ନୌସେନା ପାଇଁ ନିର୍ମାଣ ହେଲା ଭାରତର ପ୍ରଥମ ଯାତ୍ରୀବାହୀ ଡ୍ରୋନ ‘ବରୁଣ’

ନୂଆଦିଲ୍ଲୀ : ପୁଣେର ଏକ ଷ୍ଟାର୍ଟଅପ ସାଗର ଡିଫେନ୍ସ ଇଂଜିନିୟରିଂ କମ୍ପାନି ଭାରତୀୟ ନୌସେନା ପାଇଁ ନିର୍ମାଣ କରିଛି ଦେଶର ପ୍ରଥମ ଯାତ୍ରୀବାହୀ ଡ୍ରୋନ ବରୁଣ । ଏହାର ବିଶେଷତା ହେଉଛି ଏଥିରେ ଜଣେ ଯାତ୍ରୀ ବସି ପାରିବେ, କିନ୍ତୁ କେହି ପାଇଲଟ ରହିବେ ନାହିଁ । ଅର୍ଥାତ ଜଣେ ବ୍ୟକ୍ତି ଏଥିରେ ବସିଲେ ତାଙ୍କୁ କିଛି କରିବାକୁ ପଡ଼ିବ ନାହିଁ, ସ୍ବୟଂଚାଳିତଭାବେ ଏହି ଡ୍ରୋନ ଚାଲିବ ଓ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇବ । ଏହା ସର୍ବାଧିକ ୨୫ କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରିବ ।

ଏହାକୁ ରିମୋଟ ମାଧ୍ୟମରେ ଉଡ଼ାଯାଇପାରିବ । ଯଦି କୌଣସି କାରଣବଶତଃ ଏହି ଡ୍ରୋନ ଆକାଶରେ ଥିବାବେଳେ ଖରାପ ହୋଇଯାଏ କିମ୍ବା ଭୂମି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ, ଏହା ଅଟୋ-ପାଇଲଟ ମୋଡରେ ବି ଚାଲିପାରିବ । ପୁଣି ଖରାପ ପାଗ କିମ୍ବା ଅନ୍ୟକୌଣସି ବଡ଼ ଧରଣର ସମସ୍ୟା ହେଲେ ମଧ୍ୟ ଏହା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ପାରିବ । ଏଥିରେ ଲାଗିଥିବା ପାରାଚ୍ୟୁଟ ଆପେ ଆପେ ଖୋଲି ଯାତ୍ରୀଙ୍କୁ ସୁରକ୍ଷିତ ଓହ୍ଲାଇ ଦେବ ।

ଭାରତୀୟ ନୌସେନା ପକ୍ଷରୁ ସାଗର ଡିଫେନ୍ସକୁ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା । କମ୍ପାନି ତାହାକୁ ସଫଳତାର ସହ ପୂରଣ କରିଛି । ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ପ୍ରଦର୍ଶନ ଓ ଦକ୍ଷତା ଦେଇଥିଲେ । ଏହାକୁ ଏୟାର ଆମ୍ବୁଲାନ୍ସ, କଠିନ ପରିସ୍ଥିତିରୁ ଲୋକଙ୍କୁ ଉଦ୍ଧାର କାମରେ ବ୍ୟବହାର କରାଯାଇପାରିବ ।

 

ସମ୍ବନ୍ଧିତ ଖବର