୧୦୦ ବର୍ଷ ତଳେ ଭାରତରେ ହୋଇଥିଲା ବିମୁଦ୍ରୀକରଣ, ହାଇଦ୍ରାବାଦର ନିଜାମ୍‌ ଟଙ୍କିକିଆ ନୋଟ୍‌ ପ୍ରଚଳନ ରଦ୍ଦ କରିଥିଲେ

ହାଇଦ୍ରାବାଦ : ଆଜିକୁ ଶହେ ବର୍ଷ ତଳେ ଅର୍ଥାତ ୧୯୨୦ ମସିହାରେ ଭାରତରେ ପ୍ରଥମେ ବିମୁଦ୍ରୀକରଣ ହୋଇଥିଲା। ସେ ଦୃଷ୍ଟିରୁ ୨୦୨୦ ମସିହାକୁ ଭାରତ ନିଜର ପ୍ରଥମ ବିମୁଦ୍ରୀକରଣର ଶତବାର୍ଷିକୀ ବର୍ଷ ଭାବେ ବିଚାର କରୁଛି। ୧୯୨୦ ମସିହାରେ ହାଇଦ୍ରାବାଦର ନିଜାମ୍‌ ସରକାର ପ୍ରଥମେ ୧ ଟଙ୍କିଆ କାଗଜ ମୁଦ୍ରାର ପ୍ରଚଳନକୁ ପ୍ରତ୍ୟାହାର କରି ନେଇଥିଲେ। ୧୯୧୮ ମସିହାରେ ହାଇଦ୍ରାବାଦ ନିଜାମ୍‌ ସରକାର ପ୍ରଥମ ଥର ପାଇଁ ୧୦ ଟଙ୍କିଆ ଏବଂ ୧୦୦ ଟଙ୍କିଆ କାଗଜ ମୁଦ୍ରା ପ୍ରଚଳନ କରିଥିଲେ। ଏହା ପରେ ୧୯୧୯ ମସିହାରେ ନିଜାମ ସରକାର ୧ ଟଙ୍କିଆ କାଗଜ ମୁଦ୍ରା ପ୍ରଚଳନ ଆରମ୍ଭ କରିଥିଲେ। ପ୍ରଥମ ବିଶ୍ବଯୁଦ୍ଧ ସମୟରେ ରୁପା ଭଳି ଧାତୁର ଅଭାବ ପରିଲକ୍ଷିତ ହେବାରୁ ରୁପା ମୁଦ୍ରା ପ୍ରଚଳନ ବାଧାପ୍ରାପ୍ତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ହାଇଦ୍ରାବାଦ ନିଜାମ କାଗଜ ଟଙ୍କା ପ୍ରଚଳନ କରିବା ଆରମ୍ଭ କରିଥିଲେ। ମାତ୍ର କାଗଜ ଟଙ୍କା ପ୍ରତି ଲୋକଙ୍କର ଆଗ୍ରହ ଓ ଆସ୍ଥା ରହିଲା ନାହିଁ। ପ୍ରଥମତଃ, ଏହା କଳା, ଧଳା ରଙ୍ଗରେ ଛପା ଯାଉଥିବାରୁ ଲୋକେ ଏହାକୁ ଅଶୁଭ ବୋଲି ବିବେଚନା କଲେ। ସେହିଭଳି ରୁପା ଟଙ୍କାକୁ ଲୋକେ ଶୁଭ ଦୃଷ୍ଟିରେ ବିଚାର କରୁଥିଲେ। ଅପରପକ୍ଷେ, କାଗଜ ଟଙ୍କାର ଅନ୍ତରୀଣ ମୂଲ୍ୟ ନଥିବାରୁ ଲୋକେ ଏହାକୁ ଗ୍ରହଣ କରି ନଥିଲେ। ଫଳରେ ୧୯୧୯ରେ ପ୍ରଚଳିତ ହୋଇଥିବା ୧ ଟଙ୍କିଆ କାଗଜ ମୁଦ୍ରାକୁ ବାଧ୍ୟ ହୋଇ ଗୋଟିଏ ବର୍ଷ ପରେ ଅର୍ଥାତ୍‌ ୧୯୨୦ରେ ହାଇଦ୍ରାବାଦର ନିଜାମ୍‌ ସରକାର ପ୍ରତ୍ୟାହାର କରି ନେଇଥିଲେ। ଏହା ବଦଳରେ ପୂର୍ବ ଭଳି ୧ ଟଙ୍କିଆ ରୁପା ମୁଦ୍ରା ପ୍ରଚଳନ ଜାରି ରହିଲା। ଏଣୁ ୧୯୨୦ ମସିହାରେ ଭାରତର ପ୍ରଥମ ବିମୁଦ୍ରୀକରଣ ହୋଇଥିଲା ବୋଲି କୁହାଯାଉଛି।

