ତାଲିବାନ ସହ ଭାରତର ପ୍ରଥମ କଥାବାର୍ତ୍ତା: ଭାରତୀୟ ନାଗରିକକ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଦିଗରେ ଗୁରୁତ୍ବାରୋପ

ଭାରତ ବିରୋଧରେ ଆଫଗାନ୍‌ ମାଟିକୁ ବ୍ୟବହାର ନକରିବାକୁ କହିଲା

ନୂଆଦିଲ୍ଲୀ: କତାରର ଦୋହାରେ ଆଜି ଭାରତ-ତାଲିବାନ ମଧ୍ୟରେ ପ୍ରଥମ ବୈଠକ ହୋଇଛି। କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ତାଲିବାନର ରାଜନୈତିକ ଅଫିସ ମୁଖ୍ୟ ମହମ୍ମଦ ଆବ୍ବାସ ସ୍ତାନେକଜାଇଙ୍କ ସହ ଔପଚାରିକ ବୈଠକ କରିଛନ୍ତି। ଏହି ବୈଠକରେ ଆଫଗାନିସ୍ତାନରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଏବଂ ଶୀଘ୍ର ପ୍ରତ୍ୟାବର୍ତ୍ତନ ସଂକ୍ରାନ୍ତରେ ଆଲୋଚନା ହୋଇଛି। ତାଲିବାନ ପକ୍ଷରୁ ହୋଇଥିବା ଏକ ଅନୁରୋଧ ରକ୍ଷା କରି ଦୋହା ସ୍ଥିତ ଭାରତୀୟ ଦୁତାବାସରେ ଆଜିର ଏହି ବୈଠକ ହୋଇଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ‌ଉଭୟ ଭାରତ ଏବଂ ତାଲିବାନ ମଧ୍ୟରେ ଏହା ପ୍ରଥମ କୂଟନୈତିକ ବୈଠକ।

ଆଫଗାନିସ୍ତାନରେ ଫସିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବା ଏବଂ ଭାରତ ଫେରିବାକୁ ଚାହୁଥିବା ସଂଖ୍ୟାଲଘୁ ସଦସ୍ୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଆଫଗାନ ମାଟିକୁ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ କଦାପି ବ୍ୟବହାର କରାଯିବା ଉଚିତ୍‌ ନୁହେଁ ବୋଲି ଭାରତୀୟ ରାଷ୍ଟ୍ରଦୂତ ବୈଠକରେ କହିଛନ୍ତି। ଭାରତ ଉଠାଇଥିବା ପ୍ରସଙ୍ଗଗୁଡ଼ିକ ଉପରେ ସକରାତ୍ମକ ଭାବେ ଧ୍ୟାନ ଦିଆଯିବ ବୋଲି ତାଲିବାନ ପ୍ରତିନିଧି ପ୍ରତିଶ୍ରୁତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତକାଲି ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଥିଲେ, ଭାରତ ଏକ ଗୁରୁତ୍ବପୂର୍ଣ୍ଣ ରାଷ୍ଟ୍ର ଏବଂ ଆଫଗାନିସ୍ତାନରେ ନୂଆ ସରକାର ଭାରତ ସହ ଉତ୍ତମ ସମ୍ପର୍କ ଆଶା କରେ।

ତାଲିବାନ ପକ୍ଷରୁ ଭାରତ ପ୍ରତି କୌଣସି ବିପଦ ନାହିଁ ବୋଲି ସେ କହିଥିଲେ। ତାଲିବାନମାନେ ଅଗଷ୍ଟ ୧୫ରେ ଆଫଗାନ ଦଖଲ କରିବାପରେ ଭାରତ ପକ୍ଷରୁ ଏହା ତାଲିବାନଙ୍କ ସହ ପ୍ରଥମ ବୈଠକ। ଗତକାଲି ମଧ୍ୟ ସ୍ତାନେକଜାଇ ତାଲିବାନର ସୋସିଆଲ ମିଡିଆ ପ୍ଲାଟଫର୍ମରେ ୪୬ ମିନିଟର ଏକ ଭିଡିଓ ପୋଷ୍ଟ୍‌ କରିଥିଲେ ଏବଂ ତାଲିବାନ ଭାରତ ସହ ରାଜନୈତିକ, ଆର୍ଥିକ ଏବଂ ସାଂସ୍କୃତିକ ସମ୍ପର୍କ ଜାରି ରଖିବାକୁ ଚାହେ ବୋଲି ସେ କହିଥିଲେ। ପାକିସ୍ତାନ ଦେଇ ଭାରତ ସହ ବାଣିଜ୍ୟ କାରବାର ତାଲିବାନ ପାଇଁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ବୋଲି ମଧ୍ୟ ସେ କହିଥିଲେ।

ସମ୍ବନ୍ଧିତ ଖବର