ଜାତିସଂଘ: ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଇ ମଙ୍ଗଳବାର ଦିନ ରାଷ୍ଟ୍ରଦୂତ ରୁଚିରା କମ୍ବୋଜ୍‌ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ନିକଟରେ ନିଜର କାଗଜପତ୍ର ଦାଖଲ କରିଛନ୍ତି। ନ୍ୟୁୟର୍କରେ ଥିବା ଜାତିସଂଘର ମୁଖ୍ୟାଳୟରେ ପ୍ରତିନିଧି ଭାବେ ଦାୟିତ୍ବ ଗ୍ରହଣ କରିବା ରେ ରୁଚିରା ହେଉଛନ୍ତି ଭାରତର ପ୍ରଥମ ମହିଳା।

Advertisment

୫୮ ବର୍ଷୀୟ ରୁଚିରା ହେଉଛନ୍ତି ୧୯୮୭ ବ୍ୟାଚ୍‌ର ‘ଇଣ୍ଡିଆନ୍‌ ଫରେନ୍‌ ସର୍ଭିସ୍‌ ଅଫିସର୍‌’। ପୂର୍ବରୁ ସେ ଭୁଟାନ୍‌ରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିଲେ। ଏହାଛଡ଼ା, ୨୦୦୨ରୁ ୨୦୦୫ ପର୍ଯ୍ୟନ୍ତ ସେ ଜାତିସଂଘରେ ଭାରତର ସ୍ଥାୟୀ ମିସନ୍‌ର କାଉନ୍‌ସେଲର୍‌ ଭାବେ କାର୍ଯ୍ୟ କରିଥିଲେ। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟି. ଏସ୍‌. ତରୁମୂର୍ତ୍ତି ସ୍ଥାନରେ ଗତ ଜୁନ୍‌ ମାସରେ ରୁଚିରାଙ୍କୁ ନିଯୁକ୍ତି ମିଳିଥିଲା।

publive-image Image Courtesy of Oneindia

ଟୁଇଟ୍‌ କରି ରୁଚିରା ଲେଖିଛନ୍ତି: ଆଜି ମୁଁ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ନିକଟରେ ଜାତିସଂଘର ସ୍ଥାୟୀ ପ୍ରତିନିଧି/ରାଷ୍ଟ୍ରଦୂତ ଭାବେ ମୋର କାଗଜପତ୍ର ଦାଖଲ କଲି। ପ୍ରଥମ ଭାରତୀୟ ମହିଳା ଭାବେ ଏହି ପଦବୀରେ କାର୍ଯ୍ୟ କରିବାର ସମ୍ମାନ ପାଇଛି। ଝିଅମାନଙ୍କୁ କହୁଛି, ଆମେ ସମସ୍ତେ ଏଭଳି ଦାୟିତ୍ବ ନିର୍ବାହ କରିପାରିବା।

ସୂଚନାଯୋଗ୍ୟ, ୧୯୮୭ ସିଭିଲ୍‌ ସର୍ଭିସ୍‌ ବ୍ୟାଚ୍‌ର ସର୍ବଭାରତୀୟସ୍ତରର ମହିଳା ଟପର୍‌ କମ୍ବୋଜ୍‌ ସେ ବର୍ଷର ‘ଫରେନ୍‌ ସର୍ଭିସ୍‌ ବ୍ୟାଚ୍‌’ରେ ମଧ୍ୟ ଟପର୍‌ ହୋଇଥିଲେ। ପ୍ରଥମେ ସେ ପ୍ୟାରିସ୍‌ରେ ତାଙ୍କର କୂଟନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ। ସେଠରେ ୧୯୮୯-୧୯୯୧ ପର୍ଯ୍ୟନ୍ତ ସେ ଫ୍ରାନ୍‌ସ୍‌ରେ ଥିବା ଭାରତୀୟ ଦୂତାବାସର ତୃତୀୟ ସଚିବ ଭାବେ ନିଯୁକ୍ତି ପାଇଥିଲେ।