ନୂଆଦିଲ୍ଲୀ: ଆଜି ଭାରତ ‘ଜି୨୦’ର ଅଧ୍ୟକ୍ଷତା ଗ୍ରହଣ କରୁଥିବା ବେଳେ ଓଡ଼ିଶାର କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିର ସମେତ ସମଗ୍ର ଦେଶରେ ଥିବା ୧୦୦ଟି ‘ଏଏସ୍ଆଇ’ ସ୍ମାରକୀରେ ସପ୍ତାହକ ପର୍ଯ୍ୟନ୍ତ ଆଲୋକରେ ଉଦ୍ଭାସିତ ହେବ ବୋଲି ବୁଧବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।
‘ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳୀ’ ସମେତ କେନ୍ଦ୍ର ସରକାରଙ୍କଦ୍ବାରା ସୁରକ୍ଷିତ ଥିବା ଏହି ସ୍ମାରକୀଗୁଡ଼ିକ ମଧ୍ୟରେ ରହିଛି ଦିଲ୍ଲୀରେ ଥିବା ହୁମାୟୁନ୍ଙ୍କ କବର ଓ ପୁରୁଣା କିଲ୍ଲା, ଗୁଜରାଟର ମୋଧେରା ସୂର୍ଯ୍ୟମନ୍ଦିର, ଓଡ଼ିଶାର କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିର ଏବଂ ବିହାରରେ ଥିବା ଶେର୍ ଶାହ ସୁରିଙ୍କ କବର ଆଦି ୧୦୦ଟି ସ୍ମାରକୀରେ ପ୍ରଜ୍ଜ୍ବଳିତ ଆଲୋକରେ ‘ଜି-୨୦’ର ‘ଲୋଗୋ’ ମଧ୍ୟ ଉଦ୍ଭାସିତ ହେବ।
ଆଜିଠୁ ଆରମ୍ଭ କରି ବର୍ଷକ ପର୍ଯ୍ୟନ୍ତ ଭାରତ ‘ଆନ୍ତର୍ଜାତିକ ଅର୍ଥନୈତିକ ସମବାୟ’ ସାମ୍ମୁଖ୍ୟ ‘ଜି୨୦’ର (ଗ୍ରୁପ୍ ଅଫ୍ ଟ୍ବେଣ୍ଟି) ଅଧ୍ୟକ୍ଷତା କରିବ। ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ୍, କାନଡା, ଚୀନ୍, ଫ୍ରାନ୍ସ୍, ଜର୍ମାନି, ଭାରତ, ଇଣ୍ଡୋନେସିଆ, ଇଟାଲି, ଜାପାନ, କୋରିଆ ସାଧାରଣତନ୍ତ୍ର, ମେକ୍ସିକୋ, ରୁଷ୍, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଇଂଲଣ୍ଡ୍, ଆମେରିକା ଓ ୟୁରୋପୀୟ ସଂଘକୁ ନେଇ ‘ଜି୨୦’ ଗଠିତ।
ବର୍ଷକର ଅଧ୍ୟକ୍ଷତା ସମୟ ଅବଧିରେ ଭାରତ ଭିନ୍ନ ଭିନ୍ନ ୩୨ଟି ସେକ୍ଟର୍ରେ ସମଗ୍ର ଦେଶରେ ୨୦୦ଟି ସଭା କରିବ। ପ୍ରଥମ ସଭା ‘ଜି୨୦ ଶେର୍ପା ମିଟ୍’ ଡିସେମ୍ବର ପ୍ରଥମ ସପ୍ତାହରେ ଉଦୟପୁରରେ ଆୟୋଜନ କରାଯିବ।
ଉଲ୍ଲେଖଯୋଗ୍ୟ, ଗତ ସଂସ୍କରଣର ‘ମନ୍ କୀ ବାତ୍’ରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘ଅମୃତକାଳ’ ଚାଲିଥିବା ବେଳେ ଭାରତ ‘ଜି୨୦’ ଅଧ୍ୟକ୍ଷତା ପାଇଛି। ସେ ଶାନ୍ତି, ଏକତା ଅଥବା ନିରନ୍ତର ବିକାଶ ହେଉ ଆମକୁ ବିଶ୍ବ କଲ୍ୟାଣ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏ ସବୁ କ୍ଷେତ୍ରରେ ଥିବା ସମସ୍ୟା ନିମନ୍ତେ ଭାରତ ନିକଟରେ ସମାଧାନର ଉପାୟ ରହିଛି। ଆମେ ଏହାର ‘ଥିମ୍’ ରଖିଛୁ: ଏକ ବିଶ୍ବ, ଏକ ପରିବାର, ଏକ ବଭିଷ୍ୟତ।