ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ଭାରତର ପ୍ରଥମ ସୌର ଭିତ୍ତିକ ମହାକାଶଯାନ ‘ଆଦିତ୍ୟ-ଏଲ୍‌୧’କୁ ଆଜି ସଫଳତାର ସହ ଉତ୍‌କ୍ଷେପଣ କରିଛି। ଆଜି ଦିନ ୧୧ଟା ୫୦ରେ ଆଦିତ୍ୟ-ଏଲ୍‌୧ ଶ୍ରୀହରିକୋଟା ସତୀଶ ଧାବନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଏକ ପିଏସ୍‌ଏଲ୍‌ଭି-ଏକ୍ସଏଲ୍‌ (ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକିଲ) ରକେଟ୍ ଯୋଗେ ଉତ୍‌କ୍ଷେପିତ ହୋଇଛି। ଦ୍ବିତୀୟ ଲଞ୍ଚ ପ୍ୟାଡ୍‌ରୁ ଲଞ୍ଚ ହେବାରେ ଏହା ହେଉଛି ଦ୍ବିତୀୟ ମହାକାଶ ଯାନ। ପିଏସ୍‌ଏଲ୍‌ଭି-ସି୫୭ ଭାବରେ ମଧ୍ୟ ଜଣାଶୁଣା ଏହି ମିସନ ହେଉଛି ପିଏସ୍‌ଏଲ୍‌ଭିର ୫୯ତମ ଉତ୍‌କ୍ଷେପଣ। ଉତ୍‌କ୍ଷେପଣ ପରେ ନିର୍ଦ୍ଧାରିତ ସମୟରେ ପିଏସ୍‌ଏଲ୍‌ଭି ରକେଟରୁ ଆଦିତ୍ୟ ଏଲ୍‌-୧ ଅଲଗା ହୋଇଥିଲା ଏବଂ ଏ ବାବଦ ସମସ୍ତ ପର୍ଯ୍ୟାୟ ଶତ ପ୍ରତିଶତ ସଫଳତାର ସହ ପୂରା ହୋଇଥିଲା।

Advertisment

ସୂର୍ଯ୍ୟ ଆଡକୁ ଆଦିତ୍ୟ-ଏଲ୍‌୧ର ଯାତ୍ରା ଅତ୍ୟନ୍ତ ଜଟିଳ ଏବଂ ଏଥିରେ ଅନେକ ପର୍ଯ୍ୟାୟ ଅନ୍ତର୍ଭୁକ୍ତ। ଉତ୍‌କ୍ଷେପଣଠାରୁ ପ୍ରାୟ ୧୨୫ ଦିନରେ ଏହା ଅନ୍ତିମ ଲକ୍ଷ୍ୟସ୍ଥଳରେ ପହଞ୍ଚିବ। ଆଦିତ୍ୟ-ଏଲ୍‌୧କୁ ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ପଠାଯାଇଛି, କାରଣ ଆମ ସୌରଜଗତର ଏକମାତ୍ର ନକ୍ଷତ୍ର (ସୂର୍ଯ୍ୟ)କୁ ବୁଝିପାରିଲେ ତାହା ବୈଜ୍ଞାନିକମାନଙ୍କୁ ଛାୟାପଥର ଅନ୍ୟ ନକ୍ଷତ୍ରମାନଙ୍କ ବିଷୟରେ ଅଧିକ ଜାଣିବାରେ ସାହାଯ୍ୟ କରିବ। ସଫଳ ଉତ୍‌କ୍ଷେପଣ ପରେ ଇସ୍ରୋ କହିଛି ଯେ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୪୫ରେ ଆଦିତ୍ୟ ଏଲ୍‌୧ର ପ୍ରଥମ ଆର୍ଥବାଉଣ୍ଡ୍‌ ଫାୟରିଂ ହେବ ଏବଂ ଏହା ଆଜି ନିର୍ଦ୍ଧରିତ ସମୟସୀମା ମଧ୍ୟରେ ନିଜସ୍ବ ଶକ୍ତି ସୃଷ୍ଟି ପ୍ରକ୍ରିୟା ଆରମ୍ଭ କରିଦେଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ସୌର ଅଭିଯାନ ଆଦିତ୍ୟ ଏଲ୍‌୧ର ସଫଳ ପ୍ରକ୍ଷେପଣ ପାଇଁ ଇସ୍ରୋର ବୈଜ୍ଞାନିକ ଏବଂ ଇଂଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ମିସନ ସଂପୂର୍ଣ୍ଣ ମାନବତାର କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ବ୍ରହ୍ମାଣ୍ଡ ସଂପର୍କିତ ଜ୍ଞାନକୁ ବିକଶିତ କରିବା ପାଇଁ ଆମ ବୈଜ୍ଞାନିକଙ୍କ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଦିତ୍ୟ ଏଲ୍‌୧ର ସଫଳ ଉତ୍‌କ୍ଷେପଣ ପରେ ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ କହିଛନ୍ତି ଯେ ଏହି କଷ୍ଟସାଧ୍ୟ ମିସନ ପାଇଁ ପିଏସ୍‌ଏଲ୍‌ଭିକୁ ଅଭିନନ୍ଦନ ଜଣାଉଛି। ଏହି ମିସନ ଏଲ୍‌-୧ ପଏଣ୍ଟରୁ ନିଜ ଯାତ୍ରା ଆରମ୍ଭ କରିବ। ଏହା ପ୍ରାୟ ୧୨୫ ଦିନର ଲମ୍ବା ଯାତ୍ରା କରିବ।