ବରିଷ୍ଠ ବ୍ୟାଙ୍କ ଅଧିକାରୀ ଅମରବୀର ସିଂହଙ୍କ କହିବା ଅନୁଯାୟୀ, ତତ୍କାଳୀନ ବ୍ରିଟିଶ ସରକାର ସ୍ବାଧୀନ ରାଜ୍ୟ ହାଇଦ୍ରାବାଦକୁ ମୁଦ୍ରା ପ୍ରଚଳନ ପାଇଁ ଅନୁମତି ଦେଇଥିଲେ। ହାଇଦ୍ରାବାଦ ନିଜାମ ସରକାର ବିଶେଷକରି ରୁପାରେ ଟଙ୍କା ପ୍ରଚଳନ କରୁଥିଲେ। ମାତ୍ର ପ୍ରଥମ ବିଶ୍ବଯୁଦ୍ଧ ସମୟରେ ରୁପାର ଉତ୍କଟ ଅଭାବ ଯୋଗୁଁ କାଗଜ ଟଙ୍କାର ପ୍ରଚଳନ ପାଇଁ ବ୍ରିଟିଶ ସରକାର ପ୍ରଥମେ ହାଇଦ୍ରାବାଦ ନିଜାମଙ୍କୁ ପରାମର୍ଶ ଦେଇଥିଲେ। ବ୍ରିଟିଶ ସରକାରଙ୍କ ପରାମର୍ଶ କ୍ରମେ ହାଇଦ୍ରାବାଦ ମୁଦ୍ରା ନିୟମ-୧୯୧୭/୧୯୧୮ ଅନୁଯାୟୀ, ସପ୍ତମ ନିଜାମ ମୀର୍‌ ଓସମାନ ଅଲ୍ଲୀ ଖାନ୍‌ ୧୯୧୮ ମସିହା ଜୁନ୍‌ ୪ରେ ୧୦ ଟଙ୍କିଆ ଏବଂ ୧୦୦ ଟଙ୍କିଆ କାଗଜ ମୁଦ୍ରା ପ୍ରଚଳନ କରିଥିଲେ। ଏହାର ବର୍ଷକ ବରେ ୧୯୧୯ରେ ୧ ଟଙ୍କିଆ କାଗଜ ମୁଦ୍ରା ପ୍ରଚଳନ କରିଥିଲେ। ମାତ୍ର ଏହା ଲୋକଙ୍କ ଦ୍ବାରା ଗ୍ରହଣୀୟ ନ ହେ‌ବାରୁ ୧୯୨୦ରେ ନିଜାମ୍‌ ସରକାର ବାଧ୍ୟ ହୋଇ ଏହାକୁ ପ୍ରତ୍ୟାହାର କରିଥିଲେ। ଏଣୁ ଏହାକୁ ଭାରତର ପ୍ରଥମ ବିମୁଦ୍ରୀକରଣର ଆଖ୍ୟା ମିଳିଛି। ଏହା ପରେ ୧୯୨୬ରେ ହାଇଦ୍ରାବାଦ ନିଜାମ ସରକାର ୧,୦୦୦ ଟଙ୍କିଆ କାଗଜ ମୁଦ୍ରା ପ୍ରଚଳନ କରିଥିଲେ। ତେବେ ନିଜାମଙ୍କ ଦ୍ବାରା ପ୍ରତ୍ୟାହୃତ କାଗଜ ଟଙ୍କାକୁ ସେତେବେଳେ ରାଜକୀୟ ରାଜକୋଷରେ ଗଚ୍ଛିତ ରଖାଯାଇଥିଲା। ୧୯୩୯ରେ ଏହି ଟଙ୍କାକୁ ନଷ୍ଟ କରାଯାଇଥିଲା।

ସମ୍ବନ୍ଧିତ ଖବର