‘ଗଗନଯାନ’ରେ ଜଣେ ମାତ୍ର ମହାକାଶଚାରୀ ଯିବେ: ଇସ୍ରୋ

ବେଙ୍ଗାଲୁରୁ: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଅଭିଯାନରେ ମାତ୍ର ଜଣେ ମହାକାଶଚାରୀ ଯାଇପାରନ୍ତି ବୋଲି ମଙ୍ଗଳବାର ଦିନ ‘ଇସ୍ରୋ’ ମୁଖ୍ୟ କେ ଶିବନ କହିଛନ୍ତି। ‘ଗଗନଯାନ’ରେ ଅନ୍ତରୀକ୍ଷକୁ ପ୍ରେରଣ କରାଯିବା ନିମନ୍ତେ ମନୋନୀତ ହୋଇଥିବା ୪ଜଣ ବ୍ୟକ୍ତି ରୁଷ୍‌ରେ ୧୧ ମାସ ‘ଫିଜିକାଲ୍‌ ଫିଟ୍‌ନେସ୍‌’ ତାଲିମ ଗ୍ରହଣ କରିବେ। କିନ୍ତୁ ଡିସେମ୍ବର ୨୦୨୧ରେ ଯିବାକୁ ଥିବା ମହାକାଶଯାନ ‘ଗଗନଯାନ’ ସେମାନଙ୍କ ମଧ୍ୟରୁ ମାତ୍ର ଜଣକୁ ନେବ ବୋଲି ସେ କହିଛନ୍ତି।

୧୦ ହଜାର କୋଟି ଟଙ୍କା ମୂଲ୍ୟର ଏହି ଅଭିଯାନରେ ଭାରତ ତା’ର ବାୟୁସେନାର ପାଇଲଟ୍‌ମାନଙ୍କୁ ମହାକାଶଚାରୀ ଭାବେ ପଠାଇବାକୁ ସ୍ଥିର କରିଛି। ପୃଥିବୀ ଠାରୁ ୨୦୦୦ କିଲୋମିଟର୍‌ ଦୂରରେ ରହି ଏହି ମହାକାଶଯାନ ପୃଥିବୀ ପରିକ୍ରମା କରିବ।

Image Source: The Economics Times

୨୦୧୮ ମସିହା ଅଗଷ୍ଟ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍‌ କିଲ୍ଲାର ପ୍ରାଚୀର ଉପରୁ ମହାକାଶ ଅଭିଯାନ ବିଷୟରେ ଘୋଷଣା କରିଥିଲେ। ସେ କହିଥିଲେ: ୨୦୨୨ରେ ଦେଶ ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ‘ଜଣେ ଭାରତୀୟ ସନ୍ତାନ କିଂବା ସନ୍ତତି’ ମହାକାଶ ଅଭିଯାନରେ ଜାତୀୟ ପତାକା ଧାରଣ କରି ମହାଶୂନ୍ୟକୁ ଯାତ୍ରା କରିବେ।

ଅଭିଯାନ ପାଇଁ ସଂକ୍ଷିପ୍ତ ତାଲିକାଭୁକ୍ତ ହୋଇଥିବା ମହାକାଶଚାରୀମାନେ ପୁରୁଷ ବୋଲି ଶିବମ୍‌ କହିଛନ୍ତି। ସେ କହିଛନ୍ତି: ଗଗନଯାନ ଅଭିଯାନ ନିମନ୍ତେ ସଂକ୍ଷିପ୍ତ ତାଲିକାଭୁକ୍ତ ହୋଇଥିବା ୪ଜଣଙ୍କ ପରିଚୟ ପ୍ରକାଶ କରିପାରିବି ନାହିଁ, କିନ୍ତୁ ସେମାନେ ସମସ୍ତେ ପୁରୁଷ।

ଜାନୁଆରି ତୃତୀୟ ସପ୍ତାହରୁ ରୁଷ୍‌ରେ ସେମାନଙ୍କର ତାଲିମ ଆରମ୍ଭ ହେବ ବୋଲି ‘ଇସ୍ରୋ’ ତରଫରୁ କୁହାଯାଇଛି।

ସମ୍ବନ୍ଧିତ ଖବର