ୟୁଏଇ ଓ କୁଏତ ସହ ଭାରତର ମିତ୍ରତା ବଢ଼ୁଛି

ନୂଆଦିଲ୍ଲୀ: ପୂର୍ବରେ ସିଙ୍ଗାପୁର ପରି ମଧ୍ୟପ୍ର‌ାଚ୍ୟରେ ଆବୁଧାବି ବାଣିଜ୍ୟ, ପ୍ରତିରକ୍ଷା, ସାଇବର ସୁରକ୍ଷା ଓ ଆଭ୍ୟନ୍ତରୀଣ ସୁରକ୍ଷା ଆଦି କ୍ଷେତ୍ରରେ ସହଯୋଗ ସହିତ ଭାରତର କୂଟନୈତିକ କାର୍ଯ୍ୟକଳାପର କେନ୍ଦ୍ର ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୨୦୨୨ର ବିଦେଶ ଗସ୍ତ ସଂଯୁକ୍ତ ଆରବ ରାଷ୍ଟ୍ର (ୟୁଏଇ) ଓ କୁଏତରୁ ଆରମ୍ଭ କରିବାକୁ ଯାଉଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁବାଇ ୨୦୨୦ ଏକ୍ସପୋ ପରିଦର୍ଶନରେ ଯିବେ। ହେଲେ ତାଙ୍କର ବାସ୍ତବ ଉଦ୍ଦେଶ୍ୟ ହେଉଛି କୋଭିଡ୍-୧୯ ମହାମାରୀର ଦ୍ବିତୀୟ ଲହର ସମୟରେ ଭାରତକୁ ସହାୟତାର ହାତ ବଢ଼ାଇଥିବାରୁ ଦୁଇ ଏମିରେଟ୍‌ (ଅମିର-ଶାସିତ ରାଷ୍ଟ୍ର)କୁ ଧନ୍ୟବାଦ ଅର୍ପଣ କରିବା। ୟୁଏଇରେ ପ୍ରାୟ ୪ ନିୟୁତ ଓ କୁଏତରେ ୧ ନିୟୁତରୁ ଅଧିକ ଭାରତୀୟ ରହୁଛନ୍ତି। ସେମାନେ ସେଠାରେ ରହି ନିଜର ଜୀବିକା ନିର୍ବାହ କରିବା ସହ ଭାରତୀୟ ଅର୍ଥନୀତିକୁ ମଧ୍ୟ ସମୃଦ୍ଧ କରୁଛନ୍ତି। ସମ୍ପୂର୍ଣ୍ଣ ଗସ୍ତ କାର୍ଯ୍ୟକ୍ରମ ବିଷୟରେ ସରକାର କିଛି କହି ନ ଥିଲେ ମଧ୍ୟ ୨୦୨୨ ଜାନୁଆରି ୧ରୁ ୧୦ ତାରିଖ ଭିତରେ ମୋଦୀ ଉକ୍ତ ଦୁଇ ଦେଶ ଗସ୍ତ କରିବାର ସମ୍ଭାବନା ଅଛି।

ଯୁବରାଜ ମହମ୍ମଦ ବିନ ଜୟେଦ ଅଲ୍ ନହ୍ୟାନଙ୍କ ନିମନ୍ତ୍ରଣକ୍ରମେ ୨୦୧୫ ଅଗଷ୍ଟରେ ୟୁଏଇକୁ ପ୍ରଥମ ଗସ୍ତ କରିବା ଦିନଠାରୁ ମୋଦୀ ଆବୁଧାବି ସହ ସମ୍ପର୍କ ବଢ଼ାଇବା ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଗତ ରବିବାର ୟୁଏଇ ଗସ୍ତ କରି ଫେରିଛନ୍ତି। ଆମେରିକା ଓ ଚୀନ୍ ପରେ ୟୁଏଇ ହେଉଛି ଭାରତର ତୃତୀୟ ବୃହତ୍ତମ ବାଣିଜ୍ୟିକ ଅଂଶୀଦାର।

୬୦ ବିଲିୟନ ଡଲାରର ବାଣିଜ୍ୟିକ କାରବାର ଭାରତ ଏହି ଦେଶ ସହ କରୁଛି। ୨୦୨୨ ଜାନୁଆରିର ଗସ୍ତ ହେବ ମୋଦୀଙ୍କ ଏହି ଦେଶକୁ ଚତୁର୍ଥ ଗସ୍ତ। ମୋଦୀଙ୍କ ପ୍ରଥମ ଗସ୍ତର ୩୨ ବର୍ଷ ତଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୟୁଏଇ ଗସ୍ତ କରିଥିଲେ। ୟୁଏଇ ଛଡ଼ା ମୋଦୀଙ୍କ କୁଏତ ଗସ୍ତ ମଧ୍ୟ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ। କୋଭିଡ୍-୧୯ ଦ୍ବିତୀୟ ଲହର ସମୟରେ କୁଏତ ଆମକୁ ବହୁ ସଂଖ୍ୟାରେ ଅମ୍ଳଜାନ ସିଲିଣ୍ଡର ଯୋଗାଇଥିଲା। ମୋଦୀଙ୍କ ବ୍ୟକ୍ତିଗତ ଚିଠି ନେଇ ବିଦେଶମନ୍ତ୍ରୀ ଜୟଶଙ୍କର ଏହା ପୂର୍ବରୁ କୁଏତ ଗସ୍ତ କରି ଅମିର ଶେଖ୍ ନୱାଫ ଅଲ୍-ଅହମଦ ଅଲ୍-ସବାହଙ୍କୁ ସାକ୍ଷାତ୍ କରିଥିଲେ ଏବଂ ଭାରତକୁ ମହାମାରୀ ସମୟରେ ସାହାଯ୍ୟ କରିଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମୋଦୀଙ୍କ ଗସ୍ତ କୁଏତ ସହ ଭାରତର ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର