କରୋନାରୁ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି କେରଳର ଡାକ୍ତରୀ ଛାତ୍ରୀ; ଉହାନରୁ କରୋନାରେ ଆକ୍ରାନ୍ତ ହୋଇ ସ୍ୱଦେଶ ଫେରିଥିଲେ

ତ୍ରିସୁର (କେରଳ): ଦେଶର ସର୍ବ ପ୍ରଥମ କରୋନା ଭାଇରସ୍‌ ଆକ୍ରାନ୍ତ ରୂପେ ଚିହ୍ନଟ ହୋଇଥିବା କେରଳ, ତ୍ରିସୁରର ମହିଳା ଛାତ୍ରୀ ଜଣକ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି। ତ୍ରିସୁରର ମେଡିକାଲ କଲେଜ ଓ ହସ୍ପିଟାଲରେ ଏବେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଏହି କରୋନା ଭାଇରସ୍‌ ଆକ୍ରାନ୍ତ ଛାତ୍ରୀ ଜଣଙ୍କର ଶରୀରରୁ ଆଜି ସଂଗ୍ରହ କରାଯାଇଥିବା ପଞ୍ଚମ ତଥା ଶେଷ ନମୁନା ନେଗେଟିଭ୍‌ ଆସିଛି। ତାଙ୍କର ଗୋଟିଏ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେଇଟି ମିଳିଯିବା ପରେ ତାଙ୍କୁ ସଂପୂର୍ଣ୍ଣ ସୁସ୍ଥ ବୋଲି ଘୋଷଣା କରାଯିବା ସହ ତାଙ୍କୁ ତାଙ୍କର ଘରକୁ ପଠାଇ ଦିଆଯିବ ବୋଲି କହିଛନ୍ତି ତ୍ରିସୁରର ମେଡିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷ।

ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍‌ର ଏନ୍ତୁଡ଼ିଶାଳ ରୂପେ ପରିଗଣିତ ହେଉଥିବା ଚୀନ୍‌ର ଉହାନ୍‌ରେ ସଂପୃକ୍ତା ଛାତ୍ରୀ ଜଣକ ଡାକ୍ତରୀ ପଢ଼ୁଥିଲେ। ଜାନୁଆରି ୩୦ ତାରିଖରେ ଉହାନ୍‌ରୁ ଭାରତକୁ ଫେରିବା ପରେ ସଂପୃକ୍ତା ଛାତ୍ରୀ ଜଣକ କରୋନା ଭାଇରସ୍‌ ଦ୍ୱାରା ଆକ୍ତାନ୍ତ ଥିବା ଜଣା ପଡ଼ିଥିଲା। ପରେ ପରେ ତାଙ୍କୁ ତ୍ରିସୁରର ମେଡିକାଲ କଲେଜ ଓ ହସ୍ପିଟାଲର ‘ଆଇସୋଲେଟେଡ୍‌ ଓ୍ଵାର୍ଡ଼ରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଆରମ୍ଭ କରା ଯାଇଥିଲା।

NewsHunt

ଏହାପରେ ଚୀନ୍‌ରେ ଡାକ୍ତରୀ ପଢ଼ୁଥିବା କେରଳର ଅନ୍ୟ ଦୁଇଜଣ ଛାତ୍ର ସ୍ୱଦେଶ ଫେରିବା ପରେ ସେମାନେ ମଧ୍ୟ କରୋନା ଭାଇରସ୍‌ ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା। କେବଳ ମାତ୍ର କେରଳରେ ତିନିଜଣ କରୋନା ଭାଇରସ୍‌ ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ କେରଳ ସରକାର ଏହାକୁ ‘ମେଡିକାଲ କାଲାମିଟି’ ରୂପେ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର