ଭାରତରେ ପ୍ରଥମ: ଦିଲ୍ଲୀର ମ୍ୟାକ୍ସ୍‌ ହସ୍‌ପିଟାଲ୍‌ରେ ଆରମ୍ଭ ହେଲା କୋଭିଡ୍-୧୯ ରୋଗୀଙ୍କ ପାଇଁ ପ୍ଲାଜ୍‌ମା ଚିକିତ୍ସା

ନୂଆଦିଲ୍ଲୀ: କରୋନାଭାଇରସ୍‌ ଆରୋଗ୍ୟ କରିବା ଆଶାରେ ନୂଆ ଦିଲ୍ଲୀର ସାକେତ୍ ଠାରେ ଥିବା ମ୍ୟାକ୍ସ୍ ହସ୍‌ପିଟାଲ୍‌ରେ ଡାକ୍ତରମାନେ ଭାରତରେ ପ୍ରଥମ କରି ପ୍ଲାଜ୍‌ମା ଚିକିତ୍ସା କରିଛନ୍ତି।

ନୂଆଦିଲ୍ଲୀ ଅନ୍ତର୍ଗତ ଡିଫେନ୍ସ କଲୋନିର ଏକ ପରିବାରର ଚାରିଜଣ ସଦସ୍ୟ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇ ମ୍ୟାକ୍ସ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ।

କୋଭିଡ୍-୧୯ ସଂକ୍ରମଣ ଯୋଗୁଁ ସେ ପରିବାରର ବାପାଙ୍କର ମୃତ୍ୟୁ ଘଟିଥିବା ବେ‌ଳେ ମାଆ ଓ ଝିଅଙ୍କୁ ଘରକୁ ଛାଡ଼ି ଦିଆଯାଇଛି। ସମ୍ପ୍ରତି ଭେଣ୍ଟିଲେଟର୍‌ରେ ଥିବା ପୁଅର ପ୍ଲାଜ୍‌ମା ଉପଚାର କରାଯାଉଛି। ପ୍ଲାଜ୍‌ମା ଚିକିତ୍ସା କରିବାକୁ ଏହି ଡାକ୍ତରଖାନା ସରକାରଙ୍କ ଠାରୁ ଅନୁମତି ଆଣିଥିଲା। ଏହା ହେଉଛି ଦେଶରେ କରୋନାଭାଇରସ୍‌ ସଂକ୍ରମଣରେ ପ୍ରଥମ ପ୍ଲାଜ୍‌ମା ଚିକିତ୍ସା।

କରୋନାଭାଇରସ୍‌କୁ ଦମନ କରିବାକୁ କୌଣସି ଟିକା କିଂବା ଔଷଧ ନ ଥିବାରୁ ପ୍ଲାଜ୍‌ମା ଚିକିତ୍ସା ଫଳପ୍ରଦ ହେବ ବୋଲି ଆଶା କରାଯାଉଛି। କୋଭିଡ୍-୧୯ ରୋଗୀଙ୍କୁ ସୁସ୍ଥ କରିବାକୁ ଚୀନ୍ ଓ କୋରିଆ ଏହି ପଦ୍ଧତି ବ୍ୟବହାର କରିଛନ୍ତି।

ସମ୍ବନ୍ଧିତ ଖବର