ଭାରତର ଜି-୨୦ ଅଧ୍ୟକ୍ଷତା: ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରି ଟ୍ବିଟ୍ କଲେ ମାକ୍ରନ୍

ନୂଆଦିଲ୍ଲୀ: ଡିସେମ୍ବର ପହିଲାରେ ଭାରତ ଜି୨୦ (୨୦ଟି ରାଷ୍ଟ୍ରଙ୍କ ସମୂହ)ର ମଙ୍ଗ ଧରିବା ପରେ ଫ୍ର‌ାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍ ଶନିବାର ଟ୍ବିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ନୂତନ ଦାୟିତ୍ବ ଗ୍ରହଣ ପରେ ନୂଆଦିଲ୍ଲୀର ମନ୍ତ୍ର ‘ୱାନ୍ ଆର୍ଥ, ୱାନ୍ ଫ୍ୟାମିଲି, ୱାନ୍ ଫ୍ୟୁଚର’ର ପୁନରୁଲ୍ଲେଖ କରିବା ସହ ଲେଖିଛନ୍ତି- ମୋର ବନ୍ଧୁ ନରେନ୍ଦ୍ର ମୋଦୀଙ୍କ ଉପରେ ପୂର୍ଣ୍ଣ ବିଶ୍ବାସ ଓ ଭରସା ଅଛି। ଶାନ୍ତି ପ୍ରତିଷ୍ଠା ପାଇଁ ଓ ଏକ ସ୍ଥାୟୀ ବିଶ୍ବ ଗଠନ ନିମନ୍ତେ ସେ ନିଶ୍ଚୟ ଆମ୍ଭମାନଙ୍କୁ (ବିଶ୍ବକୁ) ଏକାଠି କରିବାରେ ସଫଳ ହେବେ।

ମାକ୍ରନ୍ ଏଭଳି ଟ୍ବିଟ୍ କରିବାର ଦିନକ ପୂର୍ବରୁ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଜି୨୦ର ଅଧ୍ୟକ୍ଷ ଦାୟିତ୍ବ ନେବା ପ୍ରସଙ୍ଗରେ କହିଥିଲେ- ଭାରତ ହେଉଛି ଆମେରିକାର ଏକ ଉତ୍ତମ ବନ୍ଧୁ। ଭାରତ ଜି୨୦ର ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିବା ଅବସରରେ ମୁଁ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦୃଢ଼ ସମର୍ଥନ କରୁଛି। ଆମେ ଦୁହେଁ ମିଶି ସମାବେଶୀ ଅଭିବୃଦ୍ଧି ହାସଲ କରିବୁ। ଜଳବାୟୁ, ଶକ୍ତି ଓ ଖାଦ୍ୟ ସଂକଟ ପରି ଆହ୍ବାନଗୁଡ଼ିକର ଆମେ ମିଳିତ ଭାବେ ମୁକାବିଲା କରିବୁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର