ନୂଆଦିଲ୍ଳୀ:ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଧମକ୍‌ ।  ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ବାର ଭାରତକୁ ଟାରିଫ୍‌ ର ଧମକ୍‌  ଦେଇ ଚାଲିଛନ୍ତି  ଟ୍ରମ୍ପ । ଅତିରିକ୍ତ ଶୁଳ୍କ ଲଗାଇବାର ଧମକ ପରେ ଭାରତ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ୬-ସୂତ୍ରୀୟ ବିବୃତ୍ତି ଜାରି କରି ଆମେରିକା ଏବଂ ୟୁରୋପୀୟ ସଂଘର ଦୋମୁହାଁ ନୀତିକୁ ପଦାରେ ପକାଇଛି । ଏହି ବିବୃତ୍ତିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଭାରତ ନିଜର ଜାତୀୟ ସ୍ୱାର୍ଥ ସହ କୌଣସି ପ୍ରକାରର ବୁଝାମଣା କରିବ ନାହିଁ ଏବଂ କୌଣସି ଦେଶର "ଦବଦବା" ବା "ଦାଦାଗିରି"କୁ ବରଦାସ୍ତ କରାଯିବ ନାହିଁ ।

Advertisment

ଟ୍ରମ୍ପ ଅଭିଯୋଗ କରିଥିଲେ ଯେ ୟୁକ୍ରେନ ଯୁଦ୍ଧ ସମୟରେ ଭାରତ ଋଷରୁ ବିପୁଳ ପରିମାଣର ଅଶୋଧିତ ତୈଳ କିଣି ବଡ଼ ଧରଣର ଲାଭ କରୁଛି ।  ଏହାର ଜବାବରେ ଭାରତ କହିଛି ଯେ ତାକୁ ଅଯଥାରେ ଟାର୍ଗେଟ କରାଯାଉଛି ।  

ଋଷରୁ ତୈଳ ଆମଦାନୀର କାରଣ:ୟୁକ୍ରେନ ସଙ୍କଟ ଆରମ୍ଭ ହେବା ପରେ ପାରମ୍ପରିକ ତୈଳ ଯୋଗାଣକାରୀ ଦେଶଗୁଡ଼ିକ ୟୁରୋପକୁ ତୈଳ ଯୋଗାଣ କରିବାରୁ ଭାରତ ଋଷରୁ ତୈଳ ଆମଦାନୀ କରିବାକୁ ବାଧ୍ୟ ହୋଇଥିଲା । ସେତେବେଳେ ବିଶ୍ୱ ଶକ୍ତି ବଜାରରେ ସ୍ଥିରତା ଆଣିବା ପାଇଁ ଆମେରିକା ନିଜେ ଭାରତକୁ ଏଭଳି ଆମଦାନୀ ପାଇଁ ପ୍ରୋତ୍ସାହିତ କରିଥିଲା। 

ଭାରତୀୟ ଉପଭୋକ୍ତାଙ୍କ ସ୍ୱାର୍ଥ:ଭାରତର ତୈଳ ଆମଦାନୀ ନିଜ ଦେଶର ଉପଭୋକ୍ତାଙ୍କୁ ସୁଲଭ ମୂଲ୍ୟରେ ଶକ୍ତି ଯୋଗାଇବା ପାଇଁ ଉଦ୍ଦିଷ୍ଟ । ଏହା ବୈଶ୍ୱିକ ବଜାର ପରିସ୍ଥିତି ଦ୍ୱାରା ସୃଷ୍ଟି ହୋଇଥିବା ଏକ ଆବଶ୍ୟକତା ।  କିନ୍ତୁ ଆଶ୍ଚର୍ଯ୍ୟର କଥା, ଯେଉଁ ଦେଶମାନେ ଭାରତକୁ ସମାଲୋଚନା କରୁଛନ୍ତି, ସେମାନେ ନିଜେ ଋଷ ସହିତ ବ୍ୟବସାୟରେ ଲିପ୍ତ ଅଛନ୍ତି ।  

ଅନ୍ୟ ସାମଗ୍ରୀର ଆମଦାନୀ: କେବଳ ଶକ୍ତି ନୁହେଁ, ୟୁରୋପ ଋଷରୁ ସାର, ଖଣିଜ ପଦାର୍ଥ, ରାସାୟନିକ ଦ୍ରବ୍ୟ, ଲୁହା ଓ ଇସ୍ପାତ ଏବଂ ମେସିନାରୀ ଭଳି ସାମଗ୍ରୀ ମଧ୍ୟ ଆମଦାନୀ କରୁଛି ।  

ଆମେରିକାର  ଋଷ୍‌ରୁ ଆମଦାନୀ:ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମେରିକା ନିଜେ ଋଷରୁ ଆମଦାନୀ ଜାରି ରଖିଛି । ଏଥିରେ ପରମାଣୁ ଶିଳ୍ପ ପାଇଁ ୟୁରାନିୟମ୍ ହେକ୍ସାଫ୍ଲୋରାଇଡ୍, ଇଭି ଶିଳ୍ପ ପାଇଁ ପାଲାଡିୟମ୍, ସାର ଏବଂ ରାସାୟନିକ ଦ୍ରବ୍ୟ ଅନ୍ତର୍ଭୁକ୍ତ ।  ଏହା ଆମେରିକାର ଦୋମୁହାଁ ନୀତିକୁ ସ୍ପଷ୍ଟ କରୁଛି । 

 ଜାତୀୟ ସ୍ୱାର୍ଥ ସର୍ବୋପରି:ଏହି ସବୁ ପରିପ୍ରେକ୍ଷୀରେ, ଭାରତକୁ ଟାର୍ଗେଟ କରିବା ସମ୍ପୂର୍ଣ୍ଣ ଅଯୌକ୍ତିକ ଏବଂ ଅଯଥା ।   ଏକ ପ୍ରମୁଖ ଅର୍ଥନୀତି ଭାବରେ ଭାରତ ନିଜର ଜାତୀୟ ସ୍ୱାର୍ଥ ଏବଂ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ ।


ଭାରତ ସରକାରଙ୍କ ଏହି ଦୃଢ଼ ଜବାବ ଦର୍ଶାଉଛି ଯେ ଭାରତ ଆଉ ଚାପରେ ରହିବାକୁ ପ୍ରସ୍ତୁତ ନୁହେଁ । ଭାରତ ନିଜର ସାର୍ବଭୌମତ୍ୱ ଏବଂ ବୈଦେଶିକ ନୀତିକୁ ସ୍ୱାଧୀନ ଭାବରେ ପରିଚାଳନା କରିବ ଏବଂ ନିଜର ଆର୍ଥିକ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବ । ଏହି ଘଟଣା ଭାରତ-ଆମେରିକା ସମ୍ପର୍କରେ ଏକ ନୂଆ ମୋଡ଼ ଆଣିପାରେ ବୋଲି ଅନୁମାନ କରାଯାଉଛି ।