଥିଲା । ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଅଲଗା ରଖାଯିବା ସହ ଚିକିତ୍ସା କରାଯାଉଥିଲା ।
ନିକଟରେ କେରଳସ୍ଥିତ ଜାତୀୟ ଭୁତାଣୁବାହକ ରୋଗ ଅନୁସଂନ୍ଧାନ ପ୍ରତିଷ୍ଠାନ (ଏନଆଇଭି)ରେ ତାଙ୍କର ରକ୍ତ ପରୀକ୍ଷା କରାଯିବା ପରେ ତାହା ନେଗେଟିଭ ବାହାରିଛି । ତେବେ ତାଙ୍କର ଆଉ ଏକ ରକ୍ତ ନମୁନା ପୁନେ ସ୍ଥିତି ଏନଆଇଭିକୁ ପଠାଯାଇଛି । ଏହି ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ଭାରତରେ ଏବେ ମାତ୍ର ୩ ଜଣ କରୋନା ଭାଇରସ ସଂକ୍ରମିତ ବ୍ୟକ୍ତି ରହିଛନ୍ତି । ତେବେ ଚୀନରୁ ଫେରିଥିବା ଶହ ଶହ ଲୋକମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ।
ଅନ୍ୟପକ୍ଷରେ ଚୀନରେ ଏହି ଭୁତାଣୁ ସଂକ୍ରମଣ ମହାମାରୀରେ ପରିଣତ ହୋଇଛି । ଏପର୍ଯ୍ୟନ୍ତ ଏଥିରେ ପ୍ରାୟ ୯୦୮ ଜଣ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୪୦ ହଜାରରୁ ଅଧିକ ସଂକ୍ରମଣ ମାମଲା ରହିଛି । ଚୀନର ହୁବେଇ ରାଜ୍ୟରେ ମୃତ୍ୟୁସଂଖ୍ୟା ୯୭ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ହୁବେଇ ରାଜ୍ୟର ରାଜଧାନୀ ଉହାନରୁ ହିଁ ଏହି ରୋଗ ପ୍ରଥମେ ବ୍ୟାପିଥିଲା । ପଶୁ ଦେହରୁ ଏହା ମଣିଷ ଶରୀରକୁ ଆସିଥିବା ସଂଦେହ କରାଯାଉଛି ।

ସମ୍ବନ୍ଧିତ ଖବର