ଆଫ୍‌ଗାନିସ୍ତାନ ସ୍ଥିତି ଉପରେ ନଜର ପାଇଁ ଭାରତର ଉଚ୍ଚସ୍ତରୀୟ କମିଟି

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନମାନେ କ୍ଷମତା ଦଖଲ କରିବା ପରେ ସେଠାକାର ତୃଣମୂଳ ସ୍ଥିତି କିଭଳି ରହିଛି ତାହା ଉପରେ ଭାରତର ଏକ ଉଚ୍ଚସ୍ତରୀୟ କମିଟି ନଜର ରଖିଛି। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର, ଏନଏସଏ ଅଜିତ ଡୋଭାଲଙ୍କ ସମେତ ଅନ୍ୟ କେଜେଣ ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି ଉଚ୍ଚସ୍ତରୀୟ କିମିଟି ଗଠନ ହୋଇଛି। ଆଫଗାନିସ୍ତାନର ପରିବର୍ତ୍ତତ ପରିସ୍ଥିତିରେ ଭାରତ ପାଇଁ ଅଗ୍ରାଧିକାର ଗୁଡ଼ିକ କ’ଣ ତାହାର ତର୍ଜମା ‌ଏହି କମିଟି କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଏହି ଉଚ୍ଚସ୍ତରୀୟ ଗ୍ରୁପ୍‌ କାର୍ଯ୍ୟ କରୁଛି। ମୁଖ୍ୟତଃ ଆଫଗାନିସ୍ତାନରେ ଅଟକି ରହିଥିବା ଭାରତୀୟ, ବିଶେଷତଃ ସଂଖ୍ୟାଲଘୁମାନେ କିଭଳି ନିରାପଦରେ ଭାରତକୁ ଫେରିବେ; ଭାରତକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଯେଭଳି ଆଫଗାନିସ୍ତାନ ମାଟିକୁ କୌଣସି ପରିସ୍ଥିତିରେ ବ୍ୟବହାର କରି ନପାରନ୍ତି ତାହା ଉପରେ ଏହି ଗୋଷ୍ଠୀ ନଜର ରଖିଛି।

ଏକ ବିଶେଷ ସୂତ୍ରରୁ ଜଣାଯାଇଛି ଯେ, ଆଫଗାନିସ୍ତାନରେ ବର୍ତ୍ତମାନ ସ୍ଥିତି କ’ଣ ରହିଛି ଏବଂ ଜାତିସଂଘ ସୁରକ୍ଷା ପରିଷଦରେ ଗୃହୀତ ସଂକଳ୍ପନାମାକୁ ମଧ୍ୟ ଏହି ‌‌ଗୋଷ୍ଠୀ ଅନୁଧ୍ୟାନ କରୁଛି। ତାଲିବାନ ହାତରେ ଆଫଗାନିସ୍ତାନକୁ ଛାଡ଼ି ଆମେରିକା ସେନା ପ୍ରତ୍ୟାବର୍ତ୍ତନ କରିଛି। ତାଲିବାନ ଦ୍ବାରା କାବୁଲ ଦଖଲର ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ କିଭଳି ସରକାର ଗଠନ ହେବ ସେ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ। ତେବେ ଭାରତର ସଭାପତିତ୍ବରେ ସୋମବାର ଜାତିସଂଘ ସୁରକ୍ଷା ପରିଷଦରେ ଏକ ସଂକଳ୍ପ ଗୃହୀତ ହୋଇଛି। କୌଣସି ଦେଶକୁ ଧମକାଇବା କିମ୍ବା ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାଲାଗି ଆଫଗାନିସ୍ତାନକୁ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଉକ୍ତ ସଂକଳ୍ପରେ ପ୍ରସ୍ତାବ ରହିଛି।

ସମ୍ବନ୍ଧିତ ଖବର