ଭାରତର ‘ଗ୍ରେଟା ଥନବର୍ଗ’: ଏକ ପ୍ରତାରଣା, ଝିଅ ନାଁରେ ଲୁଟିଲେ କୋଟି କୋଟି ଟଙ୍କା

ଶିମିଳିପାଳ ପାଇଁ ଉଦ୍‌ବେଗକୁ ନେଇ ଚର୍ଚ୍ଚାରେ ଥିଲେ ଲିସିପ୍ରିୟା

ନୂଆଦିଲ୍ଲୀ: ଭାରତର ‘ଗ୍ରେଟା ଥନବର୍ଗ’ କୁହାଯାଉଥିବା କୁନିଝିଅ ଲିସିପ୍ରିୟା କାଙ୍ଗୁଜାମଙ୍କୁ ନେଇ ଏବେ ଚର୍ଚ୍ଚା। କୁନି ପରିବେଶକର୍ମୀ ରୂପେ ପରିଚିତ ଲିସିପ୍ରିୟାଙ୍କୁ ବ୍ୟବହାର କରି କିପରି ତାଙ୍କ ବାପା କୋଟି କୋଟି ଟଙ୍କା ଲୁଟୁଥିଲେ ତାହାର ଅପରାଧ ଫର୍ଦ ଉନ୍ମୋଚିତ ହୋଇଛି। ତାଙ୍କର ବାପା କେ.କେ. ସିଂହ ଗିରଫ ହେବାପରେ ପୋଲିସ ଏହା ଉପରେ ଖୋଳତାଡ଼ ଆରମ୍ଭ କରିଛି।

ଏହି ତଥାକଥିତ କୁନି ପରିବେଶକର୍ମୀଙ୍କର ଓଡ଼ିଶା ସହିତ ମଧ୍ୟ କେତେକ ଘଟଣାକୁ ନେଇ ସମ୍ପର୍କ ରହିଛି। ଗତ ମାର୍ଚ୍ଚ ୭ ତାରିଖରେ ଶିମିଳିପାଳ ଜାତୀୟ ଉଦ୍ୟାନ ଜଳୁଥିବାରୁ ଟ୍ବିଟ୍‌ କରି ଉଦ୍‌ବେଗ ପ୍ରକାଶ କରିଥିଲେ। କେବଳ ଏହି ଗୋଟିଏ ଘଟଣା ନୁହେଁ, ଗଜପତି ଜିଲ୍ଲାର କୁଲଙ୍ଗକୁ ଆସି ଭୂସ୍ଖଳନ ଯୋଗୁ ସର୍ବସ୍ବ ହରାଇଥିବା ପରିବାରକୁ ଭେଟିବା ସହିତ ପାରଳାଖେମୁଣ୍ଡିଠାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ରୋକିବାକୁ ପରିବେଶ ସୁରକ୍ଷା ପାଇଁ ଆହ୍ବାନ ଦେଇଥିଲେ। ଖାଲି ଆମ ରାଜ୍ୟ ନୁହେଁ, ଦେଶ ବି‌ଦେଶରେ ପରିବେଶ ସୁରକ୍ଷା ପାଇଁ ଲିସିପ୍ରିୟାଙ୍କ ଅଭିଯାନ‌ ଚର୍ଚ୍ଚାରେ ରହିଆସିଛି। ଯେଉଁଥିପାଇଁ ସେ ଭାରତର ‘ଗ୍ରେଟା ଥନବର୍ଗ’ ବୋଲି ବେଶ୍‌ ଜଣାଶୁଣା। ତେବେ ଏହି କୁନିଝିଅଙ୍କୁ ପରିବେଶ୍‌ବିତ୍‌ ଭାବେ ଗଢ଼ି ତୋଳିବା ପାଇଁ ନିଜ ବାପାଙ୍କର ମନ୍ଦ ଉଦ୍ଦେଶ୍ୟ ରହିଥିବ‌ା ଏବେ ସାମ୍‌ନାକୁ ଆସିଛି। ଏକ ଇଂରାଜୀ ‌ଦୈନିକରେ ପ୍ରକାଶିତ ରିପୋର୍ଟ ଅନୁସ‌ାରେ, ପରିବେଶ ସୁରକ୍ଷା ପାଇଁ ସଚେତନତାମୂଳକ କାର୍ଯ୍ୟକଳାପ ପାଇଁ ଲିସିପ୍ରିୟାଙ୍କୁ ବହୁଆଡ଼ୁ ପ୍ରଶଂସା ମିଳିବା ବେଳେ କିଛି ଲୋକ ତାଙ୍କ ଦ୍ବାରା ସଂଗୃହୀତ ପାଣ୍ଠି କୋଭିଡ୍‌ ନିରାକରଣରେ ଲାଗୁଛି କି ନାହିଁ, ସେ ନେଇ ସନ୍ଦେହ ପ୍ରକାଶ କରିଥିଲେ।

ଗତ ସପ୍ତାହ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍ ଏବଂ ମଣିପୁର ପୋଲିସର ଏକ ମିଳିତ ଟିମ୍‌ ତାଙ୍କ ପିତା କେ.କେ ସିଂହଙ୍କୁ ଗିରଫ କରିବା ପରେ ଏହି ସନ୍ଦେହ ଘନୀଭୂତ ହୋଇଥିଲା। ଅଭିଯୋଗ ଅନୁସାରେ ୨୦୧୪ରୁ ୨୦୧୯ ଭିତରେ ସେ ବିଭିନ୍ନ ଛାତ୍ର ଓ ଅନୁଷ୍ଠାନକୁ ବୋକା ବନେଇ ପ୍ରାୟ ୩ କୋଟିରୁ ଅଧିକ ଟଙ୍କା ଠକିନେଇଛନ୍ତି। ଏଥିସହିତ, ମହାମାରୀ ସମୟରେ ଆରମ୍ଭ କରାଯାଇଥିବା ଏକ ଏନ୍‌ଜିଓ ‘ନୋବେଲ ସିଟିଜେନ୍ ଫାଉଣ୍ଡେସନ୍’ (ଏନ୍‌ସିଏଫ୍‌) ସହ କେ.କେ. ସିଂହଙ୍କର ସମ୍ପର୍କ ରହିଥିଲା। ଏହି ଅନୁଷ୍ଠାନକୁ ଲିସିପ୍ରିୟା କୋଭିଡ୍‌ ସହାୟତା ନାଁରେ ସଂଗ୍ରହ କରିଥିବା ସମସ୍ତ ଅର୍ଥ (୭୫ ଲକ୍ଷରୁ ଅଧିକ, ଆହୁରି ଗଣାଚାଲିଛି) ହସ୍ତାନ୍ତର କରିଥିଲେ। ଏହାପରେ ‘ସବୁଜ ଯୋଦ୍ଧା’ ଭାବରେ ଝିଅର ଭାବମୂର୍ତ୍ତିକୁ କେ.କେ. ସିଂହ ଚତୁରତାର ସହ ନିଜର ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରୁଥିଲେ।

ଉଲ୍ଲେଖଯୋଗ୍ୟ ଯେ ଲିସିପ୍ରିୟା ଇଣ୍ଟର୍‌ନ୍ୟାସ୍‌ନାଲ ୟୁଥ୍‌ କମିଟି (ଆଇୱାଇସି) ବ୍ୟାନର୍‌ରେ ଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ୍‌ ହେବାପରେ ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ତାଙ୍କ ବୟସ ଥିଲା ମାତ୍ର ୭ ବର୍ଷ। ସେଠାରେ ଜାତିସଂଘର ମୁଖ୍ୟାଳୟ ଜେନେଭାଠାରେ ୨୦୧୯ ମେରେ ଷଷ୍ଠ ଗ୍ଲୋବାଲ୍ ପ୍ଲାଟ୍‌ଫର୍ମ ଫର୍ ଡିଜାଷ୍ଟର ରିସ୍କ ରିଡକ୍ସନ୍ କାର୍ଯ୍ୟକ୍ରମରେ ଲିସିପ୍ରିୟା ଉଦ୍‌ବୋଧନ ଦେବାପାଇଁ ବଛାଯାଇଛି ବୋଲି କୁହାଯାଇଥିଲା। ମଣିପୁରରୁ ଆସିଥିବା ଗୋଟିଏ ଦ୍ବିତୀୟ ଶ୍ରେଣୀର ଝିଅ ଏକ ଗ୍ଲୋବାଲ୍ ପ୍ଲାଟ୍‌ଫର୍ମରେ ଭାରତର ଜଳବାୟୁ ପରିବର୍ତ୍ତନ ସଂକଟ ବିଷୟରେ ଉଦ୍‌ବୋଧନ ଦେବ ବୋଲି ଖବର ପ୍ରସାରିତ ହେବାପରେ ଗଣମାଧ୍ୟମର ଦୃଷ୍ଟି ଝିଅଟି ଉପରେ ପଡ଼ିଥିଲା। ଛୋଟ ଝିଅ ବିଦେଶ ଯିବ, ସେ ନେଇ ସ୍ଥାନୀୟ ଗଣମାଧ୍ୟମ କୌତୂହଳବଶତଃ ଖୋଳତାଡ଼ ଆରମ୍ଭ କରିଦେଇଥିଲେ। ସେମାନେ ଦେଖିଲେ ଯେ ଜାତିସଂଘର ଅଫିସିଆଲ୍ ୱେବ୍‌ସାଇଟ୍‌ରେ ବକ୍ତା ଭାବରେ ଏହି ଝିଅର ନାଁ ନାହିଁ। କେବଳ ଆଇୱାଇସିର ଏକ ପ୍ରେସ୍‌ନୋଟ୍‌ରେ ଝିଅଟିକୁ ‘ଶିଶୁ ବିପର୍ଯ୍ୟୟ ପ୍ରଶମନ ପ୍ରବକ୍ତା’ ଭାବରେ ଦର୍ଶାଯାଇଛି। ଯଦିଓ ଲିସିପ୍ରିୟା ଶେଷରେ ଉକ୍ତ ସମ୍ମିଳନୀରେ ଯୋଗ ଦେଇଥିଲେ, ତେବେ ଜଣେ ବକ୍ତା ଭାବରେ ନୁହେଁ। ଏହାପରେ କିନ୍ତୁ ଭାରତର କନିଷ୍ଠତମ ଶିଶୁ ପରିବେଶ କର୍ମୀ ଭାବେ ଅଭିହିତ ଲିସିପ୍ରିୟା ଖୁବ୍‌ଶୀଘ୍ର ସବୁଜ ଆନ୍ଦୋଳନ ପାଇଁ ଜଣେ ପୋଷ୍ଟର ଗର୍ଲରେ ପରିଣତ ହୋଇଗଲେ।
ଲିସିପ୍ରିୟା ଚର୍ଚ୍ଚାକୁ ଆସିବା ପରେ ଆଇୱାଇସିର କାର୍ଯ୍ୟକଳାପ ସମ୍ପର୍କରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଥିଲା। ଖୋଳତାଡ଼ ପରେ ଜଣାପଡ଼ିଲା ଯେ ଲିସିପ୍ରିୟା ହେଉଛନ୍ତି ଆଇୱାଇସିର ଅଧ୍ୟକ୍ଷ କେ.କେ. ସିଂହ ଓରଫ କନରଜିତ୍ କାଙ୍ଗୁଜାମଙ୍କ ଝିଅ। ଏହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାର କାରଣ ହେଲା, କେ.କେ. ସିଂହ ଜାଲିଆତି, ଠକେଇ, ଆପରାଧିକ ବିଶ୍ବାସ ଭଙ୍ଗ, ଆକ୍ରମଣ ଆଦି ମାମଲାରେ ଗିରଫ ହୋଇ ଅନ୍ତରୀଣ ଜାମିନରେ ଛାଡ଼ ପାଇ ୨୦୧୬ରେ ମଣିପୁରରୁ ପଳାଇଯାଇଥିଲେ। ୨୦୧୪ରେ ସେ ଇମ୍ଫାଲରେ ଆୟୋଜନ କରିଥିବା ଏକ ଗ୍ଲୋବାଲ ୟୁଥ୍‌ ମିଟ୍ ନାଁରେ ଅନେକ ସ୍ବୟଂ ସହାୟକ ଗୋଷ୍ଠୀ, ହୋଟେଲ ଓ ବ୍ୟକ୍ତିଙ୍କଠାରୁ ୧୯ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିଲେ। ସେ ମଧ୍ୟ ନିଜକୁ ୟୁନେସ୍କୋ ୟୁଥ୍‌ ଫାଉଣ୍ଡେସନର ନିର୍ଦ୍ଦେଶକ ଓ କାର୍ଯ୍ୟକାରୀ ମୁଖ୍ୟ କହି ବିଭିନ୍ନ ରାଷ୍ଟ୍ର ଓ ବିଦେଶୀ ପ୍ରତିନିଧିଙ୍କୁ ବିଭ୍ରାନ୍ତ କରିଥିଲେ। କାରଣ ଏପରି କୌଣସି ବ୍ୟକ୍ତି ତାଙ୍କର ନିର୍ଦ୍ଦେଶକ ନାହାନ୍ତି ବୋଲି ଜାତିସଂଘର ଉକ୍ତ ସଂସ୍ଥା ସ୍ପଷ୍ଟ କରିଥିଲା।

