ନୂଆଦିଲ୍ଲୀ: ୧୯୯୮ ମସିହା ନଭେମ୍ବର ୧୫ ତାରିଖରେ ସଞ୍ଜୟ କନ୍ଦସାମୀଙ୍କୁ ମାତ୍ର ୨୦ ମାସ ବୟସ ହୋଇଥିବା ବେଳେ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଏକ ଡାକ୍ତରୀ ଦଳ ତାଙ୍କ ଶରୀରରେ ଜୀବନ ରକ୍ଷାକାରୀ ଯକୃତ ପ୍ରତିରୋପଣ କରିଥିଲେ, ଯାହା ତାଙ୍କୁ ଦେଶର ପ୍ରଥମ ଯକୃତ ପ୍ରତିରୋପିତ ଶିଶୁରେ ପରିଣତ କରିଥିଲା। ୨୫ ବର୍ଷ ପରେ ସଞ୍ଜୟ ଏବେ ନିଜେ ଜଣେ ଡାକ୍ତର। କାଞ୍ଚିପୁରମ୍‌ର ନିଜ ସହରର ଏକ ସ୍ଥାନୀୟ ଡାକ୍ତରଖାନାରେ ସେ ଡାକ୍ତରୀ ଅଭ୍ୟାସ କରୁଛନ୍ତି ଏବଂ ଅଙ୍ଗଦାନ ପାଇଁ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରୁଛନ୍ତି। ଅସ୍ତ୍ରୋପଚାର ପରେ ଜଣେ ବ୍ୟକ୍ତି କିପରି ସମ୍ପୂର୍ଣ୍ଣ ସ୍ୱାଭାବିକ ଜୀବନ ଯାପନ କରିପାରିବେ ତାହା ଉଦାହରଣ ମାଧ୍ୟମରେ ବୁଝାଉଛନ୍ତି। ନିଜ ଗାଁକୁ ଫେରିବା ପୂର୍ବରୁ ସେ ବେଙ୍ଗାଲୁରୁର ଆପୋଲୋ ହସ୍ପିଟାଲରେ ମଧ୍ୟ କାମ କରିଥିଲେ।

Advertisment

publive-image

କନ୍ଦସାମୀ କହିଛନ୍ତି, ଅସ୍ତ୍ରୋପଚାର ବେଳେ ମୁଁ ବହୁତ ଛୋଟ ଥିଲି। ବଡ଼ ହେବା ପରେ ମୋର ପେଟରେ ଥିବା ଅସ୍ତ୍ରୋପଚାର ଦାଗ ବିଷୟରେ ମୋ ମା’ଙ୍କୁ ପଚାରିଥିଲି। ମୋ ବାପା ମୋ ପାଇଁ କ’ଣ କରିଛନ୍ତି ଏବଂ ଡାକ୍ତରମାନେ କିପରି ମୋ ଜୀବନ ବଞ୍ଚାଇଛନ୍ତି, ତାହା ମାଆଙ୍କଠାରୁ ଶୁଣିବା ପରେ ମୁଁ ନିଷ୍ପତ୍ତି ନେଲି ଯେ ମୁଁ ମଧ୍ୟ ଜଣେ ଡାକ୍ତର ହେବି ଏବଂ ଲୋକଙ୍କ ଜୀବନ ବଞ୍ଚାଇବି। କନ୍ଦସାମୀ ଏକ ଜନ୍ମଗତ ରୋଗ, ବିଲିୟାରୀ ଆଟ୍ରେସିଆ ସହିତ ଜନ୍ମ ଗ୍ରହଣ କରିଥିଲେ। ଏହା ଏକ ଯକୃତ ରୋଗ ଯାହା ଯକୃତରୁ ପିତ୍ତ ବହନ କରୁଥିବା ନଳୀରେ ଅବରୋଧ ସୃଷ୍ଟି କରେ। ତାଙ୍କ କ୍ଷେତ୍ରରେ ଏହି ଅବସ୍ଥାରେ ଜଣ୍ଡିସ ମଧ୍ୟ ହୋଇଥିଲା, ଯାହା ତାଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେଇଥିଲା। ପ୍ରତିରୋପଣ ପ୍ରସ୍ତାବକୁ ନେଇ ପରିବାର ଲୋକଙ୍କ ସହ ଆଲୋଚନା ହେବା ପରେ ସଞ୍ଜୟଙ୍କ ବାପା ବିନା ଦ୍ୱିଧାରେ ଦାତା ହେବାକୁ ରାଜି ହୋଇଥିଲେ। ତାଙ୍କର ବୟସ ଏବେ ୬୧ ବର୍ଷ ହୋଇଥିବା ବେଳେ ସେ ମଧ୍ୟ ସୁସ୍ଥ ଅଛନ୍ତି।

କନ୍ଦସାମୀଙ୍କ ଡାକ୍ତର ତଥା ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଗ୍ରୁପ୍ ମେଡିକାଲ ନିର୍ଦ୍ଦେଶକ ଡାକ୍ତର ଅନୁପମ ସିବଲ କହିଛନ୍ତି ଯେ ଯେତେବେଳେ ୨୦ ମାସର ଶିଶୁର ଯକୃତ ପ୍ରତିରୋପଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା, ସେତେବେଳେ ଅନେକ ସନ୍ଦେହ ଓ ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ସଞ୍ଜୟ ଓ ତାଙ୍କ ପରିବାର ବହୁତ ସାହସ ଓ ସଂକଳ୍ପ ଦେଖାଇଥିଲେ। କନ୍ଦସାମୀଙ୍କ ପ୍ରତିରୋପଣର ୨୫ ବର୍ଷ ପୂର୍ତ୍ତି ଅବସରରେ ଆପୋଲୋ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ୫୦୦ତମ ଶିଶୁ ଯକୃତ ପ୍ରତିରୋପଣକୁ ସଫଳତାର ସହ ପରିଚାଳନା କରିଥିଲେ।