ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ବୈଦେଶିକ ନୀତିକୁ ଏକ ମେରୁଦଣ୍ଡ ଦେଇଛନ୍ତି, ଯାହା ପୂର୍ବରୁ ନ ଥିଲା। ଶାହ କହିଛନ୍ତି, ଯେତେବେଳେ ଐତିହାସିକମାନେ ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କୁ ତୁଳନା କରିବେ, ସେମାନେ ପାଇବେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ ସବୁଠାରୁ ବଡ ସଫଳତା ମିଳିଛି। ପୂର୍ବରୁ ଭାରତର ବୈଦେଶିକ ନୀତି ମେରୁଦଣ୍ଡହୀନ ଥିଲା। ମୋଦୀ ହିଁ ଏହାକୁ ମେରୁଦଣ୍ଡ ଦେଇଛନ୍ତି ବୋଲି ଶାହ ଏକ ସାକ୍ଷାତ୍କାରରେ କହିଛନ୍ତି।
ଅମିତ ଶାହଙ୍କୁ ଭାରତର ପ୍ରଥମ ତଥା ଏପର୍ଯ୍ୟନ୍ତ ସବୁଠାରୁ ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ଥିବା ଜବାହରଲାଲ ନେହେରୁ ଓ ନରେନ୍ଦ୍ର ମୋଦୀଙ୍କ ସହ ତୁଳନା କରିବାକୁ କୁହାଯାଇଥିଲା। ଉତ୍ତରରେ ଶାହ କହିଥିଲେ ଯେ ପୂର୍ବରୁ ଭାରତର ବୈଦେଶିକ ନୀତିରେ ସୁରକ୍ଷା ପ୍ରସଙ୍ଗରେ କୂଟନୀତିକୁ ଅଯଥା ପ୍ରାଧାନ୍ୟ ଦିଆଯାଉଥିଲା। ୨୦୧୪ ମସିହାରୁ ମୋଦୀଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାରରେ ଏହାର ପରିବର୍ତ୍ତନ ଘଟିଛି। ସେ କହିଛନ୍ତି, ଯେତେବେଳେ ବି ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ କରିଛି... ଆମେ ଗୋଟିଏ ମିନିଟ୍ ବିଳମ୍ବ ନ କରି ଉତ୍ତର ପ୍ରସ୍ତୁତ କରିଥିଲୁ ଏବଂ ଏକ ମାସ ମଧ୍ୟରେ କଡ଼ା ପ୍ରତିଶୋଧ ନେଇଥିଲୁ। ସେମାନେ ଭାରତୀୟଙ୍କ ରକ୍ତ ଆଉ ଢାଳି ପାରିବେ ନାହିଁ, ଆମେ ଏହା ସ୍ପଷ୍ଟ କରିଛୁ। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ଓ ବିଶ୍ୱ ବିଶ୍ୱାସ କରେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ।
ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ସବୁଠାରୁ ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଁ କେବଳ ଜଣେ ବ୍ୟକ୍ତିଙ୍କୁ ଦେଖିଛି ଯିଏ ଗତ ୨୪ ବର୍ଷ ମଧ୍ୟରେ ଛୁଟି ନେଇ ନାହାନ୍ତି। ମୋଦୀ ସ୍ଥାନୀୟ ସ୍ତରରେ ଦଳୀୟ କାର୍ଯ୍ୟକର୍ତ୍ତା ହେବାଠାରୁ ଆରମ୍ଭ କରି ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ପରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ମୋଦୀ କିପରି ନିଷ୍ଠାର ସହ କାର୍ଯ୍ୟ କରନ୍ତି ତାହା ମୁଁ ଅତି ପାଖରୁ ଦେଖିବାର ସୌଭାଗ୍ୟ ପାଇଛି କାରଣ ଆମେ ଗୋଟିଏ ରାଜ୍ୟରୁ ଆସିଛୁ। ଅକ୍ଟୋବରରେ ୬୧ ବର୍ଷ ବୟସରେ ପଦାର୍ପଣ କରୁଥିବା ଶାହଙ୍କୁ ମୋଦୀଙ୍କ ପରେ ଶାସକ ବିଜେପି ନେତୃତ୍ୱାଧୀନ ଏନ୍ଡିଏର ଦ୍ୱିତୀୟ ଶକ୍ତିଶାଳୀ ରାଜନେତା ଭାବରେ ବିବେଚନା କରାଯାଏ। ଚଳିତ ସହସ୍ରାଦ୍ଦୀର ପ୍ରଥମ ଦଶକ ପ୍ରାରମ୍ଭରେ ମୋଦୀ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ଗୁଜରାଟ ସରକାରରେ ଗୃହମନ୍ତ୍ରୀ ଥିଲେ। ଏକ ଦଶନ୍ଧି ପରେ ସେ ମୋଦୀଙ୍କ ସହ ଜାତୀୟ ଦୃଶ୍ୟପଟକୁ ଆସିଥିଲେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଦାୟିତ୍ୱ ନେବା ପୂର୍ବରୁ ବିଜେପିର ଜାତୀୟ ସଭାପତି ଭାବରେ କାର୍ଯ୍ୟ କରିଥିଲେ।
ମୋଦୀଙ୍କ ପୂର୍ବରୁ ଭାରତର ବୈଦେଶିକ ନୀତି ମେରୁଦଣ୍ଡହୀନ ଥିଲା: ଶାହ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ବୈଦେଶିକ ନୀତିକୁ ଏକ ମେରୁଦଣ୍ଡ ଦେଇଛନ୍ତି, ଯାହା ପୂର୍ବରୁ ନ ଥିଲା। ଶାହ କହିଛନ୍ତି, ଯେତେବେଳେ...
/sambad/media/media_files/2025/09/23/untitled-11-2025-09-23-07-41-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)