୨୦୧୬ ପ୍ରାରମ୍ଭରେ ବି କାଙ୍ଗୁଜାମ ଗିରଫ ହୋଇଥିଲେ। ଅନ୍ତରୀଣ ଜାମିନରେ ଆସି ନିଖୋଜ ହୋଇଯାଇଥିଲେ। ୨୦୧୮ ପର୍ଯ୍ୟନ୍ତ ୨ ବର୍ଷ ଧରି ତାଙ୍କର କିଛି ଖୋଜଖବର ନ ଥିଲା। ତା’ପରେ ଇଣ୍ଟରନ୍ୟାଶ୍‌ନାଲ ୟୁଥ୍ କମିଟିର ଅଧ୍ୟକ୍ଷ ଓ ପ୍ରତିଷ୍ଠାତା କେ.କେ. ସିଂହ ଭାବେ ତାଙ୍କର ଆବିର୍ଭାବ ହେଲା, ଯାହାଙ୍କର ମୂଳ ଅଛି ଭୁବନେଶ୍ବରରେ ଓ ଡାଳପତ୍ର ସବୁ ଦିଲ୍ଲୀରେ। ସେ ନିଜକୁ ବହୁ ମାନବିକତା ପୁରସ୍କାରର ବିଜେତା, ଜାତିସଂଘର ଯୁବକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ବ କାର୍ଯ୍ୟକ୍ରମରେ କାର୍ଯ୍ୟ କରୁଥିବା ଯୁବଯୋଦ୍ଧା ଭାବେ ଚିତ୍ରଣ କରୁଥିଲେ। ତଥାକଥିତ ଅନ୍ତର୍ଜାତୀୟ ଯୁବ ବିନିମୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପାଇଁ କହି ଯେ ବହୁ ଛାତ୍ରଙ୍କଠାରୁ ମୋଟ ପ୍ରାୟ ୩ କୋଟି ଟଙ୍କା ଠକିନେଇଥିବା ଜଣାପଡ଼ିଛି। ତାଙ୍କ ବିରୋଧରେ ଅନେକ ମାମଲା ରହିଛି।

ଅନେକ ଆପରାଧିକ ଅଭିଯୋଗ ସତ୍ତ୍ବେ କାଙ୍ଗୁଜାମ ନିଜକୁ ସରକାରୀ ଅଧିକାରୀ, ଆଇୱାସିର ଅଧ୍ୟକ୍ଷ କହି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ ଓ ପୁରସ୍କାର ବି ଦେଉଥିଲେ ଏବଂ ସବୁଥିରେ ସେ ଲିସିପ୍ରିୟାକୁ କେନ୍ଦ୍ରରେ ରଖୁଥିଲେ। ଲିସିପ୍ରିୟା ପାଇଥିବା ଅନେକ ପୁରସ୍କାର, ଯେପରି ଡ. ଏପିଜେ ଅବ୍‌ଦୁଲ କାଲାମ ଚିଲ୍‌ଡ୍ରେନ୍ ଆୱାର୍ଡ ବା ଦ ଇଣ୍ଡିଆ ପିସ୍ ପ୍ରାଇଜ୍ ୨୦୧୯ ଆଦି ସେ ତାଙ୍କ ପିତାଙ୍କ ଅନୁଷ୍ଠାନ ଆଇୱାଇସିରୁ ହିଁ ପାଇଥିଲା। ଏପରି କି ୨୦୧୯ରେ ଲିସିପ୍ରିୟାକୁ ମିଳିଥିବା ଦ ୱାର୍ଲଡ୍‌ ଚିଲ୍‌ଡ୍ରେନ୍ ପିସ୍ ପ୍ରାଇଜ୍ ଆୱାର୍ଡ ଯାହାକୁ ଗ୍ଲୋବାଲ ପିସ୍ ଇଣ୍ଡେକ୍ସ ଦ୍ବାରା ଦିଆଯାଇଛି ବୋଲି କୁହାଯାଇଥିଲା, ତାହା ମିଛ ଥିଲା। କାରଣ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଇକୋନମିକ୍ସ ଆଣ୍ଡ୍ ପିସ୍ ଟୁଇଟରରେ ସ୍ପଷ୍ଟ କରିଥିଲା ଯେ, ସେମାନେ ଏପରି କୌଣସି ଆୱାର୍ଡ ଦିଅନ୍ତି ନାହିଁ। କିନ୍ତୁ ବ୍ୟାପକ ପ୍ରଚାର ପ୍ରସାର ଯୋଗୁ ଅସଲି ଅନୁଷ୍ଠାନମାନେ ମଧ୍ୟ ଲିସିପ୍ରିୟାକୁ ଆମନ୍ତ୍ରଣ କରିବାକୁ ଲାଗିଲେ। ଲିସିପ୍ରିୟା କାଙ୍ଗୁଜାମ ତାଙ୍କ ବାପା ହାତର କଣ୍ଢେଇ ଥିଲା, ତାଙ୍କ ବାପା କେ.କେ. ସିଂହ ତାକୁ ଯେପରି ନଚଉଥିଲେ, ସେ ସେପରି ନାଚୁଥିଲା ବୋଲି ଅନୁସନ୍ଧାନରୁ ଜଣାପଡ଼ିଥିବା ପରେ ଏବେ ଚର୍ଚ୍ଚା ଲାଗିରହିଛି।

ସମ୍ବନ୍ଧିତ ଖବର